ଖଣିଜ ଚୋରିକରି ଚମ୍ପଟ ମାରୁଥିବା ବେଳେ ୨ ଟ୍ରକ ଓ ଗୋଟିଏ ବୋଲେରୋ କୁ ଧରିଲା ପୋଲିସ୍‌

ଯୋଡା, (ସମୀର କୁମାର ଦାସ):ବାମେବାରୀ ଥାନା ଅନ୍ତର୍ଗତ ଜରିବାହାଲ ସ୍ଥିତ କାସ୍‌ଭି ଲୌହ ଓ ମାଙ୍ଗାନିଜ ଖଣିରେ ୨ଟି ଟ୍ରକ ଓ ୧ଟି ବୋଲେରୋ ଜୋର୍ ଜବରଦସ୍ତ ପଶି ଲୁହାପଥର ବୋଝେଇ କରି ଫେରାର୍ ହୋଇଯାଉଥିବା ବାମେବାରୀ ଥାନାରେ ଅଭିଯୋଗ ହୋଇଛି । ବାମେବାରୀ ଥାନା ଆଇଆଇସି ରାଜେନ୍ଦ୍ର କୁମାର ସ୍ୱାଇଁ ସୂଚନାଦେଇ କହିଛନ୍ତି ଯେ, କମ୍ପାନୀ ପକ୍ଷରୁ ୨ଟି ଟ୍ରକ୍ ଓ ୧ଟି ବୋଲେରୋ ରବିବାର ଭୋର୍ ସମୟରେ ଅନଧିକାର ପ୍ରବେଶ କରି ଖଣିଜ ବୋଝେଇ କରି ଫେରାର୍ ହୋଇଯାଉଥିବା ଖବର ପୋଲିସ୍ କୁ ଦିଆଯାଇଥିଲା । ପୋଲିସ୍ ଖବର ପାଇ ସଦଳବଳେ ଉକ୍ତ ଟ୍ରକ୍ ଓ ବୋଲେରକୁ ଧରିବାରେ ସଫଳ ହୋଇଥିଲା । ଟ୍ରକ ଦ୍ୱୟର ନଂ- ଓଡି ୧୪ ଏଚ୍ ୫୫୧୮, ଓଡି ୧୪ ଏଲ୍ ୧୬୩୮ ଓ ଏଥିରେ ସହଯୋଗ କରିଥିବା ବୋଲେରୋ ନଂ- ଓଡି ୦୯ କେ ୫୭୧୮ କୁ ଜବତ କରିଥିଲା । ଏହି ଚଢାଉ ବେଳେ ଟ୍ରକ ଡ୍ରାଇଭର ଓ ବୋଲେର ଡ୍ରାଇଭର ଖସି ପଳାଇଯାଇଥିଲେ । ଏ ନେଇ ବାମେବାରୀ ଥାନାରେ କେସ ନଂ-୧୯/୨୦୨୧ ରୁଜୁ ହୋଇଥିବା ଆଇଆଇସି ସ୍ୱାଇଁ କହିଛନ୍ତି । ତେଣେ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜଣାପଡିଛି ଯେ, କାଶ୍‌ଭି ଖଣିର କିଛି ଅସାଧୁ କର୍ମଚାରୀ ଏଥିରେ ସମ୍ପୃକ୍ତ ଅଛନ୍ତି । କାରଣ ଦୀର୍ଘ ସମୟ ଧରି ଖଣିରେ ଅନଧିକାର ପ୍ରବେଶ କରି ଖଣିଜ ବୋଝେଇ କରି ଟ୍ରକ୍ ଦ୍ୱୟ ଖଣିର ସୁରକ୍ଷାକୁ ଭେଦ କରି ଗଲେ କିପରି ଏବଂ ଖଣି କମ୍ପାନୀ ପାଖରେ ପର୍ଯ୍ୟାପ୍ତ ସମୟ ଥାଇ ମଧ୍ୟ, ପୋଲିସ୍‌କୁ ବିଳମ୍ବରେ କାହିଁକି ସୂଚନା ଦିଆଗଲା । ସ୍ଥାନୀୟ କିଛି ଜନସାଧାରଣ ନାମକୁ ଗୋପନରେ ରଖି କହିଛନ୍ତି ଯେ, ଖଣିରୁ ପ୍ରାୟତଃ ଏହିପରି କାର୍ଯ୍ୟ ହେଉଛି । ଏହାର ଏକ ନିରପେକ୍ଷ ତଦନ୍ତ ଖଣିବିଭାଗ ଦ୍ୱାରା କରାଗଲେ ଅନେକ ତଥ୍ୟ ଲୋକ ଲୋଚନକୁ ଆସିପାରିବ । ସୂଚନାଯୋଗ୍ୟ ଯେ, କାଶ୍‌ଭି ଖଣି ଖଣିନିଲାମ ମାଧ୍ୟମରେ ଖଣିଜ ବିକ୍ରି ମୂଲ୍ୟର ଶତକଡା ପ୍ରାୟ ୧୫୦ ପ୍ରତିଶତ ରାଜସ୍ୱ ନିଲାମ ଡାକ ଦେଇ ଖଣି ହାତେଇଥିଲା । ଏ ସମ୍ପର୍କରେ କାଶ୍‌ଭି ଖଣି କମ୍ପାନୀର ମାନବ ସମ୍ବଳ ଅଧିକାରୀ ଅନୁପ ରଥ ସ୍ପଷ୍ଟିକରଣ ଦେଇ କହିଛନ୍ତି ଯେ, ଉକ୍ତ ଟ୍ରକ୍ ଦ୍ୱୟ ଡେଲିଭରି ଅର୍ଡର ନେଇ ଖଣି ମଧ୍ୟକୁ ପ୍ରବେଶ କରି ଖଣିଜ ବୋଝେଇ କରିଥିଲେ ଏବଂ ପରେ ଓଜନ କନ୍‌ଟା କୁ ନଯାଇ ସିଧାସଳଖ ଖଣିଗେଟ୍ ରୁ ବାହାରିବା ପାଇଁ ଉଦ୍ୟମ କରୁଥିବା ବେଳେ ଖଣି ସୁରକ୍ଷା କର୍ମୀ ଗାଡି ଗୁଡିକୁ ଅଟକାଇ ଥାନାକୁ ଖବର ଦେଇଥିଲେ । ସୁରକ୍ଷା କର୍ମୀମାନେ ଟ୍ରକ ଓ ବୋଲେରର ଡ୍ରାଇଭର ମାନଙ୍କୁ ଅଟକ ରଖି ପୋଲିସ୍‌କୁ ଖବର ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ