ନାଉଗାଁ ବ୍ଳକରେ ପୂର୍ତ ବିଭାଗ ଦ୍ୱାରା ଚାଲିଛି ରାସ୍ତା ସଂପ୍ରସାରଣ କାର୍ଯ୍ୟ;ଯନ୍ତ୍ରୀଙ୍କ ଅନୁପସ୍ଥିତିରେ କାର୍ଯ୍ୟ ତଦାରଖ କରୁଛନ୍ତି ଖଲାସି
ନାଉଗାଁ,(ଓ୍ବାଇଏନ୍ଏସ୍): ପୂର୍ତ ବିଭାଗ ଦ୍ୱାରା ୨୦୨୦-୨୧ ଆର୍ଥିକ ବର୍ଷରେ ନାଉଗାଁ ବ୍ଳକରେ ରାସ୍ତା ସଂପ୍ରସାରଣ କାର୍ଯ୍ୟ କରାଯାଉଛି । ଏହି ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏସଂକ୍ରାନ୍ତରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦ୍ୟସ ପ୍ରତାପ ମିଶ୍ର ଟୁଇଟ ମାଧ୍ୟମରେ ୪ ଫେବୃଆରୀ ୨୦୨୧ରେ ଓଡିଶାର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ,ଜଗତସିଂହପୁର ଜିଲ୍ଲାପାଳ ଆଦିଙ୍କୁ ଜଣାଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ରାସ୍ତା ସଂପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଅନୁପସ୍ଥିତ ରହିଥିବା ବେଳେ ଅଧିକାଂଶ କାର୍ଯ୍ୟ ବିଭାଗର ଖଲାସୀମାନେ ତଦାରଖ କରୁଥିବା ଦେଖାଯାଇଛି ।ସୂଚନାନୁଯାୟୀ ଏହି ବ୍ଳକର ନାଉଗାଁ ବ୍ଳକ ଛକ ଠାରୁ କଂଟୁଣିଆହାଟ ୫ କିମି,ନାଉଗାଁ ଠାରୁ ଅରଖକୁଦ ୫କିମି, କୋକିଢିହ ଠାରୁ ତେଲସରା ୧୧କିମି, ଅଲଣାହାଟ ଠାରୁ କୁଣ୍ଡେଶ୍ୱର ୪କିମି ରାସ୍ତା ସଂପ୍ରସାରଣ କରାଯାଉଛି । ପୂର୍ତ ବିଭାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁଯାୟୀ ରାସ୍ତାର ଉଭୟ ପାଶ୍ୱର୍ ସଂପ୍ରସାରଣ କରାଯିବ । ଗୋଟିଏ ଲେଖାଁଏ ପାଶ୍ୱର୍ ୧ମିଟର ଲେଖାଁଏ ଚଉଡା କରାଯିବ । ଉକ୍ତ ୧ମିଟରକୁ ୧୬ ଇଂଚ ଗଭୀର କରାଯିବ । ଉକ୍ତ ୧୬ ଇଂଚରେ ୬ ଇଂଚ ବାଲି, ୪ ଇଂଚ ମେଟାଲ ,୬ ଇଂଚ ଚିପସ ପକାଯାଇ କଂକ୍ରିଟ କାର୍ଯ୍ୟ କରାଯିବ । ପ୍ରଥମେ ବାଲି ଫିଲଙ୍ଗ କରାଯାଇ ପାଣି ଭର୍ତି କରାଯିବ । ପାଣି ଫିଲଙ୍ଗ ପରେ ୬ ଇଚ ବାଲି ରହିଲେ ତା ଉପରେ ମେଟାଲ ପକାଯିବ । ଉକ୍ତ ମେଟାଲ କ୍ରସର ମେଟାଲ (୪୦ ସାଇଜି) ହୋଇଥିବା ଆବଶ୍ୟକ । କିନ୍ତୁ ଠିକାଦାରମାନେ ୧୨ ଇଂଚ ଗଭୀର କରୁଥିବା ବେଳେ ହାତ ବାଡିଆ ମେଟାଲ ଆବଶ୍ୟକ ସାଇଜ ଠାରୁ ଅତ୍ୟଧିକ ସାଇଜ ପକାଉଥିବା ଦେଖାଯାଉଛି । ସେହିପରି ନାମକୁ ମାତ୍ର ବାଲିରେ ପାଣି ପକାଉଥିବା ବେଳେ ମାତ୍ର ୩ ଇଂଚର ଚିପସ ପକାଯାଉଥିବା ଦେଖାଯାଉଛି । ରାସ୍ତା ନିର୍ମାଣ ସମୟରେ ଠିକ ଭାଗ, ମାପର ସାମଗ୍ରୀ ଦିଆଯାଉ ନଥିବାରୁ ରାସ୍ତାର ସ୍ଥାୟୀତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରିକି ଉକ୍ତ ରାସ୍ତାରେ ଭାରିଯାନ ଯିବା ଆସିବା ଫଳରେ ରାସ୍ତା ଦବି ଅଳ୍ପ ଦିନ ମଧ୍ୟରେ ଫାଟି ଯିବାର ଆଶଙ୍କା ରହିଛି । ରାସ୍ତା କାର୍ଯ୍ୟ ଠିକ ଭାବେ ତଦାରଖ ହେଉ ନଥିବା ବେଳେ ନିମ୍ନମାନର କାର୍ଯ୍ୟ ଯୋଗୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି । ଏସଂକ୍ରାନ୍ତରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ରମେଶ ମିଶ୍ରଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।