ହିଞ୍ଜିଳିକାଟୁରେ ୩ଜଣ ନକଲି ଶିକ୍ଷକ ପ୍ରମାଣପତ୍ର ଯାଞ୍ଚ
ହିଞ୍ଜିଳିକାଟୁ, ୪।୯(ଶେଷଦେବ ସାହୁ): ନକଲି ଶିକ୍ଷକଙ୍କ ତଥ୍ୟ ଓ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ସତ୍ବେ ଯାଞ୍ଚ ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ଉଦବେଗ ପ୍ରକାଶ କରିଛି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ। ୨୦୧୯ରୁ ବିଭିନ୍ନ ସମୟରେ ବିଭିନ୍ନ ବିଇଓ,ଡିପିସି ଓ ବିଇଓ ଙ୍କୁ ନିର୍ଦ୍ଦେଶାଳୟର ଚିଠି ଲେଖିବା ପରେ ମଧ୍ୟ ଅଭିଯୋଗ ଆସିଥିବା ନକଲି ଶିକ୍ଷକଙ୍କ ସାର୍ଟିଫିକେଟ୍ ଯାଞ୍ଚ କରି ଦୃଢ଼ ପଦକ୍ଷେପ ହେଉ ନାହିଁ। କିଛି ଅଧିକାରୀ ଜାଣି ଶୁଣି ନଜର ଅନ୍ଦାଜ କରୁଛନ୍ତି । ଅଗଷ୍ଟ ୩୧ ସୁଦ୍ଧା ଡିଇଓ, ଡିପିସି ଓ ବିଇଓମାନେ ଏ ସମ୍ପର୍କିତ ରିପୋର୍ଟ ଦାଖଲ ପାଇଁ ନିର୍ଦେଶାଳୟ ପକ୍ଷରୁ ଯୁଗ୍ମ ନିର୍ଦ୍ଦେଶକ ଙ୍କ ଚିଠି ପରେ ତତ୍ପରତା ପ୍ରକାଶ ପାଇଛି। ଗଞ୍ଜାମ ଜିଲ୍ଲାର ଧରାକୋଟ ବିଇଓ ପକ୍ଷରୁ ୪ଜଣ, କବିସୂର୍ଯ୍ୟନଗର ବିଇଓ ପକ୍ଷରୁ ୬ଜଣଙ୍କ ବିରୋଧରେ, ଖଲିକୋଟ ରେ ଜଣେ ଶିକ୍ଷକ ଙ୍କ ବିରୋଧରେ ଜାଲ ପ୍ରମାଣପତ୍ର ପାଇଁ ପୂର୍ବରୁ ଥାନାରେ ଏତଲା ହୋଇଛି। ସେହିପରି ଆସିକା ରେ ଜଣେ ଶିକ୍ଷକଙ୍କୁ ଜାଲ ପ୍ରମାଣପତ୍ର ପାଇଁ ଗିରଫ ସହ ସସପେଣ୍ଡ କରାଯାଇଛି। ଛତ୍ରପୁର ବିଇଓ ଜଣେ ଶିକ୍ଷକଙ୍କୁ ଜାଲ ଟ୍ରେନିଂ ପ୍ରମାଣପତ୍ର ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଅଭିଯୋଗ ଅନୁଯାୟୀ ଗତ କିଛି ବର୍ଷ ମଧ୍ୟରେ ନକଲି ଶିକ୍ଷକଙ୍କ ସାର୍ଟିଫିକେଟ୍, ମାର୍କସିଟ୍, ଟ୍ରେନିଂ ସାର୍ଟିଫିକେଟ୍, ମାଇଗ୍ରେସନ, ପରୀକ୍ଷା ଫଳ ପ୍ରକାଶନ ତାରିଖ, ଜାତି ପ୍ରମାଣପତ୍ର, ସର୍ଭିସ୍ ରେକର୍ଡ ଯାଞ୍ଚ କରି ପଦକ୍ଷେପ ନେବାକୁ ୨୦୧୯ ଠାରୁ ନିର୍ଦ୍ଦେଶ ସତ୍ବେ ରାଜ୍ୟ ତଥା ଗଞ୍ଜାମ ଜିଲ୍ଲାର ବହୁ ବିଇଓ ଅଫିସ ପକ୍ଷରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ କୁନ୍ଥୁ କୁନ୍ଥୁ ହେଉଥିବା ମନେ ହେଉଛି। ଏବେ ସୁଦ୍ଧା ଜିଲ୍ଲାର ଆସିକା, କବିସୂର୍ଯ୍ୟନଗର, ହିଞ୍ଜିଳିକାଟୁ, ପାତ୍ରପୁର, ଶେରଗଡ଼, ଗଞ୍ଜାମ, ବେଗୁନିଆ ପଡ଼ା ରେ ୨୪ ଜଣ ଶିକ୍ଷକ ଙ୍କ ଯାଞ୍ଚ ପ୍ରକ୍ରିୟା ବିଳମ୍ବ ହୋଇଥିବା ଜଣାଯାଏ। ହିଞ୍ଜିଳିକାଟୁ ରେ ୩ ଜଣ ଶିକ୍ଷକ ସନ୍ଦେହ ଘେରରେ ଅଛନ୍ତି। ସେମାନଙ୍କ ପ୍ରମାଣପତ୍ର ଯାଞ୍ଚ ପାଇଁ ବିଭିନ୍ନ ବୋର୍ଡ଼ ଓ ବିଶ୍ଵବିଦ୍ୟାଳୟ କୁ ପଠାଯାଇଥିଲା। ବୋର୍ଡ଼ ଓ ବିଶ୍ଵବିଦ୍ୟାଳୟ ପକ୍ଷରୁ ଯାଞ୍ଚ ଫିସ ଦାଖଲ ପାଇଁ କୁହାଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ତାହା ଦାଖଲ ହୋଇନଥିବା ଜଣାପଡିଛି। ଖୁବଶୀଘ୍ର ଆବଶ୍ୟକ ଯାଞ୍ଚ ଫିସ ଦାଖଲ ହେବ ବୋଲି ହିଞ୍ଜିଳିକାଟୁ ବିଇଓ ଅତିରିକ୍ତ ଦାୟିତ୍ବ ରେ ଥିବା ଏସ ଗିରିଧାରୀ କହିଛନ୍ତି। ଯାଞ୍ଚ ପରେ ନକଲି ପ୍ରମାଣପତ୍ର ଦାଖଲ କରି ଚାକିରି କରିଥିବା ନକଲି ଶିକ୍ଷକ ଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ସହ ସସପେଣ୍ଡ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।


