ବାଲେଶ୍ୱରରେ ଫକୀରମୋହନ ଜୟନ୍ତୀ ଉତ୍ସବ ଉଦ୍‌ଘାଟିତ

ବାଲେଶ୍ୱର,(ଓ୍ବାଇଏନ୍ଏସ୍): ସାରସ୍ୱତ ଅନୁଷ୍ଠାନ ଫକୀର ମୋହନ ସାହିତ୍ୟ ପରିଷଦ ଓ ବାଲେଶ୍ୱର ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୭୯ତମ ଜୟନ୍ତୀ ଉତ୍ସବ ସହରର କବିତୀର୍ଥ ଶାନ୍ତିକାନନ ପରିସରରେ ଆଜି ଉଦ୍‌ଘାଟିତ ହୋଇଯାଇଛି । ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତୀ ଏହି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ତତ୍କାଳୀନ ସାମାଜିକ ବ୍ୟବସ୍ଥାର ଜଳଛବିକୁ ନିଜର ସାହିତ୍ୟରେ ବ୍ୟାସକବି ସ୍ଥାନୀତ କରିପାରିଥିଲେ ବୋଲି କହିଥିଲେ । ଜଣେ ଦୂରଦୃଷ୍ଟି ସମ୍ପନ୍ନ ସାରସ୍ୱତ ସାଧକ ତଥା ପ୍ରଶାସନିକ ବ୍ୟକ୍ତି ଭାବେ ନିଜର ଲେଖନୀ ମାଧ୍ୟମରେ ନାରୀଶିକ୍ଷା ଓ ନାରୀ ସ୍ୱାଧୀନତାକୁ ନେଇ ଫକୀର ମୋହନ ସେତେବେଳେ ଆରମ୍ଭ କରିଥିବା ଅଭିଯାନ ଆଜି ରାଷ୍ଟ୍ରର ସ୍ୱର ହୋଇଛି । ଆଜି ମଧ୍ୟ ସରକାର ‘ବେଟୀ ବଚାଓ ଓ ବେଟୀ ପଢ଼ାଅ’ବାର୍ତାଭିତିକ ବହୁ ଯୋଜନା ପ୍ରଣୟନ କରୁଛନ୍ତି । ଅତଏବ ସମୂହ ସ୍ୱାର୍ଥରକ୍ଷା ନେଇ ବ୍ୟାସକବି ଆରମ୍ଭ କରିଥିବା ଅଭିଯାନ ଓ ତାଙ୍କର ଆଦର୍ଶକୁ ଗ୍ରହଣ ପୂର୍ବକ ସଂସ୍କାରଯୁକ୍ତ ସମାଜ ପ୍ରତିଷ୍ଠା ପାଇଁ ସବୁବର୍ଗର ଲୋକେ ଆଗେଇ ଆସିବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ଆହ୍ୱାନ ଦେଇଥିଲେ । ବିଶିଷ୍ଟ କବି ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ଫନୀ ମହାନ୍ତି ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ କଥାକାର ଫକୀରମୋହନଙ୍କ ସେନାପତିଙ୍କ ବହୁବିଧ ପ୍ରତିଭା ଓ ଓଡ଼ିଆ ଭାଷା ସାହିତ୍ୟକୁ ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି ଉଦବୃତ ବ୍ୟକ୍ତି ଚେତନା ଯେତେବେଳେ ସାମୂହୌିକ ସ୍ତରକୁ ଆସି ବିଶ୍ୱବ୍ରହ୍ମାଣ୍ଡିୟ ଚେତନା ସୃଷ୍ଟିକରେ ସେତେବେଳେ ହିଁ ଚିରନ୍ତନ ସାହିତ୍ୟ ସୃଷ୍ଟି ହୋଇଥାଏ । ତାହାକୁ ହିଁ ପାଠକ ସର୍ବଦା ଗ୍ରହଣ କରିଥା’ନ୍ତି । ଫକୀରମୋହନ ସୃଷ୍ଟି କରିଯାଇଥିବା ଚିରନ୍ତନ ସାହିତ୍ୟ ଆଜି ଅନ୍ୟାନ୍ୟ ସାରସ୍ୱତ ସାଧକଙ୍କ ପାଇଁ ପ୍ରେରଣା ହୋଇପାରିଛି ବୋଲି ଡକ୍ଟର ମହାନ୍ତି କହିଥିଲେ । ଓଡ଼ିଆ ଭାଷା ସାହିତ୍ୟର ଅନ୍ୟତମ ଗବେଷକ ତଥା ବିଶିଷ୍ଟ ପ୍ରାବନ୍ଧିକ ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପ୍ରତ୍ୟେକ ଓଡ଼ିଆ ଫକୀର ମୋହନଙ୍କୁ ନେଇ ଗର୍ବ କରିବା ଉଚିତ ବୋଲି କହିଥିଲେ । ମାତୃଭାଷା ଆମପାଇଁ ସର୍ବଦା ଜାତୀୟ ଭାଷା ସଦୃଶ । ଏହାର ଉନ୍ନତି ପାଇଁ ପ୍ରାଣପାତ କରିବାକୁ ପଡ଼ିଥାଏ ବୋଲି ବ୍ୟାସକବି କହିଥିବା କଥାର ପ୍ରାସଙ୍ଗିକତା ରହିଛି । ତେବେ ଫକୀର ମୋହନଙ୍କୁ ସମସ୍ତେ କଥାକାର ଭାବେ ଗ୍ରହଣ କରିଥିବା ବେଳେ ତାଙ୍କର ବହୁ କବିତ୍ୱ କୃତି ଏବେ ବି ଅନାଲୋଚିତ ହୋଇ ରହିଯାଇଛି ବୋଲି ଡକ୍ଟର ପଟ୍ଟନାୟକ ମତ ପ୍ରକାଶ କରିଥିଲେ । ଏନେଇ ଅଧିକରୁ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଫକୀର ମୋହନ ସାହିତ୍ୟ ପରିଷଦର ସଭାପତି ଡକ୍ଟର ଶିରୀଶ ଚନ୍ଦ୍ର ଜେନା ଏଥିରେ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ଡାକ୍ତର କୁମାର ଗୋପାଲ ପ୍ରାରମ୍ଭିକ ସୂଚନା ସହ ବିବରଣୀ ଉପସ୍ଥାପନ କରିଥିଲେ । ପରିଷଦର ଯୁଗ୍ମ ସମ୍ପାଦକ ଡକ୍ଟର ସାରଙ୍ଗଧର ତ୍ରିପାଠୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପରିଷଦର ମୁଖପତ୍ର “ସାହିତ୍ୟ ବାହିକା”, ପ୍ରମିଳା ଶତପଥୀଙ୍କର କବିତା ଗ୍ରନ୍ଥ “ପଦେ ଦି’ପଦ” ଓ ଡକ୍ଟର ହରିଶ୍ଚନ୍ଦ୍ର ବେହେରାଙ୍କ “ମେଷପାଳକର ଗୀତ” ପ୍ରଭୃତି ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏଥି ସହିତ ପରିଷଦ ପକ୍ଷରୁ ମୁଖ୍ୟଅତିଥି ଡକ୍ଟର ମହାନ୍ତିଙ୍କୁ ଫକୀର ମୋହନ ସାହିତ୍ୟଶ୍ରୀ ପୁରସ୍କାର, ମୁଖ୍ୟବକ୍ତା ଡକ୍ଟର ପଟ୍ଟନାୟକଙ୍କୁ ଫକୀର ମୋହନ ପ୍ରବନ୍ଧ ସମ୍ମାନ ସମେତ ସାରସ୍ୱତ ସାଧନା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବହୁ ବ୍ୟକ୍ତିବିଶେଷଙ୍କୁ ଏଥିରେ ସମ୍ବର୍ଦ୍ଧିତ କରାଯାଇଥିଲା । ମାନ୍ୟବର ଭୋଗରାଇ ବିଧାୟକ ଓ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ଅନନ୍ତ ଦାସ, ବାଲେଶ୍ୱର ଉପ-ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅନନ୍ତ ପ୍ରସାଦ ସେଠୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ପରିଷଦର ପତାକା ଉତୋଳନ କରାଯିବା ସହ ଶାନ୍ତିକାନନ ପରିସରରେ ଥିବା ବ୍ୟାସକବିଙ୍କ ପ୍ରତିମୂର୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ । ଫକୀରମୋହନ ବନ୍ଦନା ଗାନ ସହ ପରିଷଦର ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା । ଉପ-ସଭାପତି ଶ୍ରୀ ପ୍ରଦୀପ ଚାଟାର୍ଜୀ, ଶ୍ରୀ ଦୀନବନ୍ଧୁ ଲେଙ୍କା, ଯୁଗ୍ମ ସମ୍ପାଦିକା କଲ୍ୟାଣୀ ନନ୍ଦ, କୋଷାଧ୍ୟକ୍ଷ ଶ୍ରୀ ତପନ ରାୟଙ୍କ ସମେତ ପରିଷଦର କାର୍ଯ୍ୟକାରିଣୀ ସଦସ୍ୟ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଡକ୍ଟର ହରିଶ୍ଚନ୍ଦ୍ର ବେହେରା, ଶ୍ରୀ ନିବାରଣ ଜେନା, ଶ୍ରୀମତୀ ମମତା ମହାପାତ୍ର, ଶ୍ରୀମତୀ ଅରୁଣା ରାୟ, ଶ୍ରୀ ରଂଜନ କୁମାର ବାଗ ପ୍ରମୁଖ ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ