ବାହାରଣା ଏମ୍ ବିକେଙ୍କ ନାମରେ ଅର୍ଥ ହଡପ ଅଭିଯୋଗ
ଜଗତସିଂହପୁର, (ଅନସୂୟା ରାଉତ): ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ବାହାରଣା ପଞ୍ଚାୟତର ଏମ୍ ବିକେ ଲକ୍ଷ୍ମୀ ପ୍ରିୟା ସାହୁ ସିରେଇଲ ଗ୍ରାମର ବିଜୟ କୁମାର ଖୁଣ୍ଟିଆଙ୍କ ପାଇଖେନା ଅର୍ଥ ହଡପ କରିଥିବା ଅଭିଯୋଗ ହୋଇଛି । ପ୍ରକାଶ ଥାଉକି ସ୍ବଚ୍ଛ ଭାରତ ଅଭିଯାନ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି । ହିତାଧିକାରୀ ମାନଙ୍କୁ ମାଗଣା ପାଇଖାନା ତିଆରି କରିବା ପାଇଁ ସରକାରଙ୍କ ପକ୍ଷରୁ ଅର୍ଥ ରାଶି ଯୋଗାଇ ଦିଆଯାଉଛି । କିନ୍ତୁ ଦଲାଲ୍ ମାନେ କିଛି ହିତାଧିକାରୀଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ ହେଉଥିବା ଲକ୍ଷ୍ଯ କରାଯାଉଛି । ଏହି ପରି ଏକ ଠକେଇ ମାମଲାରେ ଜଣେ ମହିଳା ଏମ୍ ବି କେ ସାମିଲ କଥା ସାଧାରଣ ଜନତାଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଏହି ମହାଶୟା ନିଜ ପଞ୍ଚାୟତର କିଛି ହିତାଧିକାରୀଙ୍କୁ ପାଇଖାନା ବିଲ୍ ପ୍ରଦାନ କରିବା ସହିତ ସେମାନଙ୍କଠାରୁ ହାତଗୁଞ୍ଜା ନେଇଥାନ୍ତି । କିନ୍ତୁ ବିଜୟଙ୍କଠାରୁ ଦସ୍ତଖତ ନେଇ ତାଙ୍କ ଫଟୋକୁ ଅନ୍ୟ ଜଣଙ୍କ ପାଇଖାନାରେ ଜୋଡି ତାଙ୍କ ଜମାଖାତାରୁ ଅର୍ଥ ହଡପ କରିଥିବା ବିଜୟ ଅଭିଯୋଗ କରିଛନ୍ତି । କାରଣ ଲକ୍ଷ୍ମୀ ପ୍ରିୟା ଗୋଟିଏ ବ୍ଯାଙ୍କ କାଗଜରେ ତାଙ୍କ ଠାରୁ ଦସ୍ତଖତ କରିଥିଲେ । ତାର କିଛି ଦିନ ପରେ ବିଜୟ ପାଇଖାନା ବାବଦରେ ବୁଝାସୁଝା କରିବାରୁ ତାଙ୍କ ଅର୍ଥ ରାଶି ଉଠିଯାଇଛି ବୋଲି ଜାଣିଲେ । ଏବେ ଉପଯୁକ୍ତ ନ୍ଯାୟ ଅପେକ୍ଷା କରି ସେ ବିଭିନ୍ନ ଗଣମାଧ୍ୟମରେ ଦୁଃଖ କଥା ପ୍ରକାଶ କରିଛନ୍ତି ।


