ବାଲିଆରେ ଦୋଳରେ ଛାମୁମେଲଣ ପାଇଁ ଅନୁମତି ନିମନ୍ତେ ଜିଲ୍ଲାପାଳଙ୍କୁ ନିବେଦନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତ ଅଧିନ ବାଲିଆ ମେଲଣ ପଡିଆରେ ବହୁବର୍ଷ ଧରି ଚାଲି ଆସୁଥିବା ଛାମୁ ମେଲଣ ନିମନ୍ତେ ଅନୁମତି ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ମେଲଣ ପରିଚାଳନା କମିଟି ପକ୍ଷରୁ ନିବେଦନ କରାଯାଇଛି । ଚଳିତବର୍ଷର ଦୋଳ ମେଲଣ ଆସନ୍ତା ୨୪ତାରିଖରୁ ଆରମ୍ଭ ହୋଇ ଅପ୍ରେଲମାସ ୨ତାରିଖ ପଂଚମୀ ତିଥିରେ ପବିତ୍ର ଛାମୁ ମେଲଣ ଅନୁଷ୍ଠିତ ହେବ । ତେଣୁ ଏହିସବୁ ମେଲଣ ଗୁଡିକର ସୁପରିଚାଳନା ନିମନ୍ତେ ସରକାରଙ୍କ କୋଭିଡ-୧୯ ମାର୍ଗଦର୍ଶିକା ଅନୁସରଣ ପୂର୍ବକ ସମ୍ପୂର୍ଣ୍ଣ କରାଯିବାକୁ ସ୍ଥିର କରାଯାଇଛି । ମେଲଣ ସମୟରେ ପାରମ୍ପରିକ ଝାଞ୍ଜ, ମୃଦଙ୍ଗ ବଜାଇ କୀର୍ତ୍ତନ କରାଯିବା ସହ ଦେଶୀୟ ଢୋଲବାଦ୍ୟ ବଜାଇ ଠାକୁରଙ୍କୁ ମେଲଣକୁ ନିଆଯିବାକୁ ସ୍ଥିର କରାଯାଇଛି । ତେଣୁ ଏହି ମେଲଣ ନିମନ୍ତେ ପ୍ରଶାସନିକ ଅନୁମତି ଯଥେଷ୍ଟ ପୂର୍ବରୁ ପ୍ରଦାନ କରାଗଲେ ମେଲଣ ପାଇଁ ଆବଶ୍ୟକ ଗୋପାଳ, ନାବିମତ ଓ ବାଜାବାଲା ପ୍ରଭୃତିଙ୍କୁ ଅଗ୍ରୀମ ଦିଆଯାଇ ମେଲଣ ସଠିକ ତିଥିରେ ଅନୁଷ୍ଠିତ ହୋଇପାରିବ ବୋଲି ମେଲଣ ପରିଚାଳନା କମିଟି ସଭାପତି ଡା. ବିଶ୍ୱପ୍ରକାଶ କାନୁନଗୋ, ସମ୍ପାଦକ ଦେବକୀନନ୍ଦନ ମିଶ୍ର, ଅନନ୍ତ ଚରଣ ପାତ୍ର, କଣ୍ଡୁରୀ ଚରଣ ପାତ୍ର, ଦୟାନିଧି ଦାସ, ଶାରଦା ପ୍ରସାଦ ମିଶ୍ର ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ