ସଙ୍ଗୀନ ଦଫା ଲାଗିଥିବା ସତ୍ୱେ ଗିରଫ ହେଉନାହାନ୍ତି ଅଭିଯୁକ୍ତ

ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଅନ୍ତର୍ଗତ ଘୋଡାଂଶ ପଂଚାୟତ ସଂସାଇଲୋ ଗ୍ରାମର ମନୋରମା ସ୍ୱାଇଁ, ସ୍ୱାମୀ ବିଜୟ ସ୍ୱାଇଁ, ପୁଅ ମନୋଜ ସ୍ୱାଇଁଙ୍କ ଉପରେ ତାଙ୍କ ପଡୋଶୀ ସଂଘବଦ୍ଧ ଭାବରେ ଆକ୍ରମଣ କରିଥିଲେ । ଏ ସଂକ୍ରାନ୍ତରେ ନାଉଗାଁ ଥାନାରେ ମନୋରମାଙ୍କ ପୁଅ ମନୋଜ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ଥାନା ପକ୍ଷରୁ ଅଭିଯୁକ୍ତଙ୍କ ବିରୁଦ୍ଧରେ ସଙ୍ଗୀନ ଦଫା ଲାଗାଯାଇଛି । କିନ୍ତୁ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତମାନେ ଗିରଫ ହେଉ ନାହାନ୍ତି । ଏସଂପର୍କରେ ମନୋଜଙ୍କ ମା ମନୋରମା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଅଭିଯୋଗ ଦେବା ପରେ ବି କୌଣସି ସୁଫଳ ମିଳୁ ନାହିଁ । ନ୍ୟାୟ ନପାଇ ଅଭିଯୋଗକାରୀ ନାଉଗାଁ ଥାନା ସମ୍ମୁଖରେ ଅନଶନ କରିବା ସହିତ ଆତ୍ମହୁତି ଦେବା ପାଇଁ ବୁଧବାର ଲିଖିତ ଭାବେ ମନୋରମା ସ୍ୱାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇଛନ୍ତି । ତତ୍ ସହିତ ଏହାର ନକଲ ସଚିବ ୫-ଟି ଓଡିଶା, ଡିଜି ଓଡିଶା ପୋଲିସ, ଜିଲ୍ଲାପାଳ ଜଗତସିଂହପୁର, ବିଧାୟକ ଜଗତସିଂହପୁରଙ୍କ ସହ ନାଉଗାଁ ଆଇଆଇସିଙ୍କ ଅବଗତି ନିମନ୍ତେ ପଠାଯାଇଛି । ସୂଚନାଯୋଗ୍ୟ ଯେ ଉକ୍ତ ଗ୍ରାମର ବିଜୟ ସ୍ୱାଇଁଙ୍କ ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ତାଙ୍କ ପଡୋଶୀ ସୁଧୀର ସ୍ୱାଇଁ, ବିଦୁର ସ୍ୱାଇଁ, ମାମିନା ସ୍ୱାଇଁଙ୍କ ବାପା ଶଙ୍କର ସ୍ୱାଇଁ ସଂଘବଦ୍ଧ ଭାବେ ତାଙ୍କୁ ବିଭିନ୍ନ ମାରଣାସ୍ତ୍ର ଧରି ଆକ୍ରମଣ କରିଥିବା ବିଜୟଙ୍କ ପୁଅ ମନୋଜ ନାଉଗାଁ ଥାନାରେ ୫ ଅଗଷ୍ଟ ୨୦୨୦ରେ ଲିଖିତ ଅଭିଯୋଗ କରିଥିଲେ । ମନୋଜଙ୍କ ଅଭିଯୋଗ ମୁତାବକ ପଡୋଶୀଙ୍କ ଆକ୍ରମଣରେ ତାଙ୍କ ବାପା ବିଜୟ ଓ ମା ମନୋରମା ଗୁରୁତର ହୋଇ ପଡିଥିଲେ । ଉଭୟଙ୍କ ମୁଣ୍ଡ ଫାଟି ଯିବା ସହିତ ପ୍ରବଳ ରକ୍ତସ୍ରାବ ହେଉଥିଲା । ଏହି ସମୟରେ ସୁଧୀର, ମାମିନା, ବିଦୁର,ତାଙ୍କ ମାକୁ ଦାଣ୍ଡ ମଝିକୁ ଘୋଷାଡି ନେଇ ଅଶ୍ଳୀଳ ଭାଷାରେ ଗାଲିଗୁଲଜ କରିବା ସହିତ ସେମାନଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଉଭୟ ନାଉଗାଁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ଆସାମୀମାନେ ସେଠାରେ ପହଂଚି ଥାନାରେ ଅଭିଯୋଗ କଲେ ସମସ୍ତଙ୍କୁ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେବୁ ବୋଲି ଧମକ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି । ଥାନା ପକ୍ଷରୁ ଅଭିଯୋଗ ପାଇବା ପରେ ତଦନ୍ତ କରାଯାଇ ୪ଜଣଙ୍କ ନାମରେ କେଶ ନମ୍ବର ୧୧୫/୨୦ରେ ଏକ ମାମଲା ରୁଜୁ କରାଯାଇ ଆଇପିସି ଧାରା ୩୦୭, ୩୪୧, ୩୫୪(ବି), ୫୦୬, ୪୨୭, ୩୪ ଭଳି ସଂଗୀନ ଦଫା ଲଗାଯାଇଅଛି । କିନ୍ତୁ ସଙ୍ଗୀନ ଦଫା ଲଗାଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ ଆସାମୀମାନଙ୍କୁ ଗିରଫ କରାଯାଇନାହିଁ । ଯାହାଫଳରେ ମନୋରମା ନ୍ୟାୟ ପାଇଁ ଗତ ସେପ୍ଟେମ୍ବର ୧୭ ତାରିଖରେ ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ । ଘଟଣାକୁ ଦୀର୍ଘ ଦେଢ ମାସ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରାଯାଉନାହିଁ । ବରଂ ଲାଗିଥିବା ଦଫାକୁ କୋହଳ କରାଯିବା ପାଇଁ ଥାନା ପକ୍ଷରୁ ପ୍ରୟାସ କରାଯାଉଛି । ବାରମ୍ବାର ଆରକ୍ଷୀ ଅଧୀକ୍ଷକଙ୍କୁ ଲିଖିତ ଭାବେ ଜଣାଇଲେ ମଧ୍ୟ କିଛି ଫଳ ମିଳୁ ନଥିବା ମନୋରମା ପ୍ରକାଶ କରିଛନ୍ତି । ଯଦି ଆସନ୍ତା ସେପ୍ଟେମ୍ବର ୨୬ ତାରିଖ ମଧ୍ୟରେ ଆସାମୀମାନଙ୍କୁ ଧରା ନଯାଏ ତେବେ ସେପ୍ଟେମ୍ବର ୨୮ ତାରିଖରେ ନାଉଗାଁ ଥାନା ସମ୍ମୁଖରେ ସପରିବାର ଆମରଣ ଅନଶନ ବସି ରହିବେ ଯଦି ନ୍ୟାୟ ନ ମିଳେ ଆତ୍ମହୁତି ଦେବା ପାଇଁ ପଛାଇବୁ ନାହିଁ ବୋଲି ଲିଖିତ ଭାବେ ଜଣାଇଛନ୍ତି । ତାଙ୍କ ପରିବାରଙ୍କର କିଛି ଅଘଟଣ ଘଟିଲେ ସେଥିପାଇଁ ନାଉଗାଁ ଥାନା ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଦାୟୀ ରହିବେ ବୋଲି ମଧ୍ୟ ସେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ