ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା ଶୀବିର
ପାରଳାଖେମୁଣ୍ଡି, (ତାରିଣି ପ୍ରସାଦ ପଣ୍ଡା): ରାଜ୍ୟ ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ଜଜ୍ -ତଥା-ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସତ୍ୟପ୍ରିୟ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ କୋଭିଡ କଟକଣାକୁ ମାନି ଏକ ଅନଲାଇନସ୍ତରୀୟ ସ୍ଚତେନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଜଜ୍ ହେମନ୍ତ କୁମାର ସେଠୀ, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ମାନସ କୁମାର ପଣ୍ଡା, ପ୍ରାଧିକରଣ ସଚିବ ବ୍ୟମକେଶ ନାୟକ, ବରିଷ୍ଠ ଦେୱାନୀ ଅଧିକାରୀ ଚନ୍ଦ୍ରହାସ ବେହେରା, ଉପଖଣ୍ଡୀୟ ବିଚାର ବିଭାଗୀୟ ଅଧିକାରିଣୀ ସୁଶ୍ରୀ ବର୍ଷା ଶର୍ମା ଓ ପ୍ରଥମ ଶ୍ରେଣି ବିଚାରବିଭାଗୀୟ ଅଧିକାରୀ ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀପଣ୍ଡା ଓ ପ୍ରାଧିକରଣ ସଚିବ ଶ୍ରୀନାୟକ ଯୋଗ ଦେଇ ଦେଶରେ ବୃଦ୍ଧି ପାଉଥିବା ମାନବ ଚାଲାଣକୁ କିପରି ରୋକାଯାଇପାରିବ ସେ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନତା କରାଇଥିଲେ ଏବଂ ପ୍ରାଧିକରଣ ଦ୍ୱାରା ଉପଲବ୍ଧ ହେଉଥିବା ମାଗଣା ଆଇନ ସେବା ବିଷୟରେ ସଚେତନତା କରାଇବା ସହିତ ତୃଣମୂଳସ୍ତରରେ ସଚେତନତା କରାଇବା ପାଇଁ ପ୍ରାଧିକରଣ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ । ଅନ୍ୟପକ୍ଷରେ ଉପଖଣ୍ଡୀୟ ବିଚାର ବିଭାଗୀୟ ଅଧିକାରିଣୀ ସୁଶ୍ରୀ ବର୍ଷା ଶର୍ମା ଓ ପ୍ରଥମ ଶ୍ରେଣି ବିଚାରବିଭାଗୀୟ ଅଧିକାରୀ ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀ ଯୋଗ ଦେଇ ମାନବ ଚାଲାଣରେ ଲିପ୍ତ ରହୁଥିବା ଅପରାଧୀମାନଙ୍କ ପାଇଁ ସମ୍ବିଧାନରେ ରହିଥିବା ଦଣ୍ଡ ବିଧାନ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ସଚେତନତା କରାଇଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ପୋଲିସ ଅଧିକାରୀ, ଆଇନଜୀବୀ ଓ ପାରାଲିଗାଲ ସ୍ୱେଚ୍ଛାସେବୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣ କର୍ମଚାରୀ ମାନେ ପରିଚାଳନା କରିଥିଲେ ।


