ପୁଲିସ କର୍ମଚାରୀଙ୍କ ଗୁଣ୍ଡାଗିରି: ଅଫିସରେ ପଶି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ, ସରପଞ୍ଚଙ୍କୁ ଧମକ,କନେଷ୍ଟବଳ ଗିରଫ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):-ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ୫ଟି ବିଭାଗ ଦ୍ୱାରା ପରିଚାଳିତ “ମୋ ସରକାର”ରେ ଅନ୍ତର୍ଭୁକ୍ତ ହୋଇଛି ପୁଲିସ ବିଭାଗ।ସାଧାରଣ ଲୋକଙ୍କୁ ଉଚିତ ସେବା ଓ ନ୍ୟାୟ ପ୍ରଦାନ ସକାଶେ ପୁଲିସ ବିଭାଗକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।କିନ୍ତୁ ଖାକିରେ ଲାଗିଲା ଦାଗ।ପୁଲିସ ସାଜିଲା ଗୁଣ୍ଡା।ଶେଷରେ ହିତାହିତ ଜ୍ଞାନ ଭୁଲି ସବୁ ବର୍ବରତାର ସୀମା ଟପିଲେ କନେଷ୍ଟବଳ।ପୁଲିସ ପଣିଆ ଦେଖାଇ ଉତ୍ତ୍ୟକ୍ତ କନେଷ୍ଟବଳ ଜଣକ କାର୍ଯ୍ୟାଳୟରେ ପଶି ନିର୍ବାହୀ ଅଧିକାରୀ ବାସୁଦେବ ବେହେରାଙ୍କୁ ମରଣାନ୍ତକ ଆକ୍ରମଣ କରି ଲହୁ ଲୁହାଣ କରିଥିବା ଜଣାପଡିଛି।ରାଗ ଥମିବା ପରିବର୍ତ୍ତେ ସରପଞ୍ଚ ଓ ତାଙ୍କ ପ୍ରତିନିଧିଙ୍କୁଜୀବନରେ ମାରି ଦେବାକୁ ଧମକ ଦେବା ମଧ୍ୟ ଅଭିଯୋଗ ହୋଇଛି। ଏଭଳି ଏକ ଲଜ୍ଜାଜନକ ଘଟଣା ଗୁରୁବାର ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ତଥା ପୁରୁଷୋତ୍ତମପୁର ଥାନାର ନନ୍ଦିକ ପଞ୍ଚାୟତରେ ଘଟି ଆତଙ୍କ ପରିସ୍ଥିତି ସୃଷ୍ଟି କରିଛି।ଏହି ମାମଲାରେ ପୁଲିସ ଅଭିଯୁକ୍ତ କନେଷ୍ଟବଳ ସୁଜିତ କୁମାର ମହାରଣାଙ୍କୁ ଗିରଫ କରିଛି।ବ୍ରହ୍ମପୁର ପୁଲିସ ଜିଲ୍ଲାରେ କନେଷ୍ଟବଳ ଭାବେ କାର୍ଯ୍ୟରତ ସୁଜିତଙ୍କ ବିରୋଧରେ ଏସଟିଏସଟି ଆକ୍ଟ ଅନୁସାରେ ମାମଲା ରୁଜ୍ଜୁ ହୋଇଥିବା ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି। ଗୁରୁତ୍ୱ ଦୃଷ୍ଟିରୁ ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଘଟଣାର ତଦନ୍ତ କରୁଛନ୍ତି।ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଲା ହିଞ୍ଜିଳିରେ ରୂପାନ୍ତରଣ ବିଦ୍ୟାଳୟ ଉଦଘାଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରଶାସନ ବ୍ୟସ୍ତ ଥିବା ବେଳେ କନେଷ୍ଟବଳ ଜଣକ ନିର୍ବାହୀ ଅଧିକାରୀଙ୍କ ପ୍ରତି ଏଭଳି ବର୍ବରୋଚିତ କାଣ୍ଡ ଭିଆଇଛନ୍ତି।ନିଜ କର୍ତ୍ତବ୍ୟ ସମ୍ପାଦନ ସମୟ ମଧ୍ୟରେ କନେଷ୍ଟବଳ ଜଣକ ଆକ୍ରମଣ ଘଟଣାରେ ଲିପ୍ତ ଥିବା ଶୁଣିବାକୁ ମିଳୁଛି।ମିଳିଥିବା ସୂଚନା ପ୍ରକାରେ ଗୁରୁବାର ପ୍ରାୟ ୧୧ଟା ବେଳେ ସୁଜିତ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ।ଏହି ସମୟରେ ସରପଞ୍ଚ ଲିଲିମାଳା ପ୍ରଧାନ ଓ ନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ।ସୁଜିତ ଅଫିସ ଭିତରକୁ ଧସେଇ ପଶି ମୋ ସାନ ଭାଇର ରାସନ କାର୍ଡ କାହିଁକି ଏ ପର୍ଯ୍ୟନ୍ତ ହେଇନାହିଁ ବୋଲି ଚିତ୍କାର କରିଥିଲେ।ପରେ ମାରଣାସ୍ତ୍ର ଧରି ନିର୍ବାହୀ ଅଧିକାରୀ ବାସୁଦେବ ବେହେରାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ।ସରପଞ୍ଚ ଓ ତାଙ୍କ ପ୍ରତିନିଧି ପ୍ରତିବାଦ କରିବାରୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରି ବାସୁଦେବଙ୍କ ଅଣ୍ଡକୋଷ ଉପରକୁ ଗୋଇଠା ମାରିବା ସହ ନିସ୍ତୁକ ମାଡ ମାରି ଲହୁ ଲୁହାଣ କରିଥିଲେ।ଏତିକିରେ ସୁଜିତଙ୍କ ରାଗ ଥମି ନ ଥିଲା।ମୁଖ୍ୟ ଫାଟକ ଭାଙ୍ଗି ଦେବା ସହ ସରପଞ୍ଚ ଓ ତାଙ୍କ ପ୍ରତିନିଧିଙ୍କୁ ଆଗକୁ ଉଭୟଙ୍କୁ ସମଦଶା ଭୋଗିବାକୁ ପଡ଼ିବ।ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲେ।ମୋର କେହି କିଛି କରିପାରିବ ନାହିଁ।ମୁଁ ଜଣେ କନେଷ୍ଟବଳ ବୋଲି କହି ସେଠାରୁ ପଳାଇ ଆସିଥିଲେ।ପ୍ରାୟ ଅଧଘଣ୍ଟା କାଳ ସୁଜିତ ସେଠାରେ ଆତଙ୍କ ଖେଳାଇ ଥିଲେ।ପରେ ଗୁରୁତର ବାସୁଦେବଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ପରେ ସେ ସ୍ଥାନୀୟ ବିଡ଼ିଓ ସୁବ୍ରତ କୁମାର ଜେନାଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ।ପରେ ହିଞ୍ଜିଳିକାଟୁ ପିଇଓ ସଂଘର ସମସ୍ତ ସଦସ୍ୟ ପୁରୁଷୋତ୍ତମପୁର ଥାନାରେ ଆସି ଏତଲା ଦେଇଥିଲେ।ଘଟଣା ପରେ ହିଞ୍ଜିଳି ବିଡ଼ିଓ ସଂଗେ ସଂଗେ ଜିଲ୍ଲାପାଳ ଏବଂ ଏସପିଙ୍କୁ ସୁପାରିଶ କରିଥିଲେ।ସେହିପରି ସରପଞ୍ଚ ଲିଲିମାଳା ପ୍ରଧାନ ପୁରୁଷୋତ୍ତମପୁର ଥାନାରେ ଆଉ ଏକ ଅଭିଯୋଗ କରିଥିଲେ।ଘଟଣାର ଗମ୍ଭୀରତା ଦୃଷ୍ଟିରୁ ପୁଲିସ ମାମଲା ରୁଜ୍ଜୁ କରି ସୁଜିତଙ୍କୁ ଗିରଫ କରିଛି।ଏନେଇ କେଶ ନଂ ୩୮୩/୨୧ ରେ ମାମଲା ରୁଜ୍ଜୁ ହୋଇ କୋର୍ଟ ଚାଲାଣ କରାଯାଇଛି ବୋଲି ପୁରୁଷୋତ୍ତମପୁର ଥାନା ଭାରପ୍ରାପ୍ତ ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି।ଘଟଣା ପରେ ହିଞ୍ଜିଳିବ୍ଳକ ଏବଂ ଜିଲ୍ଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି।ଘଟଣାକୁ ନେଇ ନିନ୍ଦା କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ହିଞ୍ଜିଳି ବ୍ଳକ ସଭାପତି ସୁଶାନ୍ତ କୁମାର ପାତ୍ର ଓ ରାଜ୍ୟସଂଘ ସାଧାରଣ ସମ୍ପାଦକ କମଳା କାନ୍ତ ପଣ୍ଡା ଦାବି କରିଛନ୍ତି।ଖବର ଲେଖା ହେଲା ପର୍ଯ୍ୟନ୍ତ ଆହତ ନିର୍ବାହୀ ଅଧିକାରୀ ବାସୁଦେବଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି।


