ନିର୍ମାଣକାରୀ ସଂସ୍ଥାର ମନମୁଖୀ କାର୍ଯ୍ୟ ବର୍ଷା ଯୋଗୁ ଭଣ୍ଡାରିପୋଖରୀ ବଜାର ଅବସ୍ଥା ବେହାଲ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥର ଏବେ ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଥିବାବେଳେ ନିର୍ମାଣକାରୀ ସଂସ୍ଥାର ମନମୁଖି କାର୍ଯ୍ୟ ଯୋଗୁ ସ୍ଥାନୀୟ ଲୋକେ ଏବେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ଭଣ୍ଡାରିପୋଖରୀ ତୋରତ ପୋଲ ଠାରୁ ପାଳଦାବାଙ୍କ ଯାଏଁ ଦୈନନ୍ଦିନ ଲୋକେ ଦୁର୍ଘଟଣାର ଶିକାର ହେଉଥିବାବେଳେ ଏବେ ବର୍ଷା କାରଣରୁ ସେଠିକାର ଅବସ୍ଥା ନକହିବା ଭଲ । ରାସ୍ତା କାର୍ଯ୍ୟ କରୁଥିବା ଡିବିଏଲ କମ୍ପାନୀ ମନମୁଖୀ ଭାବେ ଗମନାଗମନ ରାସ୍ତା ଗୁଡିକୁ ନିର୍ମାଣ କରୁଛି । ବସଷ୍ଟାଣ୍ଡ ଓ ପାଳଦାବାଙ୍କ ଠାରେ ଦୁଇଗୋଟି ଗଳାପୋଲ ନିର୍ମାଣ ହେଉଥିବାବେଳେ ଏହା ପାଇଁ ଆବଶ୍ୟକ ହେଉଥିବା ଛୋଟବଡ ସଂଯୋଗୀକରଣ ରାସ୍ତା ମଧ୍ୟ ନିର୍ମାଣ ହେଉଛି । ପରିତାପର ବିଷୟ ନିର୍ମାଣକାରୀ ସଂସ୍ଥା ଅତି ସଙ୍କୁଚିତ ଓ ନିକୃଷ୍ଟମାନର ରାସ୍ତା ନିର୍ମାଣ କରୁଥିବାବେଳେ ଭାରିଯାନ ଚଳାଚଳ ତ ଦୂରର କଥା ସାଧାରଣ ଯାନ ଚଳାଚଳ କରିବା ଭାରି କଷ୍ଟକର ହୋଇପଡୁଛି । ଏପରିକି ଡିବିଏଲ କମ୍ପାନୀ କତ୍ତୃପକ୍ଷ ଗଳପୋଲ ନିକଟରେ ପୋଖରୀ ସଦୃଶ ଗର୍ତ୍ତ ଖୋଳିଥିବାରୁ ସେଠାରେ ଏବେ ପାଣି ଜମି ଲୋକଙ୍କ ପାଇଁ ବିପଦ ଆଣିଛି । କିଛି ମୋଟରସାଇକେଲ ଓ ସାଇକେଲ ଆରୋହୀ ଉକ୍ତ ଗର୍ତ୍ତରେ ପଡି ଆହତ ହୋଇଥିବା ସୂଚନା ମିଳିଛି । ଏହାଛଡା ସ୍ଥାନୀୟ ଯନାଳକୁ ମଧ୍ୟ ନିର୍ମାଣକାରୀ ସଂସ୍ଥା ପୋତି ଦେଇଥିବାରୁ ଭଣ୍ଡାରିପୋଖରୀ ବଜାର ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଦକ୍ଷିଣବାଡ ପଞ୍ଚାୟତ କାର୍ଯ୍ୟ ସମେତ, ସମବାୟ, ଜଳଯୋଗାଣ କାର୍ଯ୍ୟାଳୟ ଏବେ ଯ ନାଳ ପାଣିରେ ଉବୁଟୁବୁ ହେଉଥିବାବେଳେ କିଛି ବ୍ୟବସାୟ ପ୍ରତିଷ୍ଠାନ ଗୃହକୁ ମଧ୍ୟ ପାଣି ପଶିଯାଇଥିବା ଦେଖିବାକୁ ମିଳିଛି । ରାଜପଥ ସଂପ୍ରସାରଣ କାର୍ଯ୍ୟ ଯୋଗୁ ସୃଷ୍ଟି ହେଉଥିବା ବହୁବିଧ ସମସ୍ୟାକୁ ନିର୍ମାଣକାରୀ ସଂସ୍ଥା ସମାଧାନ କରିବାରେ ବିଫଳ ହୋଇଥିବାବେଳେ ଲୋକମାନେ ଏଥିରେ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ସୁତରାଂ ଘରୋଇ କମ୍ପାନୀର ଏଭଳି ମନମୁଖି କାର୍ଯ୍ୟକୁ ନେଇ ଆଗାମୀ ଦିନରେ ଏକ ଜନଆନ୍ଦୋଳନ ମୁଣ୍ଡ ଟେକିବ ଏଥିରେ ସନ୍ଦେହ ନାହିଁ ।


