ଭଦ୍ରକ ଜିଲ୍ଲାକୁ ଭଗବାନ ଭରସା, ପରିବେଶ ଆଇନ ଝଟକା ଯୋଗୁ ବନ୍ଦ ରହିଛି ଉନ୍ନୟନମୂଳକ କାର୍ଯ୍ୟ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଆଖୁଆପଦା ବୈତରଣୀ ଆନିକଟ ଠାରୁ ମଣିନାଥପୁର ବହ୍ଲବୀଘାଟ ପୋଲ ଯାଏଁ ବାମପଟ ନଦୀବନ୍ଧ ଦୁର୍ବଳ ରହିଛି । ଏହା ସହିତ ବାଲିପୋଖରୀ ଓ କଣ୍ଟି ଏସକେପ ମଧ୍ୟ ମୁକୁଳା ପଡିଥିବାରୁ ଭଦ୍ରକ ଜିଲ୍ଲାବାସୀ ବର୍ଷକୁବର୍ଷ ବନ୍ୟା ପ୍ରକୋପର ଶିକାର ହେଉଛନ୍ତି । ଏହା ସତ୍ତ୍ୱେ ଯାଜପୁର ସହର ପାଶ୍ୱର୍ ନଦୀବନ୍ଧର ସଦୃଢୀକରଣ ହେବା ସହିତ ନଦୀପଠାରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ ହୋଇଛି । ପାଖାପାଖି ୫ଶହ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଏହା ଦ୍ୱାରା ଅପରପାଶ୍ୱର୍ ଭଦ୍ରକ ଜିଲ୍ଲାର ଧାମନଗର, ଭଣ୍ଡାରିପୋଖରୀ, ଚାନ୍ଦବାଲି ଓ ତିହିଡି ବ୍ଲକର ଲକ୍ଷଲକ୍ଷ ଲୋକ କ୍ଷତିଗ୍ରସ୍ତ ହେବେ ବୋଲି ଜଣାଯାଇଛି । ବିଶେଷକରି ବୈତରଣୀ ଆନିକଟ ଠାରୁ ଯାଜପୁର ସହର ପର୍ଯ୍ୟନ୍ତ ପାଖାପାଖି ୧୦କି.ମି. କଂକ୍ରିଟ ୱାଲ ନିର୍ମାଣ ହେଉଥିବାବେଳେ ଯାଜପୁର ସହର ସୁରକ୍ଷା ପାଇଁ ୪୦କୋଟି ଟଙ୍କା ବ୍ୟୟ କରାଯାଇ ନଦୀପଠାରେ ନିର୍ମାଣ ଆରମ୍ଭ ହୋଇଛି । ଏହାଛଡା ପଣସା ଘେରିବନ୍ଧ ପାଇଁ ୧୦କୋଟି, ଏକ ପାର୍କ ନିର୍ମାଣ ପାଇଁ ମଧ୍ୟ ୪୦କୋଟି ଟଙ୍କା ବ୍ୟୟ ହୋଇଛି । ଏସବୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ବାମପଟ ଦୁର୍ବଳ ବନ୍ଧ ବିଶେଷ ଭାବେ କ୍ଷତିଗ୍ରସ୍ଥ ହେବା ସହ ନଦୀର ଗତିପଥ ମଧ୍ୟ ବଦଳିଯିବାର ସମ୍ଭାବନା ରହିଛି ବୋଲି ସ୍ଥାନୀୟ ବୃଦ୍ଧିଜୀବି ମାନେ ମତଦେଇଛନ୍ତି । ଉକ୍ତ ପ୍ରକଳ୍ପକୁ ନେଇ ଭଣ୍ଡାରିପୋଖରୀ ବାଲିପୋଖରୀ ଅଞ୍ଚଳର କିଛି ସ୍ୱେଚ୍ଛାସେବୀ ଜାତୀୟ ଗ୍ରିନ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଥିଲେ । ସବୁଠାରୁ ବଡକଥା ହେଲା ନିର୍ମାଣାଧିନ ପ୍ରକଳ୍ପ ପାଇଁ କୌଣସି ପରିବେଶ ମଞ୍ଜୁରୀ ମିଳିନଥିବାବେଳେ ଯାଜପୁର ପ୍ରଶାସନ କାହା ଇଙ୍ଗିତରେ ବେଆଇନ ନିର୍ମାଣ ପାଇଁ ଆଗେଇ ଆସିଥିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପଟେ ଭଦ୍ରକ ଜିଲ୍ଲାର ଲକ୍ଷଲକ୍ଷ ଲୋକଙ୍କ ହିତ ଦୃଷ୍ଟିରୁ ଗ୍ରିନ ଟ୍ର‌୍ୟୁବନାଲ ନିକଟରେ ହୋଇଥିବା ଅଭିଯୋଗକୁ ଭିତ୍ତିକରି ଏବେ ନିର୍ମାଣଧିନ ପ୍ରକଳ୍ପ ଉପରେ ରୋକ ଲଗାଯାଇଛି । ପରିବେଶ ମଞ୍ଜୁରୀ ବିନା କୌଣସି ପ୍ରକଳ୍ପ ନିର୍ମାଣ ହୋଇପାରିବ ନାହିଁ ବୋଲି ଜାତୀୟ ଟ୍ର‌୍ୟୁବନାଲ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ଭଦ୍ରକ ବାସୀଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ଭିତ୍ତିହୀନ ବୋଲି ଯାଜପୁର ଜିଲ୍ଲାପାଳ କହିଥିବାବେଳେ ପ୍ରକଳ୍ପ ବନ୍ଦ ହେବା ସମ୍ଭବ ନୁହେଁ ବୋଲି ସୂଚନା ଦେଇଛନ୍ତି । ସେ ଯାହାବି ହେଉ ଯାଜପୁର ସହରର ବିକାଶକୁ ଆଧାର କରି ଯେଉଁଭଳି ଭାବେ ବୈତରଣୀ ନଦୀ ଗର୍ଭ ଓ ପଠାକୁ ଅବରୋଧ କରାଯାଇ ପ୍ରକଳ୍ପମାନ କାର୍ଯ୍ୟ କରାଯାଉଛି ତାହା ଭଦ୍ରକ ଜିଲ୍ଲାର ୪ଗୋଟି ବ୍ଲକ ପାଇଁ ଘୋର ବିପଦ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଆଗାମୀ ଦିନରେ ଏକ ଜନ ଆନ୍ଦୋଳନ ଆରମ୍ଭ ହେବବୋଲି ଭଣ୍ଡାରିପୋଖରୀ ଅଞ୍ଚଳର ବୃଦ୍ଧିଜୀବି, ପରିବେଶବିତ ଓ ନଦୀକୂଳରେ ବସବାସ କରୁଥିବା ଜନସାଧାରଣମାନେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ