ଧାନ କିଣାରେ ଖିଲାପ ଅଭିଯୋଗ : ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ୍
ବାଲେଶ୍ୱର,(ଓ୍ବାଇଏନ୍ଏସ୍): ଧାନ କିଣାରେ ଖିଲାପ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ଚଣ୍ଡିଘର ପ୍ରାଥମିକ କୃଷି ସମବାୟ ସମିତି ଲିଃ.ର ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଗତ ଡିସେମ୍ବର ୨ ତାରିଖରୁ ଧାନ କ୍ରୟ ଆରମ୍ଭ କରିବା ପାଇଁ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତି ନିଆଯାଇଥିଲା । ତେବେ ଚାଷୀମାନଙ୍କର ଟୋକନ ଥିଲେ ମଧ୍ୟ ଚଣ୍ଡିଘର କୃଷି ସମବାୟ ସମିତି ପକ୍ଷରୁ ଧାନ କିଣା ହୋଇପାରି ନ ଥିବା ଜଣାପଡିଛି । ଡିସେମ୍ବର ୨, ୪, ୭, ୯ ଓ ୧୧ତାରିଖ ଦିନ ଧାନ ବିକ୍ରି ପାଇଁ ଯେଉଁ ଚାଷୀମାନଙ୍କୁ ଟୋକନ ମିଳିଥିଲା ସେମାନଙ୍କ ପାଖରୁ ଧାନ କିଣା ହୋଇ ପାରି ନାହିଁ । ଫଳରେ ୯୫ଜଣ ଚାଷୀ ନିର୍ଦ୍ଧାରିତ ଦିନରେ ସେମାନଙ୍କ ଧାନ ବିକ୍ରି କରିବାରୁ ବଂଚିତ ହୋଇଛନ୍ତି । ଏ ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଦ୍ୱାରା ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀଙ୍କୁ ରିପୋର୍ଟ ପ୍ରଦାନ କରାଯିବା ପରେ ଜିଲ୍ଲାପାଳ ଏ ସଂକ୍ରାନ୍ତରେ ସମିତି ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ ଡି.ଆର.ସି.ଏସ.(ସମବାୟ ସମିତି ଉପନିବନ୍ଧକ), ବାଲେଶ୍ୱର ଶ୍ରୀ ପି.କେ.ମହାନ୍ତି ଚଣ୍ଡିଘର ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକ ଶ୍ରୀ ରବିନାରୟଣ ବାରିକଙ୍କୁ ୨୪ ଘଂଟା ମଧ୍ୟରେ କାରଣ ଦର୍ଶାଇବା ପାଇଁ ନୋଟିସ୍ ପ୍ରଦାନ କରିଛନ୍ତି । ୨୪ ଘଂଟା ମଧ୍ୟରେ କାରଣ ଦର୍ଶାଇବାରେ ଅକ୍ଷମ ହେଲେ ତାଙ୍କ ବିରୁଦ୍ଧରେ ନିୟମାନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଏଥି ସହିତ ସରକାରୀ ନୀତି ନିୟମ ଅନୁଯାୟୀ ଧାନ ମଣ୍ଡି ଖୋଲା ରଖିବା ସହିତ ନିର୍ଦ୍ଧାରିତ ଦିନରେ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଜିଲ୍ଲାର ସମସ୍ତ ପ୍ରାଥମିକ କୃଷି ସମବାୟ ସମିତିଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ।


