ଦୁର୍ନୀତି ପ୍ରତିବାଦରେ ସିପିଆଇ ପକ୍ଷରୁ ବ୍ଲକ ସମ୍ମୁଖରେ ଅନଶନ
ବନ୍ତ, (ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁପକ୍କାଘର ପ୍ରଦାନରେ ବ୍ୟାପକ ହେରଫେର କରିବା, ଉପଯୁକ୍ତ ହିତାଧିକାରୀଙ୍କୁ ବାଦ ଦିଆଯାଇ ସ୍ୱଚ୍ଛଳବର୍ଗର ଲୋକଙ୍କୁ ଘର ପ୍ରଦାନ କରାଯାଇ ଅର୍ଥ ଆତ୍ମସାତ କରିବା, ବ୍ୟକ୍ତିଗତ ଜାଗାରେ କଂକ୍ରିଟ୍ ରାସ୍ତା ନିର୍ମାଣ କରିବା, ଏସ.ଇ.ସି.ସି ତାଲିକାରେ ଗରିବ ଲୋକଙ୍କୁ ବାଦ ଦିଆଯାଇ ଅନୁପଯୁକ୍ତ ଲୋକଙ୍କୁ ତାଲିକାରେ ସଂଯୁକ୍ତ କରିବା, ସାମାଜିକ ସୁରକ୍ଷା ଯୋଜନା, ଉନ୍ନୟନ ମୂଳକ କାର୍ଯ୍ୟରେ ଉଦ୍ଦେଶ୍ୟ ମୂଳକ ଭାବେ ଗରିବ ଲୋକଙ୍କୁ ବାଦ ଦିଆଯାଇଛି । ଏହାର ପ୍ରତିବାଦରେ ରାମଚନ୍ଦ୍ରପୁର ସିପିଆଇ ଶାଖା କମିଟି ପକ୍ଷରୁ ବ୍ଲକ ସମ୍ମୁଖରେ ବୁଧବାର ଠାରୁ ଆମରଣ ଅନଶନ ଆରମ୍ଭ ହୋଇଛି । ଅନଶନ ପୂର୍ବରୁ ବନ୍ତ ସିପିଆଇ କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବାହାରି ବ୍ଲକ ଅଫିସ ନିକଟରେ ପହଞ୍ôଚ ଥିଲା । ଅନୁଷ୍ଠିତ ପ୍ରତିବାଦ ସଭାରେ ଜିଲା ସିପିଆଇ ସମ୍ପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ବରିଷ୍ଠ ସିପିଆଇ ନେତା ଗୋପବନ୍ଧୁ ସେଠୀ, ସିପିଆଇ ଜୋନ୍ ସମ୍ପାଦକ ରମେଶ ଜେନା, ଆଇନଜୀବି ପରମେଶ୍ୱର ବାରିକ, କୃଷକ ନେତା ଫକୀର ଚରଣ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ପ୍ରଶାସନିକ ଅଧିକାରୀଙ୍କ ମନୋମୁଖୀ କାର୍ଯ୍ୟ ବିରୁଦ୍ଧରେ ବିଷେଦଗାର କରିଥିଲେ । ଅନଶନରେ ସୁରେନ୍ଦ୍ର ବାରିକ, ଗୌରାଙ୍ଗ ସାହୁ, ରାଜକିଶୋର ଜେନା, ମାୟାଧର ସାହୁ, ତପନ ଜେନା, ଗୁଣବନ୍ଧୁ ଜେନା ଅନଶନରେ ବସିଛନ୍ତି । ସେମାନଙ୍କୁ ସମର୍ଥନ କରି ବହୁ ସାଥୀସମର୍ଥକ ମାନେ ଅନଶନସ୍ଥଳରେ ଉପସ୍ଥିତ ଅଛନ୍ତି । ଶୋଭାଯାତ୍ରା ଓ ଅନଶନରେ ମନ୍ଦାକିନୀ ସ୍ୱାଇଁ, ଅହଲ୍ୟା ମହାକୁଡ, ଉଷାରାଣୀ ବେହେରା, ସ୍ୱର୍ଣ୍ଣଲତା ଖିଲାର, ସନାତନ ସାହୁ, ଅଭିମନ୍ୟୁ ଜେନା, ଜୟନ୍ତ ଜେନା, ମାର୍କଣ୍ଡ ବାରିକ, ପବିତ୍ର ସେଠୀ, ହଳଧର ସ୍ୱାଇଁ, କିଶୋର ବିଶ୍ୱାଳ, କିଶୋର ବେହେରା, ରବିନ୍ଦ୍ର ତରେଇ, ନୃସିଂହ ଦାସ, ପର୍ଶୁରାମ ସ୍ୱାଇଁ, ଉମାକାନ୍ତ ମହାପାତ୍ର, କୈଳାସ ଜେନା, ସେଖ୍ ସମୁଙ୍କ ସମେତ ଅନ୍ୟ ମାନେ ଯୋଗ ଦେଇଛନ୍ତି । ଉପରୋକ୍ତ ସମସ୍ୟାର ସ୍ଥାୟୀ ସମାଧାନ ନହେବା ଯାଏ ଅନଶନ ଜାରି ରହିବ ବୋଲି ଅନଶନକାରୀ ମାନେ କହିଛନ୍ତି । ଖବରଲେଖା ହେବା ପର୍ଯ୍ୟନ୍ତ ଉଚ୍ଚ ଅଧିକାରୀ ମାନେ ସେଠାରେ ପହଞ୍ôଚ ନଥିବାର ଜଣାଯାଇଛି ।


