ପରୀକୁ ନ୍ୟାୟ ପାଇଁ ପଦଯାତ୍ରା
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ବଳଦେବ ଜୀଉ ମଣ୍ଡଳ ପକ୍ଷରୁ ପରୀକୁ ନ୍ୟାୟ ପାଇଁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପଦଯାତ୍ରାରେ ବିଜେପି ନେତା ଓ କର୍ମୀଙ୍କ ସହିତ ସ୍ଥାନୀୟ ଅଞ୍ଚଳର ଲୋକମାନେ ଯୋଗଦେଇଥିଲେ । ଷୋଳମପୁର ପଞ୍ଚାୟତ ବିରୋଳି ଠାରୁ ପଦଯାତ୍ରା ବାହାରି ଷଠଗାଁ, ମୁଢାପଦା, ଦାଣ୍ଡକୂଳ, ଷୋଳମପୁର, ଖପୁରିଆପଦା, ମଣିନାଥପୁର, ନୂଆପଡା ପ୍ରମୁଖ ଗ୍ରାମ ପରିକ୍ରମା କରିଥିଲା । ପରେ ଖୋଳାମୁହଁ ଠାରେ ପରୀକୁ ନ୍ୟାୟ ପାଇଁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ମଣ୍ଡଳ ସଭାପତି ମୁକୁନ୍ଦ ଚରଣ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଜେପି ନେତା ବଦ୍ରୀନାରାୟଣ ଧଳ ଯୋଗଦେଇ ପରୀକୁ ନ୍ୟାୟ ପ୍ରଦାନ ସହିତ ମନ୍ତ୍ରୀ ଅରୁଣ ସାହୁଙ୍କୁ ବରଖାସ୍ତ କରିବା ପାଇଁ ଦାବି କରିଥିଲେ । ଏହା ସହିତ ପରୀ ମୃତ୍ୟୁର ତଦନ୍ତ ଭାର ସିବିଆଇକୁ ଦେବା ପାଇଁ ଶ୍ରୀଧଳ ବକ୍ତବ୍ୟ ମାଧ୍ୟମରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ଅବସରପ୍ରାପ୍ତ ଶିକ୍ଷକ ଭୀମସେନ ନାୟକ, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଅମୂଲ୍ୟ ସେଠୀ, ରବିନାରାୟଣ ସାହୁ, ଅବିନାଶ ନାୟକ, ଦେବାଶିଷ ପଣ୍ଡା, ରାମଚନ୍ଦ୍ର ମହାଳିକ, ଦୁର୍ଯ୍ୟୋଧନ ଦାସ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ଏହି ଅବସରରେ ବିରୋଳି, ନୂଆପଡା ଓ ଷୋଳମପୁର ଗ୍ରାମର ୪୦ରୁ ଅଧିକ ଗ୍ରାମବାସୀ ଅନ୍ୟଦଳ ପରିତ୍ୟାଗ କରି ବିଜେପି ଦଳରେ ସାମିଲ ହୋଇଥିଲେ । ଆୟୋଜିତ କାର୍ଯ୍ୟକ୍ରମକୁ ଷୋଳମପୁର ବିଜେପି ସଦସ୍ୟ ମାନେ ପରିଚାଳନା କରିଥିଲେ ।


