ବାଲନ୍ଦାପଡ଼ା ମା’ଗୃହର ଅଷ୍ଟମ ସ୍ୱନକ୍ଷତ୍ର ଦିବସ ଅବସରରେ ଜାତୀୟ ପୋଷଣ ମାସ ପାଳନ

କନ୍ଧମାଳ, (ପ୍ରଶାନ୍ତ କୁମାର ବେହେରା):କନ୍ଧମାଳ ଜିଲ୍ଲାର ଅପହଂଚ ଇଲାକା ରୂପେ ବେଶ୍ ପରିଚିତ ବାଲନ୍ଦାପଡ଼ା ଅଂଚଳରେ ସ୍ୱାସ୍ଥ୍ୟ ସେବାରେ ସେପରି ଆଖିଦୃଷ୍ଟିଆ ସୁବିଧା ସୁଯୋଗ ନଥିବା ଯୋଗୁଁ ପୂର୍ବରୁ ପ୍ରସୂତୀ ସମୟରେ ଅଂଚଳର ଗର୍ଭବତୀ ମା’ ସେମାନଙ୍କ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ।ସୁରକ୍ଷିତ ପ୍ରସବ ଅଂଚଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା।ଏହାକୁ ଦୃଷ୍ଟିରେ ରଖି ଜାତୀୟ ସ୍ୱାସ୍ଥ୍ୟ ମିଶନ, କନ୍ଧମାଳ ତରଫରୁ ୨୦୧୩ ମସିହା ସେପ୍ଟେମ୍ବର ୧୩ ତାରିଖରେ ବାଲନ୍ଦାପଡ଼ାଠାରେ ମା’ ଗୃହ ସ୍ଥାପନ ହେବା ସହ ଏହାର ଦାୟିତ୍ୱ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀକୁ ପ୍ରଦାନ କରାଯାଇଥିଲା । ଏହି ଦିନଠାରୁ ବାଲନ୍ଦାପଡ଼ା ସ୍ଥିତ ଏହି ମା’ ଗୃହ ଗର୍ଭବତୀ ମା’ ଗୃହ ନିଜର ଅନବରତ ସେବା ଜାରି ରଖିଛି।ବାଲନ୍ଦାପଡ଼ା ପଂଚାୟତ ଅନ୍ତର୍ଗତ ବାଟିମୁଣ୍ଡା ଗ୍ରାମର ସିଦ୍ଧେଶ୍ୱର ନାୟକଙ୍କ ପତ୍ନୀ ସପୁରୀ ନାୟକ ଏହି ମା’ ଗୃହରେ ପ୍ରଥମ ମା’ ରୂପେ ସେବା ଗ୍ରହଣ କରିଥିଲେ । ସେହିଦିନଠାରୁ ଅଦ୍ୟାବଧି ପ୍ରାୟ ଦୁଇ ହଜାରରୁ ଅଧିକ ମା’ ବାଲନ୍ଦାପଡ଼ାସ୍ଥିତ ଏହି ମା’ ଗୃହରୁ ସେବା ପାଇବା ସହ ୧୮୦୦ରୁ ଉର୍ଦ୍ଧ୍ୱ ଗର୍ଭବତୀ ମା’ଙ୍କୁ ସୁରକ୍ଷିତ ମାତୃତ୍ୱ ପ୍ରଦାନ କରିପାରିଛି ଏହି ମା’ ଗୃହ । ସୁରକ୍ଷିତ ମାତୃତ୍ୱ ପାଇଁ ସୁଷମ ଖାଦ୍ୟ ଗ୍ରହଣ ନିତାନ୍ତ ଆବଶ୍ୟକ । ଏହାକୁ ଦୃଷ୍ଟିରେ ରଖି ବାଲନ୍ଦାପଡ଼ା ମା’ଗୃହର ପ୍ରତିଷ୍ଠା ଦିବସ ଅବସରରେ ଜାତୀୟ ସ୍ୱାସ୍ଥ୍ୟ ମିଶନ, କ୍ରାଏ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ତରଫରୁ ଗର୍ଭବତୀ ମା ଓ ପ୍ରସୂତୀ ମାଆ ମାନଙ୍କୁ ନେଇ ଜାତୀୟ ପୋଷଣ ମାସ ପାଳିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଲନ୍ଦାପଡ଼ାର ସରପଂଚ ପ୍ରଦୀପ କୁମାର ନାୟକ, ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିବା ବେଳେ ବାଲନ୍ଦାପଡ଼ା ଓ ବଣିଆସାହି ଅଙ୍ଗନୱାଡ଼ି କର୍ମୀ ଓ ଆଶା କର୍ମୀମାନେ ଅତିଥି ରୂପେ ଯୋଗଦାନ କରିଥିଲେ । ଏହି ଅବସରରେ ପୋଷଣଯୁକ୍ତ ଖାଦ୍ୟ ଖାଇବାର ମହତ୍ୱ ସମ୍ପର୍କରେ ବୁଝାଯିବା ସହ କେବଳ ଗର୍ଭବତୀ ମା’ ନୁହେଁ, ଆଗାମୀ ଦିନରେ ମା’ ହେବାକୁ ଯାଉଥିବା କିଶୋରୀ ବାଳିକାମାନଙ୍କୁ ମଧ୍ୟ ପୋଷଣଯୁକ୍ତ ଖାଦ୍ୟ ଖାଇବାକୁ ଅନୁରୋଧ କରାଯାଇଥିଲା । ଉପସ୍ଥିତ ଗର୍ଭବତୀ ମା ଓ ପ୍ରସୂତୀ ମାଆମାନଙ୍କୁ ପ୍ରସ୍ତୁତ ହେଉଥିବା ଖାଦ୍ୟରେ ତେଲ ଓ ଘିଅ କିପରି ଊପଯୁକ୍ତ ପରିମାଣରେ ପକାଇ ଖାଇବେ ସେ ସମ୍ପର୍କରେ ମଧ୍ୟ ବୁଝାଯାଇଥିଲା । ଏହି ଅବସରରେ ଆମର ଜାତୀୟ ପତାକା ତ୍ରିରଙ୍ଗାର ତିନୋଟି ରଙ୍ଗ ହିସାବରେ ଖାଦ୍ୟ ଗ୍ରହଣ କରିବାକୁ ଅନୁରୋଧ କରାଯାଇଥିଲା । ଯେପରି ନାରଙ୍ଗୀ ଅର୍ଥାତ୍ ଅମୃତଭଣ୍ଡା ଭଳି ବିଭିନ୍ନ ପାଚିଲା ଫଳ, ଧଳା ଅର୍ଥାତ୍ କ୍ଷୀର, ଅଣ୍ଡା ଭଳି ଖାଦ୍ୟ ଓ ସବୁଜ ଅର୍ଥାତ୍ ତଟକା ପନିପରିବା, ଶାଗ ଭଳି ଖାଦ୍ୟ ପ୍ରଚୂର ପରିମାଣରେ ଖାଇବାକୁ ଅନୁରୋଧ କରାଯାଇଥିଲା । ଏହା କଲେ ଗର୍ଭବତୀ ଓ ପ୍ରସୂତୀ ମାଆ ମାନେ ସୁସ୍ଥ ରହିବା ସହ ସୁସ୍ଥ ଭବିଷ୍ୟତକୁ ସେମାନେ ଗଢ଼ିପାରିବେ ବୋଲି କୁହାଯାଇଥିଲା । ଏହି ଅବସରରେ ବାଲନ୍ଦାପଡ଼ା ସରପଂଚ ପ୍ରଦୀପ କୁମାର ନାୟକଙ୍କୁ ସମ୍ମାନୀତ କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୁଷ୍ପିତା ସାହୁ, ଚଂଚଳା କହଁର, ସାମନ୍ତି ଦିଗାଲ, ରୀତାଞ୍ଜଳୀ ସାହୁ, ବିବିସ୍ମିତା ଦେହୁରୀ, ମାଳିକ ବେହେରା, ଉମେଶ କୁମାର ମିଶ୍ର, ବବୁନ୍ ବଗାର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ