କରୋନା କଟକଣାକୁ ପ୍ରଶାସନିକ ସ୍ତରରେ ଫୁ ! ଜିଲାପାଳଙ୍କ ବାସଭବନ ନିକଟରେ ଚାଲିଛି କରୋନାକୁ ନିମନ୍ତ୍ରଣ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ୧୨ଟି ବ୍ଳକରୁ ୯ଟି ବ୍ଳକରେ ଆଜି ନୂଆ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଶୁନ୍‍ ରହିଥିବା ବେଳେ ଜିଲ୍ଲାର ଆଉ ୩ଟି ବ୍ଳକରେ ୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୮୭୯ରେ ପହଞ୍ଚିଥିବା ବେଳେ ୫,୮୦୯ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୩ ରହିଥିବା ବେଳେ ବର୍ତ୍ତମାନ ମାତ୍ର ୩୭ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିତ୍ସିତ ହେଉଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଆଜିର ସଂକ୍ରମିତମାନଙ୍କ ମଧ୍ୟରୁ ଜିଲ୍ଲାର ଦାରିଙ୍ଗବାଡି, ଫିରିଙ୍ଗିଆ ଏବଂ ତୁମୁଡିବନ୍ଧ ଅଂଚଳରେ ଜଣେ ଲେଖାଏଁ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।ତେବେ ଶୀତଦିନ ଯୋଗୁଁ କରୋନାକୁ ନେଇ ପ୍ରଶାସନ ପକ୍ଷରୁ କଡ଼ା କଟକଣା କରାଯାଇଥିବା କୁହାଯାଉଥିଲେ ମଧ୍ୟ ଏହାକୁ ଖୋଲାଖୋଲି ଭାବେ ଖୋଦ୍‍ ପ୍ରଶାସନିକ ସ୍ତରରେ ଉଲ୍ଲଂଘନ କରାଯାଉଥିବାର ଏକ ନଗ୍ନ ନମୁନା ଦେଖାଯାଇଛି ଖୋଦ୍‍ ଫୁଲବାଣୀ ସହରରେ । ଜିଲାପାଳଙ୍କ କାର୍ଯ୍ୟାଳୟ ଓ ବାସଭବନ ନିକଟରେ କଟକଣାକୁ ସଂପୂର୍ଣ୍ଣଭାବେ ଫୁ କରାଯାଇଥିବା ଦେଖାଯାଇଛି । ସ୍ଥାନୀୟ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ କିଛି ଦିନ ହେଲା ଜିଲାର ଶ୍ରମିକ ମାନଙ୍କର ଦେଖାଯାଇଛି ଅହେତୁକ ଭିଡ଼ । ସେମାନେ ନିଜ ନିଜର ଶ୍ରମିକ କାର୍ଡ କୁ ରିନ୍ୟୁ କରିବାକୁ ଆସୁଛନ୍ତି। ଏକାଥରେ ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ଶ୍ରମିକ ମାନେ ଏକାଥରେ ଆସି ଅଫିସ ଆଗରେ ଯେଉଁଭଳି ଭାବେ ଭିଡ଼ ଜମାଉଛନ୍ତି ସତେ ଯେପରି ପ୍ରଶାସନିକ ସ୍ତରରେ ହିଁ କରୋନାକୁ ନିମନ୍ତ୍ରଣ କରାଯାଉଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ଯେଉଁ ଶହ ଶହ ହିତାଧିକାରୀ ମାନେ ଆସୁଛନ୍ତି ସେମାନଙ୍କ ମୁହଁରେ ମାସ୍କ କିମ୍ବା ସେମାନଙ୍କ ମଧ୍ୟରେ ରହୁନି ସାମାଜିକ ଦୁରତା। ମୁଖ୍ୟ ରାସ୍ତାଠାରୁ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲମ୍ବୁଛି ଲାଇନ୍‍ । ଏହାକୁ ଆକଟ କରିବା ପାଇଁ କେହି ମଧ୍ୟ ସେଠାରେ ଉପସ୍ଥିତ ରହୁନଥିବାର ଦେଖା ଯାଇଛି । ଏଣେ ଜିଲ୍ଲା ପ୍ରଶାସନ ତରଫରୁ କୋଭିଡ ସଂକ୍ରମଣକୁ ନେଇ ସମସ୍ତ ସତର୍କତାକୁ କଡାକଡି ଭାବରେ ମାନିବାକୁ ଲୋକଙ୍କୁ ନିର୍ଦ୍ଧେଶ ଦେଇଛନ୍ତି। ସେଥିପାଇଁ ଚଳିତ କାର୍ତିକ ମାସରେ ମଧ୍ୟ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଏବଂ ଦିଅଁ ଦର୍ଶନ ବାରଣ କରାଯାଇଛି । ଏଣେ ଜିଲ୍ଲାର ଗ୍ରାମାଂଚଳରୁ ଆସୁଥିବା ଶତାଧିକ ଶ୍ରମିକ ମାନଙ୍କୁ ଏହି ନିୟମ ସଂପର୍କରେ ଖୋଦ୍‍ ବିଭାଗ ପକ୍ଷରୁ ସଚେତନ କରାନଯିବା ସମସ୍ତଙ୍କୁ ଆଶ୍ଚାର୍ଯ୍ୟ କରିଛି । ଶ୍ରମିକ ମାନେ ସେଠାରେ ଏଭଳି ଅବସ୍ଥାରେ ଭିଡ଼ କରୁଥିବା ବେଳେ ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉ ନାହିଁ। ସେଥିପାଇଁ ଆଜି ଶ୍ରମ କାର୍ଯ୍ୟାଳୟକୁ ଯାଇଥିବା କୋଭିଡ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମାନଙ୍କୁ ମଧ୍ୟ ସେଠାରୁ ଆତଙ୍କିତ ହୋଇ ଫେରିବାର ଦେଖାଯାଇଛି । ତେବେ ଜିଲାର ୩ଟି ବ୍ଳକର ଶ୍ରମିକ ମାନେ ସେମାନଙ୍କର ରିନ୍ୟୁ କରିବା ପାଇଁ ଆସିଥିବା ବେଳେ ଏ ସଂପର୍କରେ ଜିଲା ଶ୍ରମ କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଏନେଇ ପଚାରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ୍‍ ଉଠାଇ ନଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ