ଅନୁସୂଚିତ ଜାତ-ଦଳିତଙ୍କ ଉପରେ ଅତ୍ୟାଚାରକୁ ନେଇ ବିଜେପିିର ଉଦବେଗ
ବାଲେଶ୍ୱର, (ସରୋଜ ପଣ୍ଡା): ରାଜ୍ୟରେ ଅନୁସୂଚିତ ତଥା ଦଳିତ ବର୍ଗଙ୍କ ଉପରେ ହେଉଥିବା ଅତ୍ୟାଚାର ଘଟଣାକୁ ନେଇ ବିଜେପି ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଦଳିତମାନଙ୍କ ଉପରେ ହେଉଥିବା ଶୋଷଣ ଉପରେ ରାଜ୍ୟ ସରକାର ଦୃଷ୍ଟି ନଦେଲେ ଆଗାମୀ ଦିନରେ ଦଳ ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ଉପ-ସଭାପତି ତଥା ବିଧାୟକ ସନାତନ ବିଜୁଳି ଚେତାବନୀ ଦେଇଛନ୍ତି । ଜିଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ବିଜୁଳି ରାଜ୍ୟ ଶାସକ ଦଳର ସ୍ୱେଚ୍ଛାଚାରୀ ଶାସନକୁ ଦାୟୀ କରିଛନ୍ତି । ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଅଭାବରୁ ଅନୁସୂଚିତ ଜାତି ଓ ଉପଜାତି ବର୍ଗର ଲୋକଙ୍କୁ ନିର୍ଯ୍ୟାତନା ଦିଆଯାଉଛି ବୋଲି ସେ ଆରୋପ କରିଛନ୍ତି । ବିଶେଷ କରି ରାଜ୍ୟରେ ହେଉଥିବା ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ଦଳିତ ବ୍ୟକ୍ତିଙ୍କ ଉପରେ କ୍ଷମତାସୀନ ଶାସକ ଦଳର ନେତାଙ୍କ ଇଙ୍ଗିତରେ ଆକ୍ରମଣ ହେଉଥିବା ଶ୍ରୀ ବିଜୁଳି କହିଛନ୍ତି । ବିଶେଷ କରି ସାମ୍ପ୍ରତିକ ସ୍ଥିତିରେ ଆବାସ ହିତାଧିକାରୀ ବଣ୍ଟନରେ ହୋଇଥିବା ଘୋଟାଲା ସମ୍ପର୍କରେ ସ୍ୱର ଉତ୍ତୋଳନ କରୁଥିବା ଦଳିତ ବର୍ଗଙ୍କ ଉପରେ ଅତ୍ୟାଚାର କ୍ରମଶଃ ବଢ଼ି ଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତି । କେବଳ କେନ୍ଦ୍ରପଡ଼ା ବା ଜଗତସିଂପୁର ନୁହେଁ ବରଂ ସମଗ୍ର ରାଜ୍ୟରେ ଶାସକଦଳର ଏହି ଦମନ ଲୀଳା ଚାଲିଛି ବୋଲି ସେ କହିଛନ୍ତି । ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ବିଜେପି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଶ୍ରୀ ବିଜୁଳି ଚେତାବନୀ ଦେଇଚନ୍ତି । ବିଜେପି ଜିଲା ସଭାପତି ଉମାକାନ୍ତ ମହାପାତ୍ର ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ତଥା ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ମୃତ୍ୟୁଞ୍ଜୟ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁସୂଚିତ ଜାତି ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ଗୋବିନ୍ଦ ଚନ୍ଦ୍ର ଦାସ, ଜିଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ଓ ଜିଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ ଉପସ୍ଥିତ ଥିଲେ ।