ଉଜ୍ଜ୍ୱଳା ଖାଉଛି ଭୂତ ବିଭାଗୀୟ ମନ୍ତ୍ରୀଙ୍କୁ ଟୁଇଟ ପରେ ମଧ୍ୟ ଗ୍ୟାସ ସିଲିଣ୍ଡରରୁ ବଞ୍ଚିତ ୮୦ବର୍ଷିୟା ସତ୍ୟଭାମା

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ସରକାରଙ୍କ ଯେତେ ଜନହିତକାରୀ ଯୋଜନା ପ୍ରଣୟନ ହେଉଛି ସେତିକି ସେତିକି ଦୁର୍ନିତିର ଚେର ମଧ୍ୟ ଲମ୍ବି ଚାଲିଛି । ମିଳିଥିବା ଅଭିଯୋଗ ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତ ବିଶୋଳ ଗ୍ରାମର ୮୦ବର୍ଷିୟା ବୃଦ୍ଧା ସତ୍ୟଭାମା ଜେନାଙ୍କ ନାମରେ ତାଙ୍କ ପୁଅ ରମାକାନ୍ତ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ପାଇଁ ଆବେଦନ କରିଥିଲେ । ୨୦୧୭ମସିହାରେ ଜନୈକ ଗ୍ୟାସ ଏଜେନ୍ସି ଏଜେଣ୍ଟଙ୍କ ଜରିଆରେ ଉକ୍ତ ଗ୍ୟାସ ପାଇଁ ଆବେଦନ ହୋଇଥିଲା । ଆବେଦନର ଅନେକ ଦିନ ପରେ ସେ ଗ୍ୟାସ ନପାଇବାରୁ ମଞ୍ଜୁରୀରୋଡ ଠାରେ ପୁନଃ ଆବେଦନ ପାଇଁ ରମାକାନ୍ତ ଏକ ଗ୍ୟାସ ଏଜେନ୍ସିକୁ ଯାଇଥିଲେ । ପ୍ରଥମ ଆବେଦନ ମୂଳେ ରମାକାନ୍ତଙ୍କ ମାଆ ସତ୍ୟଭାମା ଗ୍ୟାସ ପାଉଥିବା ସେ ସେଠାରୁ ଜାଣିବାକୁ ପାଇଥିଲେ । କିନ୍ତୁ ପ୍ରକୃତ ପକ୍ଷେ ସେ ଗ୍ୟାସରୁ ବଞ୍ଚିତ ଥିଲେ । ପରବର୍ତ୍ତ ସମୟରେ ୧.୬.୨୦୧୮ ମସିହାରେ ମାଆଙ୍କ ପାସ ବହିକୁ ଗ୍ୟାସ ରିହାତି ଅର୍ଥ ଆସିବାରୁ ସତ୍ୟଭାମାଙ୍କ ନାମରେ କେହି ଗ୍ୟାସ ଆତ୍ମସାତ କରୁଥିବା ଜଣାପଡିଥିଲା । ଏହାପରେ ୪.୧୦.୨୦୧୯ ଓ ଶେଷ ରିହାତି ଅର୍ଥ କରୋନା ମହାମାରୀ ବେଳେ ୯.୪.୨୦୨୦ରିଖରେ ଖାତାକୁ ଆସିଥିଲା । ଏହାପରେ ଖୋଳତାଡ ହେବାରୁ ସତ୍ୟଭାମାଙ୍କ ନାମରେ ବନ୍ତ ସ୍ଥିତ ସାଇ ସ୍ୱପ୍ନା ଭାରତ ଗ୍ୟାସ ଏଜେନ୍ସି ଠାରେ ନାମ ପଞ୍ଜିକରଣ ହୋଇଥିବା ଜଣାପଡିଥିଲା । ଏନେଇ ସେମାନେ ଗ୍ୟାସ ପାଇବା ପାଇଁ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନେତୃତ୍ୱଙ୍କ ଜରିଆରେ ଏଜେନ୍ସି ସହିତ ଯୋଗାଯୋଗ କରି ବିଫଳ ହୋଇଥିଲେ । ପରେ ସତ୍ୟଭାମାଙ୍କ ନାତୁଣୀ କେନ୍ଦ୍ର ସରକାରଙ୍କ ଏମଓପିଏନଜି ସେବା କୁ ଅଗଷ୍ଟ ୫ତାରିଖ ଦିନ ଟୁଇଟ କରିଥିଲେ । ଏହାପରେ ଅଗଷ୍ଟ ୧୧ତାରିଖ ଦିନ ମଧ୍ୟ ପେଟ୍ରୋଲିୟମ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟକୁ ଟୁଇଟ ହୋଇଥିଲା । ଅଭିଯୋଗ ସଂଖ୍ୟା ୫୯୬୧୫୬୦ରେ ହୋଇଥିବାବେଳେ ସମସ୍ୟାର ସମାଧାନ ପାଇଁ ଗ୍ୟାସ ଏଜେନ୍ସି ବିଶୋଳକୁ ଆସିଥିଲେ । ସେଠାରେ ଟୁଇଟକୁ ଡିଲିଟ କରିବା ପାଇଁ ସତ୍ୟଭାମାଙ୍କ ପରିବାର ଲୋକଙ୍କୁ କହିଥିବାବେଳେ ସାଧାକାଗଜରେ ଦସ୍ତଖତ କଲେ ଗ୍ୟାସ ଦେବୁ ବୋଲି ସୂଚନା ଦେଇଥିଲେ । ଉକ୍ତ ସର୍ତ୍ତରେ ହିତାଧିକାରୀଙ୍କ ପରିବାର ରାଜି ନହେବାରୁ ସେମାନେ ଗ୍ୟାସ ନେଇ ପଳାଇଯାଇଥିବା ସତ୍ୟଭାମାଙ୍କ ପୁଅ ରମାକାନ୍ତ ସୂଚନା ଦେଇଛନ୍ତି । ଉଜ୍ଜ୍ୱଳା ଭଳି ଏକ ପ୍ରସିଦ୍ଧ ଜନହିତକାରୀ ଯୋଜନା ମଧ୍ୟରେ ଦୁର୍ନିତିର ଚେର କେତେ ଯେ ଲମ୍ବିଛି ତାହା ଏଥିରୁ ସ୍ପଷ୍ଟ ଅନୁମେୟ । ୮୫ବର୍ଷର ବୃଦ୍ଧା ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରି ଆଜି ଯାଏଁ ସେବାରୁ ବଞ୍ଚିତ ଥିବାବେଳେ ତାଙ୍କ ନାମରେ ଅନ୍ୟକେହି ଗ୍ୟାସ ଆତ୍ମସାତ କରୁଥିବା ବିଭାଗୀୟ ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସମ୍ପୂର୍ଣ୍ଣ ଘଟଣା ବାବଦରେ ଜିଲ୍ଲା ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ ମାନସ ରଞ୍ଜନ ମହାପାତ୍ରଙ୍କୁ ଯୋଗାଯୋଗ କରାଯିବାରୁ ସେ ହିତାଧିକାରୀଙ୍କ ସମସ୍ତ ତଥ୍ୟଦେଲେ କଣ ହୋଇଛି ଦେଖିବେ ବୋଲି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ