କାନପୁର ବାଳିକା ବିଦ୍ୟାଳୟକୁ ସମୁହ ଶିକ୍ଷା ଖୋଲିବାକୁ ଦାବି
ହାଟଡ଼ିହି, : ହାଟଡିହି ବ୍ଲକ କାନପୁର ସିଦ୍ଧମରିଚାଇ ବାଳିକା ଉଚ୍ଚ ବିଦ୍ୟାଳୟ ୩୬ବର୍ଷ ହେଲା ସ୍ଥାପିତ ହୋଇ ବାଳିକା ଶିକ୍ଷା କ୍ଷେତ୍ରରେ ବେଶ ସୁନାମ ଅର୍ଜନ ଆଣିଥିବାବେଳେ ବର୍ତ୍ତମାନ ସରକାରୀ ବିଦ୍ୟାଳୟ ପ୍ରତି ଅଭିଭାବକ ମାନଙ୍କର ଅସନ୍ତୋଷ ଯୋଗୁଁ ବେସରକାରୀ ଘରୋଇ ବିଦ୍ୟାଳୟ ପ୍ରତି ଆଗ୍ରହ ଆଜି ଶିକ୍ଷା ବିଭାଗକୁ ଦୋଛକିରେ ପହଞ୍ଚାଇଛି । ସରକାର ଛାତ୍ରଛାତ୍ରୀଙ୍କ ପ୍ରତି ଯେତେ ପ୍ରକାର ସୁବିଧା କରିଲେବି ଅଭିଭାବକଙ୍କ ସରକାରୀ ବିଦ୍ୟାଳୟ ପ୍ରତି ଆଗ୍ରହ ହେଉ ନାହିଁ । ଫଳରେ ଏହି ବିଦ୍ୟାଳୟରେ ଦିନକୁ ଦିନ ଛାତ୍ରୀଙ୍କ ସଂଖ୍ୟା କମିବାରେ ଲାଗିଛି । ପୁର୍ବରୁ ବହୁ ଉପସ୍ଥାନ ଥାଇ ବିଦ୍ୟାଳୟଟି ଚାଲୁଥିବାବେଳେ ଏବେ ଦୁଇଟି ଶ୍ରେଣୀରେ ୨୫ଜଣ ଛାତ୍ରୀ ଶିକ୍ଷା ଲାଭ କରୁଛନ୍ତି । ବିଦ୍ୟାଳୟର ପାରିପାଶ୍ୱର୍ିକ ଅବସ୍ଥା ଯଥା କ୍ଲାସ ରୁମ, ଖେଳ ପଡିଆ, ପାନୀୟଜଳ, ଗମନାଗମନ ପାଇଁ ରାସ୍ତାର ସମସ୍ତ ସୁବିଧା ସୁଯୋଗ ଥାଇ ସୁଦ୍ଧା ଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଏହା ଚିନ୍ତାର କାରଣ ପାଲଟିଛି । କାନପୁର ଗ୍ରାମରେ ବଏଜ ହାଇସ୍କୁଲ ନଥିବାରୁ ଦୁଇ କିଲୋମିଟରରୁ ଉର୍ଦ୍ଧ ଦୁରରେ ଥିବା ହାଇସ୍କୁଲକୁ ଶିକ୍ଷାଲାଭ ପାଇଁ ଯାଉଛନ୍ତି । ଏପରିକି ଗାଁର ଅନେକ ଛାତ୍ର ବହୁ ଦୁରକୁ ଶିକ୍ଷାଲାଭ ପାଇଁ ନଯାଇ ଅଧାରୁ ପାଠ ଛାଡୁଛନ୍ତି । ଏନେଇ ଆଞ୍ଚଳିକ ବିକାଶ ମଞ୍ଚର ସଭାପତି ବିଶ୍ୱରଞ୍ଜନ ପାଣିଗ୍ରାହୀଙ୍କ ଉଦ୍ୟମକ୍ରମେ ପୁର୍ବରୁ ଏହି ବିଦ୍ୟାଳୟରେ ସମୁହ ଶିକ୍ଷା ବ୍ୟବସ୍ଥା ଖୋଲିବାକୁ ସରକାରଙ୍କ ନୀତି ନିୟମାନୁଯାଇ ତତ୍କାଳୀନ ବିଧାୟକଙ୍କ ସୁପାରିଶରେ ଆବେଦନ କରାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ତାହାକୁ କାର୍ଯ୍ୟକାରୀ କରାଗଲା ନାହିଁ । ଯଦି ଶିକ୍ଷା ବିଭାଗର ଅଧିକାରୀ ମାନେ ଏହି ବିଦ୍ୟାଳୟରେ ସମୁହ ଶିକ୍ଷା ବ୍ୟବସ୍ଥା ଲାଗୁ କରନ୍ତେ ତେବେ ବିଦ୍ୟାଳୟରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଛାତ୍ରଛାତ୍ରୀ ଶିକ୍ଷା ଲାଭ କରିପାରନ୍ତେ ବୋଲି ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଲକ୍ଷ୍ମଣ ମହାପାତ୍ର, ଶତୃଘ୍ନ ରାଉତ, ସୁଲୋଚନା ପାଣିଗ୍ରାହୀ, ନିରଞ୍ଜନ ରାଉତ, ବସନ୍ତ ଧଳ, ସରୋଜ ରାଉତ, ବିବେକାନନ୍ଦ ପାଣିଗ୍ରହୀ, ଗୌରାଙ୍ଗ ବାରିକ, ମନୋଜ ରାଉତ, ନିରଞ୍ଜନ ଜେନା, ଉତ୍ତମ ବେହେରା, ବିଜୟ ଧଳ, ଅକ୍ଷୟ ଖମାରୀ, ମନୋଜ ଖମାରୀ, ସଦାଶିବ ଖମାରୀ ପ୍ରମୁଖ ଦାବି କରିଛନ୍ତି ।