ଗଜପତିରେ କରୋନା କଟକଣା;ପୁରାଣ ପ୍ରଖ୍ୟାତ ସୀତାପାହାଡରେ ପ୍ରଥମ ଥର ପାଇଁ ମକରୋତ୍ସବ ବନ୍ଦ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ପ୍ରଶାସନର କରୋନା କଟକଣା ନିର୍ଦ୍ଦେଶ ଯୋଗୁଁ ଏଠାକାର ପୁରାଣ ପ୍ରଖ୍ୟାତ ସୀତାପାହାଡରେ ପ୍ରଥମ ଥର ପାଇଁ ମକରୋତ୍ସବ ବନ୍ଦ ହୋଇଛି । ପ୍ରତ୍ୟେକ ବର୍ଷ ଏଠାରେ ଅତ୍ୟନ୍ତ ଭକ୍ତିପୁତ ଓ ଜାକଜମକରେ ପ୍ରବଳ ଜନଗହଳି ମଧ୍ୟରେ ଚାରିଦିନ ଧରି ମକରୋତ୍ସବ ପାଳନ ହୋଇ ଆସୁଥିଲା । କରୋନା କବଳରୁ ଲୋକଙ୍କୁ ସୁରକ୍ଷା ଦେବାପାଇଁ ହଠାତ୍ ପ୍ରଶାସନର କଟକଣା ନିର୍ଦ୍ଦେଶ ଯୋଗୁଁ ପ୍ରଖ୍ୟାତ ସୀତାପାହାଡରେ ପ୍ରଥମ ଥର ପାଇଁ ମକରୋତ୍ସବ ବନ୍ଦ ହୋଇଛି । ଏଠାକାର ମକରୋତ୍ସବ ଦକ୍ଷିଣ ଓଡିଶା ସମେତ ଆନ୍ଧ୍ରରେ ବେଶ୍ ଲୋକପ୍ରିୟ । କରୋନା କଟକଣା ଓ ମକରୋତ୍ସବ ବନ୍ଦ ଘୋଷଣା ସମସ୍ତଙ୍କ ଠାରେ ପହଞ୍ଚି ନଥିବାରୁ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଏହି ଅଞ୍ଚଳକୁ ଆସିଥିଲେ ସୁଦ୍ଧା ଭଗବାନଙ୍କ ଦର୍ଶନ କିମ୍ବା ମକରୋତ୍ସବରେ ସାମିଲ ହୋଇନପାରି ନିରାଶ ହୋଇ ଫେରି ଯାଇଥିବା ଲକ୍ଷ୍ୟ କରାଯାଇଛି । ପୁରାଣାନୁଯାୟୀ ବିଶ୍ୱାସ ରହିଛି,ପ୍ରଭୂ ରାମଚନ୍ଦ୍ର,ଦେବୀ ସୀତା ଓ ଲକ୍ଷ୍ମଣ ବନବାସ ସାରି ଅଯୋଧ୍ୟା ଫେରୁଥିବା ବେଳେ ଏହି ସୀତାପାହାଡରେ ସୀତାଙ୍କ ଋତୁସ୍ରାବ ଯୋଗୁଁ ସମସ୍ତେ କିଛିଦିନ ଅଟକି ରହିଥିଲେ । କିଛିଦିନ ପରେ ସେହି ସମୟରେ ମକର ସଂକ୍ରାନ୍ତି ପଡିବାରୁ ସୀତା ଦେବୀଙ୍କ ଅନୁରୋଧ କ୍ରମେ ସେଠାରେ ମକରୋତ୍ସବ ପାଳନ ସହ ପୂଜାପାଠ,ହୋମ ଯଜ୍ଞ ଆଦି କରାଯିବା ପରେ ସେଠାରୁ ପ୍ରଭୂ ରାମଚନ୍ଦ୍ର,ଦେବୀ ସୀତା ଓ ଲକ୍ଷ୍ମଣ ବନବାସ ସାରି ଅଯୋଧ୍ୟା ଫେରିଥିଲେ । ଏହି ବିଶ୍ୱାସକୁ ନେଇ ସେହିଦିନ ଠାରୁ ଏଠାରେ ମକରମେଳା ପାଳନ କରାଯାଉଛି ।


