ଅପେକ୍ଷା କରି ବାପା ଚାଲିଗଲେ …………… ପକ୍କାଗୃହ ଖଣ୍ଡେ ପାଇଁ ବ୍ଲକ ଦୌଡୁଛନ୍ତି ଉଚ୍ଚଶିକ୍ଷିତା ଝିଅ
ଭଣ୍ଡାରିପୋଖରୀ , (ଦୁର୍ଯ୍ୟୋଧନ ଲେଙ୍କା): ସରକାରଙ୍କ ଯୋଜନା କେଉଁଭଳି ଭାବେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରୁନାହିଁ ତାହାର ଏକ ଜ୍ୱଳନ୍ତ ଉଦାହରଣ ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ ଅଞ୍ଚଳରେ ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଉତ୍ତରବାଡ(ହାଟଡିହି) ଗ୍ରାମର ଜନୈକ ଅସହାୟ ପରିବାର ସରକାରୀ ଯୋଜନାରେ ପକ୍କାଗୃହ ଖଣ୍ଡେ ପାଇଁ ଅପେକ୍ଷା କରି ଆଜି ନିରାଶ ହୋଇଛନ୍ତି । ଗ୍ରାମର ପ୍ରଫୁଲ୍ଲ ଜେନା ଯେ କି ଗତ ମେ ମାସରୁ ମୃତ୍ୟୁବରଣ କରିଛନ୍ତି । ତାଙ୍କ ପରିବାର ଏବେ ବହୁ ଦୁଃଖକଷ୍ଟରେ ଜୀବନ ଅତିବାହିତ କରୁଛନ୍ତି । ପ୍ରଫୁଲ୍ଲ ବଞ୍ଚିଥିବାବେଳେ ପକ୍କାଗୃହ ଖଣ୍ଡେ ନିର୍ମାଣ ସକାଶେ ସରକାରଙ୍କ ଯୋଜନାରେ ସାମିଲ ହେବା ପାଇଁ ଚେଷ୍ଟା କରିଥିଲେ । ଏଥିପାଇଁ ସେ ସମସ୍ତ କାଗଜପତ୍ର ଧରି ଅନେକ ବାର ବ୍ଲକ ଅଫିସ ମଧ୍ୟ ଦୌଡିଥିଲେ । ପରିବର୍ତ୍ତିତ ଆଇନ ଅନୁସାରେ ବ୍ଲକ କାର୍ଯ୍ୟାଳୟ ଠାରେ ବସିଥିବା ବାକ୍ସରେ ଗୃହ ନିର୍ମାଣ ପାଇଁ ଅବେଦନ ପତ୍ର ପକାଇଥିଲେ । ଇତିମଧ୍ୟରେ ଦୁରାରୋଗ୍ୟରେ ପୀଡିତ ହୋଇ ପ୍ରଫୁଲ୍ଲ ଚାରିମାସ ପୂର୍ବରୁ ଆରପାରିକୁ ଚାଲିଗଲେ । ପ୍ରଫୁଲ୍ଲଙ୍କ ଅନ୍ତେଷ୍ଟିକ୍ରିୟା ପରେ ତାଙ୍କର ବିଧବା ପତ୍ନୀ ବାସନ୍ତୀ ଜେନା , ୮୫ବର୍ଷର ବୃଦ୍ଧ ବାପା, ଦୁଇଗୋଟି ଝିଅ ଏବେ ବହୁ ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଛନ୍ତି । ପକ୍କାଗୃହ ନିର୍ମାଣ ପ୍ରଫୁଲ୍ଲଙ୍କ ପାଇଁ ସ୍ୱପ୍ନ ହୋଇ ରହିଯାଇଥିବାବେଳେ ଏହାକୁ ସାକାର କରିବା ପାଇଁ ବଡଝିଅ ଏବେ ସମସ୍ତ କାଗଜ ଧରି ବ୍ଲକ ଅଫିସ ଆସୁଛନ୍ତି । ଏଥିପାଇଁ ସେ ବିଡିଓଙ୍କୁ ସାକ୍ଷାତ କରିଥିଲେ ସୁଦ୍ଧା କୌଣସି ଲାଭ ହୋଇନାହିଁ । ଏପଟେ ମାସିକିଆ ସରକାରୀ ଚାଉଳ ଗଣ୍ଡାକରେ ଚାରିପ୍ରାଣୀ ଯଥେକଷ୍ଟେ ଚଳୁଥିବାବେଳେ ପ୍ରଫୁଲ୍ଲଙ୍କ ବିଧବା ପତ୍ନୀ ଏଯାଏଁ ଭତ୍ତା ଖଣ୍ଡିଏ ପାଇପାରି ନାହାଁନ୍ତି । ତେଲିଆ ମୁଣ୍ଡରେ ଏବେ ତେଲ ଲିପା ଯାଉଥିବାବେଳେ ମଳିମୁଣ୍ଡିଆଙ୍କୁ ପ୍ରଶାସନ ଅଣଦେଖା କରୁଥିବା ଉକ୍ତ ଘଟଣାରୁ ସ୍ପଷ୍ଟ ଅନୁମେୟ ହେଉଛି । ସେ ଯାହାବି ହେଉ ଅସହାୟ ସ୍ୱର୍ଗତ ପ୍ରଫୁଲ୍ଲ ଜେନାଙ୍କ ଚାରିପ୍ରାଣୀ ପରିବାର ଏବେ ଚାଳଛପର ଘରେ ବସବାସ କରୁଥିବାବେଳେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ପକ୍କାଗୃହ ଖଣ୍ଡିଏ ଯୋଗାଇଦେବାକୁ ନିବେଦନ କରାଯାଇଛି ।