୧୮ତମ ଜାତୀୟ ନାଟକ ମହୋତ୍ସବ କ୍ୟାନ୍ଫେଷ୍ଟ-୨୦୨୧ ଉଦ୍ଘାଟିତ
ପାରାଦ୍ୱୀପ (ପୀତବାସ ପ୍ରଧାନ): ୧୮ତମ ଜାତୀୟ ନାଟକ ମହୋତ୍ସବ-୨୦୨୧ ମାର୍ଚ୍ଚ ୫ତାରିଖ ଶୁକ୍ରବାର ସଂନ୍ଧ୍ୟାରେ ପାରାଦ୍ୱୀପର ଜୟଦେବ ସଦନ ଠାରେ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ବନ୍ଦର ଉପାଧ୍ୟକ୍ଷ ଆଶିଷ କୁମାର ବୋଷ ମୁଖ୍ୟ ଅତିଥି ରୁପେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହି ମହୋତ୍ସବକୁ ଉଦ୍ଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଇଫକୋ ବରିଷ୍ଠ ପ୍ରବନ୍ଧକ(ଅର୍ଥ) ସୁରେଶ ଗୋଏଲ୍ ଓ କ୍ୟାନ୍ମାସ୍ ସଭାପତି ଅତୁଲ୍ୟ କୁମାର ମହାପାତ୍ର ଅତିଥି ଭାବେ ଯୋଗଦେଇ ଏହି ଉଦ୍ଘାଟନୀ ସମାରୋହରେ ଅଂଶଗ୍ରହଣ କରିଥିଲେ । ପାରାଦ୍ୱୀପ ତଥା ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘କ୍ୟାନମାସ୍’ ସଂସ୍ଥା ଦ୍ୱାରା ଆୟୋଜିତ ଏହି ମହୋତ୍ସବରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରତିଷ୍ଠିତ ନାଟ୍ୟ ସଂସ୍ଥା ଓ ଏହାର କଳାକାର ମାନେ ଏଥିରେ ନିଜର ନାଟ୍ୟ କଳା ଉପସ୍ଥାପିତ କରିବେ । କେନ୍ଦ୍ର ସାଂସ୍କୃତିକ ମନ୍ତ୍ରଣାଳୟ, ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ, କଲିକତାର ଏନ୍ଇଜେଡ୍ସିସି, ପାରାଦ୍ୱୀପ ବନ୍ଦର, ଆଇଓସିଏଲ ପାରାଦ୍ୱୀପ ତୈଳ ବିଶୋଧନାଗାର, ପାରାଦ୍ୱୀପ ଇଫକୋ ଓ ମିଡିଆ ପାର୍ଟନର ପିବିଡି ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୫ରୁ ୧୦ ତାରିଖ ଦୀର୍ଘ ୬ଦିନ ଧରି ଚାଲିବ । ଏହି ସମସ୍ତ କାର୍ଯ୍ୟକ୍ରମ କୋଭିଡ-୧୯ ନିୟମ ଅନୁଶୀଳନ ପୂର୍ବକ କରାଯାଉଛି ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି । ତେବେ ଉଦଘାଟନୀ ସନ୍ଧ୍ୟାରେ ନୂଆଦିଲ୍ଲୀର ଆକ୍ଟର୍ସ ରିପେଟୋରୀ ନାଟ୍ୟ ସଂସ୍ଥା ଦ୍ୱାରା ଅବତାର ସାହାଣୀଙ୍କ ନିର୍ଦ୍ଦେଶିତ “ନାଗିନ୍ ତେରା ବଂଶ୍ ବଢେ” ନାଟକ ମଞ୍ଚସ୍ଥ ହୋଇଥିଲା । ଏହି ମହୋତ୍ସବକୁ କ୍ୟାନ୍ମାସ୍ ସଭାପତି ଅତୁଲ୍ୟ କୁମାର ମହାପାତ୍ର ଓ ସଂପାଦକ ଶ୍ର୍ରୀମନ୍ ନାରାୟଣ ମିଶ୍ର ପରିଚାଳନା କରିଥିବା ବେଳେ ଏହାର ସମସ୍ତ ସଭ୍ୟ ସହଯୋଗ କରୁଥିବା କ୍ୟାନ୍ମାସ ପକ୍ଷରୁ ସୂଚନା ମିଳିଛି ।


