ଅାଜି ମହାଲଢ଼େଇ: ମୁମ୍ବାଇ ମାଗେ ‘ହାଇ ଫାଇଭ୍
ନୂଆଦିଲ୍ଲୀ: ୫୨ ଦିନ ଏବଂ ୫୯ ମ୍ୟାଚ୍ର ଉତ୍କଣ୍ଠା, ରୋମାଞ୍ଚ ତଥା ନାଟକୀୟ କ୍ରିକେଟ୍ ସମର ପରେ ଆଇପିଏଲ୍ର ଅନ୍ତିମ ମହାଲଢ଼େଇ ପାଇଁ ଦୁବାଇ ପୂରା ପ୍ରସ୍ତୁତ। କରୋନା କାଳର ସଙ୍କଟଜନକ ସ୍ଥିତି, ଜୈବ ବଳୟର ଅସ୍ବାଭାବିକ ଚାପ ତଥା ନାନା ପ୍ରକାର ଅଙ୍କୁଶ ଓ କଟକଣା ମଧ୍ୟରେ ବି କ୍ରିକେଟ୍ର ଶ୍ରେଷ୍ଠ ରୂପକୁ ପ୍ରତିପାଦିତ କରିଥିବା ଏହି ଚର୍ଚିତ ଲିଗ୍ର ମେଗାଫାଇନାଲ୍ ମଙ୍ଗଳବାର ଖେଳାଯିବ। ଆଉ ମାତ୍ର କିଛି ଘଣ୍ଟା ପରେ ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍ ଲିଗ୍ର ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଯୁବ ଯୋଦ୍ଧାଙ୍କୁ ନେଇ ସମୃଦ୍ଧ ଦିଲ୍ଲୀ କ୍ୟାପିଟାଲ୍ସ ଟ୍ରଫି ଟକ୍କରରେ ମୁହାଁମୁହିଁ ହେବେ। ମୁମ୍ବାଇ ପଞ୍ଚମ ଟାଇଟଲ ଜିତି ‘ହାଇ ଫାଇଭ୍’ ହାସଲ କରିବା ଲକ୍ଷ୍ୟରେ ରହିବ । ଅନ୍ୟପକ୍ଷରେ ଫାଇନାଲ ଟିକେଟ ପାଇଁ ଦୀର୍ଘ ୧୨ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଶେଷ କମାଲ ସହ ଟ୍ରଫି ମରୁଡ଼ି ଦୂର କରିବା ପାଇଁ ସଙ୍କଳ୍ପବଦ୍ଧ ରହିବ। ପ୍ରଥମ ଥର ଫାଇନାଲ୍ ଖେଳୁଥିବାରୁ ଚଳିତ ବର୍ଷର ତ୍ରୟୋଦେଶ ଋତୁ ରାଜଧାନୀ ଏକ୍ସପ୍ରେସ୍ ‘ ଦିଲ୍ଲୀ କ୍ୟାପିଟାଲ୍ସ’ ପାଇଁ ରୋଚକ ଓ ସ୍ମରଣୀୟ ହେବ ବୋଲି ମଧ୍ୟ ପ୍ରଶଂସକ ଆଶା ରଖିଛନ୍ତି। ସେପଟେ ଷଷ୍ଠ ଥର ପାଇଁ ଫାଇନାଲ୍କୁ ଯାଇଥିବା ‘ଇଣ୍ଡିଆନ୍ସ’ମାନେ ନିଜ ଅଭିଜ୍ଞତାକୁ ପାଥେୟ କରି ଦିଲ୍ଲୀକୁ ଏବର୍ଷ ଚତୁର୍ଥ ଥର ପାଇଁ ଧରାଶାୟୀ କରି ପୁଣି ଥରେ ଟ୍ରଫି ତୋଳି ଧରିବାର ଅନନ୍ୟ ସଫଳତା ପାଇଁ ମଇଦାନକୁ ଓହ୍ଲାଇେବ। ପ୍ରଥମ କ୍ବାଲିଫାୟର ସମେତ ଏଥର ମୁମ୍ବାଇଠାରୁ ହ୍ୟାଟ୍ରିକ୍ ପରାଜୟ ବରଣ କରି ସାରିଥିବା ଦିଲ୍ଲୀ କିନ୍ତୁ ମୁମ୍ବାଇକୁ କଳେ ବଳେ କୌଶଳେ ମାତ୍ ଦେବାର ଦମ୍ଭ ଓ ଦକ୍ଷତା ରଖେ। ମଙ୍ଗଳବାରର ମହାମୁକାବିଲାରେ ବିଜୟୀ ହେଲେ ଦିଲ୍ଲୀ ପ୍ରଥମ ଥର ମୁକୁଟ ପିନ୍ଧିବା ସହ ଆଇପିଏଲ୍କୁ ଏକ ନୂଆ ବିଜେତା ମିଳିବ। ଦିଲ୍ଲୀ ମଧ୍ୟ ଠିକଣା ସମୟରେ ମୁମ୍ବାଇଠାରୁ ପୂର୍ବ ପରାଜୟର ମଧୁର ପ୍ରତିଶୋଧ ନେଇ ପାରିବ।


