ପାରାଦୀପରେ ରାସ୍ତା ସଫେଇ ପାଇଁ ଜେଏସ୍ଡବ୍ଲୁର ଯାନ୍ତ୍ରୀକ ଯାନ ପ୍ରଦାନ
ପାରାଦୀପ (ପୀତବାସ ପ୍ରଧାନ): ବନ୍ଦର ସହର ପାରାଦୀପରେ ସ୍ୱଚ୍ଛତା, ପରିମଳ ଓ ରାସ୍ତା ସଫେଇ କାର୍ଯ୍ୟକୁ ତ୍ୱରାନ୍ନିତ କରିବା ଉଦ୍ଦେଶ୍ୟରେ ଜେଏସ୍ଡବ୍ଲୁ କମ୍ପାନୀ ପୌର ପାଳିକାକୁ ଏକ ରାସ୍ତା ସଫେଇ ଯନ୍ତ୍ର ଚାଳିତ ଯାନ ପ୍ରଦାନ କରିଛି । ଏହି ଅବସରରେ ସ୍ଥାନୀୟ ଜୟଦେବ ସଦନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ବିନିତ୍ କୁମାର, ଜେଏସ୍ଡବ୍ଲୁ ର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅରୁଣ ମହେଶ୍ୱରୀଙ୍କ ସମେତ ବହୁ ଉଚ୍ଚପଦସ୍ତ ଅଧିକାରୀ ମାନଙ୍କ ଉପସ୍ଥିତିରେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ପତାକା ଦେଖାଇ ଏହି ଯାନର ଶୁଭାରମ୍ଭ କରିଥିଲେ । ଏଠାରେ ସୂଚନା ଥାଉକି, ପାରାଦୀପ ସହରରେ ରାସ୍ତା ସଫେଇ ପାଇଁ ବନ୍ଦର ପ୍ରଶାସନ ପୂର୍ବରୁ ଏହିପରି ଦୁଇଟି ଯାନ୍ତ୍ରୀକ ଯାନ ନିୟୋଜିତ କରିଛି । ତେବେ ପୌର ପାଳିକାକୁ ମିଳିଥିବା ଏହି ଯାନ ପାରାଦୀପରେ ରାସ୍ତା ସଫେଇ କାର୍ଯ୍ୟ କେତେ ପରିମାଣରେ ତ୍ୱରାନ୍ନିତ ଏବଂ ସ୍ୱଚ୍ଛତା କରିପାରିବ ତାହା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲିଟିଛି । ସେହିପରି ଏଲ୍ଆଣ୍ଡଟି ତରଫରୁ ମଧ୍ୟ ଏକ ଆମ୍ବୁଲାନ୍ସ ଜନସାଧାରଣଙ୍କ ସେବା ନିମନ୍ତେ ପୌର ପାଳିକାକୁ ପ୍ରଦାନ କରିଥିବା ଜଣାପଡିଛି ।


