କନ୍ଧମାଳର ପାଠକ ଓ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ କନ୍ଧମାଳ ଇ-ପାଠାଗାର ଖୋଲିଲା 

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳର ମେଧାବୀ ଛାତ୍ରଛାତ୍ରୀ ଓ ପାଠକଙ୍କ ପାଇଁ ଖୁସି ଖବର। କରୋନା ସଂକ୍ରମଣ ପାଇଁ ୮ ମାସ ହେଲା ବନ୍ଦ ଥିବା କନ୍ଧମାଳ ଇ-ପାଠଗାର ବର୍ତ୍ତମାନ ଖୋଲା ହୋଇଛି। ଫୁଲବାଣୀ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବୀରେନ୍ଦ୍ର କୁମାର ଦାସ ଫିତା କାଟି ଇ-ପାଠାଗାରର ଶୁଭାରମ୍ଭ କରିଥିଲେ । ଶୁଭାରମ୍ଭ ପରେ ବହୁ ପାଠକ ଓ ମେଧାବୀ ଛାତ୍ରଛାତ୍ରୀ ଆସି କୋଭିଡ ନିୟମ ମାନି ବିଭିନ୍ନ ବହି ପଢିଥିଲେ । ୧ କୋଟି ବ୍ୟୟରେ ନିର୍ମାଣ ହୋଇଥିବା ଏହି ଇ-ପାଠାଗାରରେ ୩୦ ଲକ୍ଷ ମୂଲ୍ୟର ବିଭିନ୍ନ ପୁସ୍ତକ ଓ ଆସବାବପତ୍ର ରଖାଯାଇଛି । ଚତୁଃର୍ପାଶ୍ୱରେ ସୌନ୍ଦଯ୍ୟ କରଣ କରାଯାଇ ମନୋରମ ପରିବେଶ ସୃଷ୍ଟି କରାଯାଇଛି । କନ୍ଧମାଳ ଭଳି ଏକ ପଛୁଆ ଜିଲ୍ଲାରେ ଇ-ପାଠଗାର ନଥିଲା। ତେଣୁ ପାଠକ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଡା.ବୃନ୍ଦା ଡି ଏଠାରେ ଏକ ଇ-ପାଠଗାର ଖୋଲିବା ପରିକଳ୍ପନା କରିଥିଲେ। ଏହାପରେ ଯୁଦ୍ଧକାଳୀନ ଭିତ୍ତିରେ ବିଲଡିଂ କାମ ଆରମ୍ଭ ହୋଇଥିଲା। ୩ ମହଲା ବିଶିଷ୍ଟ ଅତ୍ୟାଧୁନିକ କୋଠା ଗୃହରେ ଚାଲିଥିଲା ଇ-ପାଠାଗାର। ୧୦ ହଜାରରୁ ଉର୍ଦ୍ଧ୍ବ ବିଭିନ୍ନ ପୁସ୍ତକ ରହିଛି। ସବୁ ଓଡିଆ ଓ ଇଂରାଜୀ ଖବର କାଗଜ ସହ ବିଭିନ୍ନ ପତ୍ରପତ୍ରିକା ବି ରହିଛି।ଇ-ପାଠାଗାର ୨୦୧୯ ଜାନୁଆରିରେ ଉଦଘାଟନ ହୋଇଥିଲା। ତା’ପରେ କମ୍ପ୍ୟୁଟର ଦ୍ବାରା ଇମେଲ ମାଧମରେ କଲେଜ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ସହ ଆଇଏଏସ, ଓଏଏସ ପରୀକ୍ଷା ସମ୍ପର୍କିତ ପୁସ୍ତକ ପାଠ କରିବାର ସୁଯୋଗ ପାଇଥିଲେ। ଅନ୍ୟ ପାଠକମାନେ ବି ଇ-ପାଠାଗାରକୁ ନିୟମିତ ଆସି ବିଭିନ୍ନ ବହି ପଢୁଥିଲେ। ହେଲେ କରୋନା ସଂକ୍ରମଣ ପାଇଁ ଗତ ମାର୍ଚ୍ଚ ୨୫ ତାରିଖରୁ ଇ-ପାଠାଗାରକୁ ପ୍ରଶାସନ ବନ୍ଦ କରି ଦେଇଥିଲା।ପୂର୍ଵ  ଭଳି ଶୁକ୍ରବାର ଇ-ପାଠାଗାର ବନ୍ଦ ରହିବ। ବାକି ସବୁ ଦିନ ଏମିତି ରବିବାର ଛୁଟି ଦିନରେ ବି ସକାଳ ୧୦ଟାରୁ ୧ଟା ଏବଂ ଅପରାହ୍ନ ୩ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଶ୍ରୀ ଦାସ କହିଛନ୍ତି। କୋଭିଡ ନିୟମକୁ କଡାକଡି ପାଳନ କରାଯିବ। ଯେ କେହି ନିୟମ ଅମାନ୍ୟ କରନ୍ତି ସେମାନଙ୍କୁ ଇ-ପାଠାଗାର କୁ ଆସିବାକୁ ବାରଣ କରାଯିବ ବୋଲି ସେ କହିଛନ୍ତି।ଇ-ପାଠାଗାର ଖୋଲାଯିବାରୁ ଏହାକୁ ନେଇ ମେଧାବୀ ଛାତ୍ରଛାତ୍ରୀ ଓ ପାଠକଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି। ଆଜିର ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ସ୍ବାତୀର ସମ୍ପାଦକ ଇଂ.ହରିଶଙ୍କର ରାଉତ,ବୈଦ୍ୟନାଥ ଖଟୁଆ, ପ୍ରଦୀପ କୁମାର ସ୍ବାଇଁ,  ବଟକୃଷ୍ଣ ବିହାରୀ, ଅଶୋକ କୁମାର ମହାନ୍ତି, ସୁନିଲ କୁମାର ବିଶ୍ବାଳ, ଲାଇବ୍ରେରିଆନ ସୁର୍ଯ୍ୟମଣି ଦାସ, ସହକାରୀ ଲାଇବ୍ରେରିଆନ ଶିବସୁନ୍ଦର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ