ଡାଇବେଟିସ ପୀଡିତଙ୍କୁ କ୍ୟାନ୍ସର୍ ଆଶଙ୍କା ବେଶି
ଓଭାରିଆନ୍ କ୍ୟାନ୍ସର୍, ବ୍ରେଷ୍ଟ କ୍ୟାନସର ସହ ଆଉ କିଛି କ୍ୟାନ୍ସର୍ କାହିଁକି ବେଶି ଟାଇପ୍-୧ ଓ ଟାଇପ୍-୨ ଡାଇବେଟିସ ପୀଡ଼ିତଙ୍କୁ ହୁଏ ତାହାର କାରଣ ଅନେକ ଦିନ ହେବ ଜାଣିବାକୁ ଗବେଷକମାନେ ଅନୁଧ୍ୟାନ କରୁଥିଲେ । ଏବେ ଆମେରିକାର ଗବେଷକମାନେ ଏ କ୍ଷେତ୍ରରେ ସଫଳତା ପାଇଛନ୍ତି । ବ୍ଲଡ୍ ସୁଗାର ସ୍ତର ସାଧାରଣ ଥିବା ଅବସ୍ଥା ତୁଳନାରେ ଏହି ସ୍ତର ଯେତେବେଳେ ଅଧିକ ରହିଥାଏ ସେତେବେଳେ ଡିଏନ୍ଏକୁ ଅଧିକ କ୍ଷତି ପହଞ୍ଚାଇଥାଏ । ଡିଏନ୍ଏ କ୍ଷତି ହେବା ଯୋଗୁ ଡାଇବେଟିସ୍ ପୀଡିତଙ୍କୁ କ୍ୟାନ୍ସର୍ ହେବା ଆଶଙ୍କା ବୃଦ୍ଧି ପାଇଥାଏ । ଏହି ବିପଦ ନିର୍ଦ୍ଦିଷ୍ଟ କେତେକ କ୍ୟାନ୍ସର୍ ପାଇଁ ଅଢ଼େଇ ଗୁଣ ଅଧିକ ରହିଥିବା ଗବେଷଣାରୁ ଜଣାପଡିଛି । ଆମେରିକାର କ୍ୟାନ୍ସର ଓ ଡାଇବେଟିସ୍ ଉପରେ ଗବେଷଣା କରୁଥିବା ସଂସ୍ଥା “ସିଟି ଅଫ୍ ହୋପ୍’ ଦ୍ୱାରା ଏହି ଗବେଷଣା କରାଯାଇଥିଲା । ଏହି ତଥ୍ୟକୁ କାଲିଫର୍ନିଆର ଶାନ୍ ଡିଏଗୋରେ ଅନୁଷ୍ଠିତ ହେବାକୁ ଥିବା ଆମେରିକାନ୍ କେମିକାଲ ସୋସାଇଟିର ଜାତୀୟସ୍ତରୀୟ ଆଲୋଚନାଚକ୍ର ଓ ପ୍ରଦର୍ଶନୀରେ ଉପସ୍ଥାପନ କରାଯାଇଛି ।


