ଆମ୍ବୁଡ୍ସମ୍ୟାନଙ୍କ ମନରେଗା ପ୍ରକଳ୍ପ ତଦାରଖ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର କେତେକ ଗ୍ରାମ ପଞ୍ଚାୟତରେ ମନରେଗା ପ୍ରକଳ୍ପ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଏବଂ କାର୍ଯ୍ୟ ମେସିନରେ ହୋଇଥିବା ନେଇ ଅଭିଯୋଗ ହେବା ପରେ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଗୋପିନାଥପୁରସ୍ଥିତ ବିଦ୍ୟାଳୟ ଖେଳ ପଡିଆର ଉନ୍ନତିକରଣରେ ଅନିୟମିତତା ଅଭିଯୋଗରେ ଆଜି ଆମ୍ବୁଡସମ୍ୟାନ୍ ଲଳିତା ସାହୁ କ୍ଷେତ୍ର ପରିଦର୍ଶନ କରି ତଦନ୍ତ କରିଥିଲେ । ଘଟଣା ସ୍ଥଳରେ ସରପଞ୍ଚ ଅଶୋକ ଦାସ, ଜିଆରଏସ୍ ସୁବୋଧ ରାଉତଙ୍କ ଉପସ୍ଥିତିରେ ଅଭିଯୋଗକାରୀ ମାନଙ୍କୁ ଡକାଇ ଆଲୋଚନା କରିଥିଲେ । ଖେଳ ପଡିଆରେ ଅଳ୍ପ ମାଟି ପକା ଯାଇଥିବା ବେଳେ ସଂପୂର୍ଣ୍ଣ ପଡିଆକୁ ପୂରଣ କରିବା ପାଇଁ ଗ୍ରାମବାସୀ ମାନେ ଦାବୀ କରିଥିଲେ । ଉକ୍ତ କାର୍ଯ୍ୟକୁ ସଂପୂର୍ଣ୍ଣ କରାଯିବା ପରେ ବିଲ୍ ଅର୍ଥ ପୈଠ କରାଯିବ ବୋଲି ଆମ୍ବୁଡସମ୍ୟାନ୍ କହିଥିଲେ । ସେହିପରି ମନରେଗା କାର୍ଯ୍ୟରେ ଜବକାର୍ଡଧାରୀ ମାନଙ୍କୁ ଉପେକ୍ଷା କରାଯାଇ ମେସନ୍ ସହାୟତାରେ କାର୍ଯ୍ୟ ହେଉଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ ।


