ଜଗନ୍ନାଥ ମନ୍ଦିର ଉନ୍ନତିକରଣ ପାଇଁ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
ନାଉଗାଁ,(ଯୁଗାବ୍ଦ ନୁୁ୍ୟଜ୍): ନାଉଗାଁ ବ୍ଳକ ଅନ୍ତର୍ଗତ କୋରୁଅ ପଂଚାୟତର ଗାରୋଇ ଗୋବର୍ଦ୍ଧନ ପୀଠର ଶ୍ରୀ ଜଗନ୍ନାଥ ମନ୍ଦିରକୁ ଗୁରୁବାର ପଂଚାୟତରାଜ ଓ ପାନୀୟ ଜଳ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଗ୍ରସ୍ତ କରିଥିଲେ । ନାଉଗାଁକୁ ଗ୍ରସ୍ତ ସମୟରେ ଅଲଣାହାଟସ୍ଥିତ ନୂଆପାଟଣା ଠାରେ ବ୍ଳକ ବିଜେଡି ସଭାପତି ସୁଜିତ କୁମାର ମଲ୍ଲିକ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ବ୍ଳକ ଛକ ଓ ଗଙ୍ଗଦାହାଟରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଗୋବର୍ଦ୍ଧନ ପୀଠରେ ପହଂଚିବା ପରେ ଶ୍ରୀ ଜଗନ୍ନାଥ ସଂସଦ ଓ କରବାଡ କମିଟି ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସ୍ୱାଗତ କରାଯାଇଥିଲା । ମନ୍ତ୍ରୀ ଶ୍ରୀ ଜେନା ପ୍ରଥମେ ଶ୍ୱେତ ବଟ ଦର୍ଶନ କରିବା ପରେ ଜଗନ୍ନାଥ ମନ୍ଦିର ପରିସର,ବେଢା ଚତୁଃପାଶ୍ୱର୍, ଆଶ୍ରମର ପ୍ରତିଷ୍ଠାତା ବାବା ବୁଦ୍ଧନାଥ ଦାସଙ୍କ ସମାଧୀ ପୀଠ ଆଦି ଦର୍ଶନ କରିଥିଲେ । ପରେ ତେଲସରାସ୍ଥିତ ମାଉସୀ ମା ମନ୍ଦିରକୁ ଯାଇ ବୁଲିବା ସହିତ ସେଠାରେ ଥିବା ବଡଦାଣ୍ଡର ସମସ୍ୟା ସଂପର୍କରେ ବୁଝିଥିଲେ । ପରେ ଚନ୍ଦନ ପୋଖରୀ ଆସି ପୋଖରୀର ପାରିପାଶ୍ୱର୍ିକ ଅବସ୍ଥା ବୁଲି ଦେଖିଥିଲେ । ପରେ ମନ୍ଦିର ପରିସରରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସାଧାରଣତଃ ମନ୍ଦିରର ପାରିପାଶ୍ୱର୍ିକ ଉନ୍ନତିକରଣ ସହିତ ଗାରୋଇ ଜଗନ୍ନାଥ ମନ୍ଦିରକୁ ସଂଯୋଗ କରୁଥିବା ଗାରୋଇ-ମାଛଗାଁ ରାସ୍ତା ଉପରେ ଆଲୋଚନା କରାଯାଇଥିଲା । ତେଲସରାସ୍ଥିତ ମାଉସୀ ମା ମନ୍ଦିରକୁ ରାସ୍ତାର ପ୍ରଶସ୍ତିକରଣ ସହିତ କଂକ୍ରିଟ କରିବାକୁ ପୂର୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ମନ୍ଦିର ନିକଟରେ ସ୍ୱଚ୍ଛ ପାନୀୟ ଜଳ ପାଇଁ ପାନୀୟ ଜଳର ବ୍ୟବସ୍ଥା,ମନ୍ଦିର ଚତୁଃପାଶ୍ୱର୍ ଓ ବଡଦାଣ୍ଡକୁ ଆଲୋକୀକରଣ କରିବା, ଚନ୍ଦନ ପୋଖରୀର ଚତୁଃପାଶ୍ୱର୍ ପଥର ପ୍ୟାକିଙ୍ଗ ଓ ଗୋଷ୍ଠୀ ଶୌଚାଳୟ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ରଥଖଳାର ପ୍ରଶସ୍ତିକରଣ କରିବା ପାଇଁ ଜମି ନିରୁପଣ କରିବାକୁ ତହସିଲଦାର ଜେ.କଳ୍ପନାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଚାଷ ପାଇଁ ଜଳସେଚନର ସମସ୍ୟା ଥିବାରୁ ସ୍ଥାନୀୟ ଚାଷୀମାନେ ବାଉଁଶ ଜୋରୀ ଠାରୁ ଗୋଠଦଣ୍ଡା ପର୍ଯ୍ୟନ୍ତ ଘେରି ବନ୍ଧ ନିର୍ମାଣ ପାଇଁ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ବିଧାୟକଙ୍କୁ ଲିଖିତ ଅଭିଯୋଗ କରିବାକୁ କହିଥିଲେ । ଏହି ବେଠକରେ ମନ୍ତ୍ରୀଙ୍କ ସମେତ ଆଶ୍ରମର ମଠାଧିଶ ବାବା ଦିବ୍ୟଲୋଚନ ଦାସ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି,ବ୍ଳକ ବିଜେଡି ସଭାପତି ସୁଜିତ ମଲ୍ଲିକ, ଶ୍ରୀ ଜଗନ୍ନାଥ ସଂସଦର ସଭାପତି ବେଣୁଧର ମହାନ୍ତି, ସଦସ୍ୟ କାହ୍ନୁ ମହାନ୍ତି, ପ୍ରବୋଧ ପଟ୍ଟନାୟକ, କେଦାରନାଥ ବିଶ୍ୱାଳଙ୍କ ସମେତ କରବାଡ କମିଟିର ସଦସ୍ୟଙ୍କ ସମେତ ସମସ୍ତ ବିଭାଗର ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ।