ତୃଟିଯୁକ୍ତ ରାସ୍ତା ରକ୍ଷଣାବେକ୍ଷଣ କାର୍ଯ୍ୟ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ପାଳଦା ବାଙ୍କ ୧୬ନଂ ଜାତୀୟ ରାଜପଥ ଠାରୁ ଯାଜପୁର ଜିଲ୍ଲାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ଏବେ ରକ୍ଷଣାବେକ୍ଷଣ କାର୍ଯ୍ୟ ହେଉଛି । ଯାହାକି ସମ୍ପୂର୍ଣ୍ଣ ଭାବେ ତୃଟିଯୁକ୍ତ ହେଉଥିବା ଦେଖାଯାଉଛି । ୧୩କିମି ବ୍ୟାପୀ ରାସ୍ତାଟି ପ୍ରଥମେ ଗ୍ରାମ୍ୟ ଉନ୍ନୟନ ବିଭାଗ ହାତରେ ଥିବାବେଳେ ଏହାର ନବୀକରଣ କାର୍ଯ୍ୟପାଇଁ ପୂର୍ତ୍ତବିଭାଗ ହାତକୁ ଯାଇଥିଲା । ପୂର୍ତ୍ତ ବିଭାଗ ପ୍ରଥମ କରି ଟେଣ୍ଡର ଜରିଆରେ ରାସ୍ତାନିର୍ମାଣ ପାଇଁ ପ୍ରାୟ ୧୨କୋଟି ଟଙ୍କାର କାର୍ଯ୍ୟାଦେଶ କଟକର ଜନୈକ ଠିକାଦାରଙ୍କୁ ପ୍ରଦାନ କରିଥିଲେ । ଠିକାସଂସ୍ଥା ଯଥେକଷ୍ଟେ ୨୦୧୮ ମସିହାରେ ରାସ୍ତା କାର୍ଯ୍ୟ ଶେଷ କରିଥିବାବେଳେ କିଛି ବ୍ୟକ୍ତିଗତ ସମସ୍ୟାକୁ ନେଇ ଅନେକ ଜାଗାରେ କାମ ଛାଡିଯାଇଥିଲା । ଆହୁରି ମଧ୍ୟ ଇଚ୍ଛାକୃତ ଭାବେ ଠିକାଦାର ତରବରିଆ ହୋଇ କିଛି ସ୍ଥାନରେ କାମ ଅଧାପନ୍ତରିଆ କରିଦେଇଥିଲା । ସେ ଯାହାବି ହେଉ ରାସ୍ତା କାମ ସରିବା ପରେ ନିୟମାନୁଯାୟୀ ଠିକାଦାର ୩ବର୍ଷ ଯାଏଁ ଏହାର ରକ୍ଷଣାବେକ୍ଷଣ କାର୍ଯ୍ୟ କରିବ ବୋଲି ବିଭାଗ ନିକଟରେ ଚୁକ୍ତି କରିଛି । ଏବାବଦରେ ଲକ୍ଷଲକ୍ଷ ଟଙ୍କା ମଧ୍ୟ ଗଚ୍ଛିତ ରହିଛି । ପରିତାପର ବିଷୟ ଠିକାଦାର ଏବେ ରାସ୍ତା ରକ୍ଷଣାବେକ୍ଷଣ କାର୍ଯ୍ୟ କରୁଥିଲେ ସୁଦ୍ଧା ତାହା ସଠିକ ହେଉନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ରାସ୍ତାର ପଟାପୋଲ ଠାରୁ ପୁରସ୍ତମପୁର ଓ ରାଢୋ ଠାରୁ ମାଳଦା ଯାଏଁ ଦୁଇ ପାଶ୍ୱର୍ରେ ବିଭିନ୍ନ ଅନାବନା ଗଛବୃକ୍ଷ ହୋଇଯାଇଛି । ଏପରିକି କଂକ୍ରିଟ ନିର୍ମାଣ ପରେ ଦୁଇ ପାଶ୍ୱର୍ରେ ମାଟି ମଧ୍ୟ ଦିଆଯାଇନାହିଁ । ଏପରିସ୍ଥଳେ ଶ୍ରମିକ ଜରିଆରେ ଛୋଟଛୋଟ ଗଛ ଓ ବଣବୁଦାକୁ ସଫା କରି ମାଟି ପକାଇବା ପରିବର୍ତ୍ତେ ଜେସିବି ସାହାର୍ଯ୍ୟରେ ରାସ୍ତା ପାଶ୍ୱର୍ ସଫା କରୁଛନ୍ତି । ସ୍ଥଳ ବିଶେଷରେ କଂକ୍ରିଟରାସ୍ତା ଓ ପାଶ୍ୱର୍ ଗଛଲତା ଥିବା ସ୍ଥାନ ମଧ୍ୟରେ ଫୁଟେ ଦୁଇଫୁଟର ଗଭୀରତା ଥିବାବେଳେ ମେସିନ ତାହାକୁ ଠିକ ଭାବେ ସଫା କରୁନଥିବା ଦେଖିବାକୁ ମିଳିଛି । ନାମକୁ ମାତ୍ର ରାସ୍ତାସଫା ନାଁରେ ରକ୍ଷଣାବେକ୍ଷଣ ବାବଦ ଅର୍ଥକୁ ଠିକାଦାର ହାତେଇବା ପାଇଁ ଏଭଳି କରୁଥିବା ସୂଚନା ମିଳିଛି । ଏନେଇ ରାସ୍ତା ଦାୟିତ୍ୱରେ ଥିବା ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କୁ ଅବଗତ କରାଯାଇଥିବାବେଳେ ସେ କଣ ହୋଇଛି କ୍ଷେତ୍ର ପରିଦର୍ଶନ କରି ଦେଖିବେ ବୋଲି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ