୩୬ଟି ବିଦେଶୀ ମଦ ଦୋକାନ ନିମନ୍ତେ ୧୦୧୭ ଜଣଙ୍କ ଆବେଦନ
ଗଞ୍ଜାମ ଜିଲ୍ଲାପାଳଙ୍କ ଉପସ୍ଥିତିରେ ହେଲା ଲଟେରି ଉଠାଣ
ଛତ୍ରପୁର (ଦେବଦତ୍ତ ମହାରଣା): ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଓ ଗଞ୍ଜାମ ଅବକାରୀ ବିଭାଗର ଅଧିନରେ ଥିବା ବିଦେଶି ମଦ ଦୋକାନ ଗୁଡିକର ଲଟେରୀ ଉଠାଣ କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଅବକାରୀ ବିଭାଗରେ ଥିବା ୩୬ଟି ବିଦେଶୀ ଦୋକାନ ପାଇଁ ୧୦୧୭ ଜଣ ଆବେଦନ କରିଥିଲେ । ଏଥି ନିମନ୍ତେ ଲଟେରୀ ଉଠାଣ କାର୍ଯ୍ୟକ୍ରମ ବୁଧବାର ପୂର୍ବାହ୍ନ ୧୦.୩୦ ଠାରୁ ସ୍ଥାନୀୟ ଡିଆରଡିଏ କାର୍ଯ୍ୟାଳୟ ପରିସରରେ ଥିବା ପୁରୁଣା ସମ୍ମିଳନୀ ହଲ୍ ଏହା ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିଜେ ଉପସ୍ଥିତ ରହି ଆଖିରେ କଳାପଟି ବାନ୍ଧି ଲଟେରି ଉଠାଣ ର ଆରମ୍ଭ କରିଥିଲେ । ବିଦେଶି ମଦ ଦୋକାନ ଗୁଡିକୁ ଲଟେରୀ ମାଧ୍ୟମରେ ପ୍ରଦାନ କରାଯିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ । ଏହି କ୍ରମରେ ବ୍ରହ୍ମପୁର ଓ ଗଞ୍ଜାମ ଅବକାର ବିଭାଗ ଅଧିନସ୍ଥରେ ଥିବା ୧୦୦ ଟି ବିଦେଶୀ ଦୋକାନ ନିମନ୍ତେ ୨୦୫୫ଜଣ ଆବେଦନ କରିଥିଲେ । ବୁଧବାର ବ୍ରହ୍ମପୁର ଅବକାରୀ ଜିଲ୍ଲାର ୩୬ଟି ବିଦେଶୀ ମଦ ଦୋକାନ ଗୁଡିକ ପାଇଁ ଲଟେରୀ ଉଠାଣ କରାଯାଇଛି । ଗଞ୍ଜାମ ଅବକାରୀ ବିଭାଗ ଅଧିନରେ ଥିବା ୬୪ଟି ବିଦେଶୀ ମଦ ଦୋକାନ ନିମନ୍ତେ ୧୦୩୮ଜଣ ଆବେଦନ କରିଛନ୍ତି । ଏହାର ଲଟେରୀ ଉଠାଣ କାର୍ଯ୍ୟକ୍ରମ ଗୁରୁବାର ଠାରୁ ଆରମ୍ଭ ହେବ । ଆଜି ଲଟେରୀ ଉଠାଣ ବେଳେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବୀନ୍ଦ୍ର କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କୀର୍ତ୍ତି ୱାସନ୍, ଅବକାରୀ ବିଭାଗର ଡେପୁଟି କମିସନର (ସଦର ଡିଭିଜନ) ଶାନ୍ତୁନ ନାୟକ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ବ୍ରହ୍ମପୁର ଅବକାରୀ ଅଧୀକ୍ଷୀକ ରମେନ୍ଦ୍ର ନାୟକ, ଗଞ୍ଜାମ ଅବକାରି ଅଧିକ୍ଷୀକ ରାଜେନ୍ଦ୍ର କୁମାର ଭତ୍ରା ଏବଂ ଅବକାରୀ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।


