ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ୪ବର୍ଷ ହେଲା ସରୁନି ରାସ୍ତା ନିର୍ମାଣ କାମ; ଗମନା ଗମନରେ ବାଧା ପ୍ରାପ୍ତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଗତ ୪ବର୍ଷ ତଳେ ଆରମ୍ଭ ହୋଇଥିବା ରାସ୍ତା ନିର୍ମାମ କାର୍ଯ୍ୟ ଶେଷ ହୋଇପାରୁ ନାହିଁ । ଯଦ୍ୱାରା ଏହି ଅଞ୍ଚଳର ଗ୍ରାମବାସୀ ମାନଙ୍କ ଗମନା ଗମନରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଛି । ଘଟଣାରୁ ପ୍ରକାଶ,ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଗୁଲୁବା ପଞ୍ଚାୟତ ଠାରୁ ଡେଙ୍ଗେସଖାଲ ପଞ୍ଚାୟତ ରାସ୍ତା ନିର୍ମାଣ କାର୍ଯ୍ୟ ଗତ ପ୍ରାୟ ୪ବର୍ଷ ହେଲା ସରିବାର ନାମ ଧରୁନି । ଫଳରେ ଗମନାଗମରେ ବାଧା ସୃଷ୍ଟି ହୋଇଛି । ପ୍ରାୟ ୪ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଏହି ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିଲାଗି ପ୍ରାଥମିକ ପର୍ଯ୍ୟାୟରେ ମୋରମ ଓ ମେଟାଲ ବିଛାଯାଇ କାମ ଆରମ୍ଭ ହୋଇଥିଲେ ହେଁ ତାପର ଠାରୁ ରାସ୍ତା କାମ ଆଉ ହୋଇନି । ଇତି ମଧ୍ୟରେ ବିଭିନ୍ନ ସମୟରେ ବର୍ଷା ଏବଂ ଭାରୀଯାନ ଚଳାଚଳ ଯୋଗୁଁ ମେଟାଲ ଗୁଡିକ ଉଠିଯାଇଛି ଏବଂ ସ୍ଥାନେ ସ୍ଥାନେ ଖାଲଖମା ସୃଷ୍ଟି ହୋଇଥିବାର ଦେଖିବାକୁ ମିଳୁଛି । ଏନେଇ ବିଭିନ୍ନ ସମୟରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ଫଳପ୍ରଦ ହୋଇପାରୁନି ବୋଲି ଅଞ୍ଚଳବାସୀ କହିଛନ୍ତି । ଏହାସହ ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟକରୁଥିବା ଠିକାଦାରଙ୍କ ଦେଖାଦର୍ଶନ ନଥିବାର ମଧ୍ୟ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନାମାନ କରୁଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଆନ୍ତରିକତା ଅବହେଳା ଏବଂ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ସମସ୍ତ ଯୋଜନା ଫେଲମାରୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ