ସହରାଞ୍ଚଳ ସଫେଇ କାର୍ଯ୍ୟରେ ଅନିୟମିତତା ଅଭିଯୋଗକୁ ଖଣ୍ଡନ: ରାଜନୀତି ପାଇଁ ପୌର ଠିକା ସଂସ୍ଥାଙ୍କୁ ‘ବଳି କା ବକରା’ କରା ନ ଯାଉ
ବାଲେଶ୍ୱର, (ସରୋଜ ପଣ୍ଡା): ବାଲେଶ୍ୱର ସହରରେ ସଫେଇ କାର୍ଯ୍ୟରେ ଅବହେଳା ନେଇ ହେଉଥିବା ଅଭିଯୋଗ ସମ୍ପର୍କରେ ମୁହଁ ଖୋଲିଛନ୍ତି ଠିକା ସଂସ୍ଥା କଟକର ‘ମଞ୍ଜୁ ସର୍ଭିସେସ’ର ପ୍ରତିନିଧି ଅନୀଲ କିଶୋର ମହାରଣା ଓ ‘ସ୍ୱର୍ଣ୍ଣଦେବୀ ଏଜେନ୍ସି’ର ସୌମ୍ୟରଂଜନ ଜେନା । ସ୍ଥାନୀୟ ରାଜନୀତି ପାଇଁ ସେମାନଙ୍କ ସଂସ୍ଥାକୁ ବଳି କା ବକରା କରାଯଉଥିବା ସେମାନେ ଅଭିଯୋଗ ଉଠାଇଛନ୍ତି । ଏହି ଦୁଇ ସଂସ୍ଥା ୨୦୨୦ ମସିହା ଏପ୍ରିଲ ୨ ତାରିଖରୁ ସଫଳତାର ସହିତ ବାଲେଶ୍ୱର ପୌରପାଳିକାର ସମସ୍ତ ୩୧ଗୋଟି ୱାର୍ଡରେ ସଫେଇ କାର୍ଯ୍ୟ, ଟ୍ରାକ୍ଟର ଯୋଗେ ଓଳିଆ ଉଠାଇବା ଓ ଘରକୁ ଘର ଓଳିଆ ସଂଗ୍ରହ ଆଦି କାର୍ଯ୍ୟ କରି ସ୍ୱଚ୍ଛ ଭାରତ ମିଶନ ଦିଲ୍ଲୀ ସ୍ଥିତ ପର୍ଯ୍ୟବେକ୍ଷକଙ୍କ ଠାରୁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ତେବେ ୨୦୨୧ ମସିହା ଜାନୁଆରୀ ୩୧ ତାରିଖରେ ଚୁକ୍ତି ଅବଧି ଶେଷ ହୋଇଥିବା ବେଳେ କରୋନା ସଂକ୍ରମଣ କଟକଣା କାରଣରୁ ନୂତନ ଟେଣ୍ଡରହୋଇ ନ ପାରିବାରୁ ବାଲେଶ୍ୱର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବ ଚୁକ୍ତି ଅନୁସାରେ ପ୍ରତିମାସରେ ଏହି ଦୁଇ ଠିକା ସଂସ୍ଥା ଦ୍ୱାରା ସଫେଇ କାର୍ଯ୍ୟ ଜାରି ଥିବା ଦୁଇ ସଂସ୍ଥାର ପ୍ରତିନିଧି କହିଛନ୍ତି । ସାମ୍ପ୍ରତିକ ସ୍ଥିତିରେ ଶ୍ରମିକଙ୍କ ମଜୁରୀ, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି, ସହରର ଘର ଓ ଜନସଂଖ୍ୟା ବୃଦ୍ଧି ସତ୍ତ୍ୱେ ଦୁଇ ସଂସ୍ଥା ବାଲେଶ୍ୱର ସହରବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପୂର୍ବ ଚୁକ୍ତି ଅନୁସାରେ କ୍ଷତିରେ କାର୍ଯ୍ୟ କରୁଆସୁଥିବା ସେମାନେ କହିଛନ୍ତି । ମାତ୍ର ବିଜେପି ପକ୍ଷରୁ ସଫେଇରେ ଅବହେଳା ଓ ସଫେଇ କର୍ମଚାରୀଙ୍କ ନାମରେ ଅର୍ଥ ଉଠାଣ ଆଦି ବାରମ୍ବାର କରାଯାଉଥିବା ଆରୋପ ସମ୍ପୂର୍ଣ୍ଣ ଭିତ୍ତହୀନ ବୋଲି ଠିକା ସଂସ୍ଥା ପ୍ରତିନିଧି କହିଛନ୍ତି । ବ୍ୟବସାୟ ପାଇଁ କିଛି ବ୍ୟକ୍ତି ଏଜେନ୍ସି ସହ ହାତ ମିଳାଇଛନ୍ତି କିମ୍ବା ସେମାନଙ୍କ ଟ୍ରାକ୍ଟର କିମ୍ବା ଗାଡ଼ି ଭଡାରେ ଲଗାଇବା ଅଥବା ଏଜେନ୍ସିକୁ ଆର୍ôଥକ ସହାୟତା ପ୍ରଦାନ କରି ପୁଣି ଏଜେନ୍ସି ନିକଟରୁ ବ୍ୟାଙ୍କ ଆକାଉଂଟ ମାଧ୍ୟମରେ ମାସିକ ପ୍ରାପ୍ୟ ନେଉଛନ୍ତି ଯାହାକୁ ବିଜେପି ନେତାମାନେ ଇସ୍ୟୁ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେମାନେ କହିଛନ୍ତି । ସହରରେ ପରିମଳ ବ୍ୟବସ୍ଥା ସୁଚାରୁ ରୂପେ ଚାଲିଥିବା ବେଳେ ଦୁଇ ସଂସ୍ଥା ବିରୋଧରେ ଏଭଳି ମିଥ୍ୟା ଆରୋପ ଉଠାଇବା ଆସୌସମୀଚୀନ ନୁହେଁ ବୋଲି ପ୍ରତିନିଧି ଦ୍ୱୟ କ୍ଷୋଭର ସହ ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମଣ ବେହେରା, ସୁରଜ କୁମାର ଜେନା, ଜଗତ ଜୀବନ ଦାସ, ସେଖ ଆୟୁବ, ଦିଲୀପ କୁମାର ମହାନ୍ତି ଏବଂ ସଫେଇ କର୍ମଚାରୀ ସଂଘର କର୍ମକର୍ତ୍ତା ରାମ ବେହେରା, ପ୍ରମିଳା ନାୟକ, ଲକ୍ଷ୍ମୀ ନାୟକ, ଯମୁନା ଦେହେରା, ଭାରତୀ ବେହେରା, ଆଶା ବେହେରା ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।


