ଭୋଦର ଗ୍ରାମ ରେ ସାର୍ବଜନୀନ ଦୂର୍ଗା ପୂଜା ଆରମ୍ଭ

ନିମାପଡା, (ସନ୍ତୋଷ ଦାଶ):ଦୀର୍ଘ ୨୧୪ ବର୍ଷ ହେଲା ନିମାପଡା ବ୍ଲକ ଚାରିଛକ ନିକଟସ୍ଥ ଭୋଦର ଗ୍ରାମରେ ଗ୍ରାମବାସୀ ମାନଙ୍କ ଦ୍ଵାରା ସାର୍ବଜନୀନ ଦୂର୍ଗା ପୂଜା ଅନୁଷ୍ଠିତ ହୋଇଆସୁଛି। ଗ୍ରାମର ବୟୋଜ୍ୟେଷ୍ଠ ଗ୍ରାମବାସୀ ତଥା ପୂର୍ବତନ ଆଇ ଆର ଏସ ଚନ୍ଦ୍ରକାନ୍ତ ଦଳାଇ କୁହନ୍ତି, ପୂର୍ବରୁ ତାଙ୍କ ଗାଁର ଜମିଦାର ରାୟ ଚୂଡ଼ାମଣି ଙ୍କ ପରିବାର ପକ୍ଷରୁ ତାଂକ ଗୃହରେ ଦୂର୍ଗାପୂଜା କରାଯାଇ ଆସୁଥିଲା ଯାହା ଏବେ ବି ହୋଇ ଆସୁଛି । ୧୮୦୭ ମସିହାରେ ଭୋଦର ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଗାଁ ରେ ପୃଥକ ଭାବେ ଦୂର୍ଗା ପୂଜା ଆରମ୍ଭ କରିଥିଲେ। ୨୧୪ ବର୍ଷ ହେଲା ଗ୍ରାମ ର ରଘୁନାଥ ପ୍ରଗତି ସଙ୍ଘ ର ତତ୍ବାବଧାନ ରେ ସାର୍ବଜନୀନ ଦୂର୍ଗା ପୂଜା ଅନୁଷ୍ଠିତ ହୋଇଆସୁଛି । ଏହି ପୂଜା ରେ ଗ୍ରାମର ସବୁବର୍ଗ ର ପ୍ରାୟ ୨୦୦ ପରିବାର ଏପରିକି ମୁସଲିମ ପରିବାର ମଧ୍ୟ ସଂଶ୍ଲିଷ୍ଟ ରହିଆସିଛନ୍ତି। ଭୋଦର ଗ୍ରାମ ର ଦୂର୍ଗାପୂଜା ଭାଇଚାରା ର ଏକ ଅନନ୍ୟ ଉଦାହରଣ ସୃଷ୍ଟିକରିଛି ବୋଲି କୁହନ୍ତି ପୁର୍ବତନ କଲେଜ ଅଧକ୍ଷ ଡଃ. ସନ୍ତୋଷ ମିତ୍ର । ଆଶ୍ୱିନ ଶୁକ୍ଳ ନବମୀ ତିଥି ଠାରୁ ଘଟ ସ୍ଥାପନା କରାଯାଇ ଦୂର୍ଗାପୂଜା ର ଆରମ୍ଭ କରାଯାଇଥାଏ। ଘଟ ନିକଟ ରେ ମହାନବମୀ ପର୍ଯ୍ୟନ୍ତ ୧୬ ପୂଜା ପାରମ୍ପରିକ ପ୍ରଥାନୁସାରେ ଅନୁଷ୍ଠିତ ହେଉଥିବାବେଳେ ପ୍ରତ୍ୟେହ ଉଷୁନା ଭାତ, ଡାଲି, ମାଛ ଭୋଗ ଲାଗି ହୋଇଥାଏ । ଷଷ୍ଠୀ ତିଥି ରୁ ବିଲ୍ଵବରଣ କରାଯାଇ ଆରମ୍ଭ ହୋଇଥାଏ ମୃଣୟୀ ମୂର୍ତ୍ତି ଙ୍କ ପୂଜା ପ୍ରକ୍ରିୟା । ସପ୍ତମୀ ରେ ନିକଟସ୍ଥ ହରଚଣ୍ଡି /ଭଦ୍ରେଶ୍ୱର ଙ୍କ ପୀଠ ରୁ କଳସ ଆବାହାନ କରାଯାଇ ଶାକମ୍ବରୀ ନୀତି ରେ ପୂଜା କରା ଯାଇଥାଏ। ପୂଜା ମଣ୍ଡପ କୁ କଳସ ଓ ପଞ୍ଚପଲ୍ଲବ ରେ ସଜ୍ଜିତ କଲ୍ଲାବୋହୁ (କଦଳୀ ଗଛ) କୁପ୍ରବେଶ କରାଯାଇ ଥାଏ । ନବପତ୍ରିକା କୁ ସ୍ଵାଗତ କରା ଯାଇ ପୂଜାମଣ୍ଡପକୁ ବିଜେ କରାଯିବା ପରେ ମୃଣୟୀ ମୂର୍ତ୍ତି ପୂଜା ୪ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଗ୍ରାମ ର ଘୋଷାଲ ପରିବାର ମା ଙ୍କ ସମସ୍ତ ପୂଜା ନୀତି ଅନୁଷ୍ଠିତ କରିଥାନ୍ତି। ମହାଷ୍ଟମୀ ରାତିରେ ସନ୍ଧିପୂଜା ଅନୁଷ୍ଠିତ ହେବାପରେ ମା ଙ୍କ ନିକଟରେ ପାଣି କଖାରୁ, ଆଖୁ, କାକୁଡି ଓ ଦେଶୀ ପାଟକପୁରା କଦଳୀ ବଳି ଦିଆଯାଏ। ଯାହା ଏକ ଅନନ୍ୟ ପରମ୍ପରା ଅଟେ। ଆଉ ଏକ ଅନନ୍ୟ ପରମ୍ପରା ହେଉଛି ନବମୀ ରାତିରେ ପ୍ରସିଦ୍ଧ କାଳିକାନୃତ୍ୟ ଅନୁଷ୍ଠିତ ହୋଇଥାଏ। ଦଶମୀ ଅର୍ଥାତ ଦଶହରା ବିଜୟା ଦଶମୀ ଦିନ ବ୍ରତ, ଅପରାଜିତା ପୂଜା ଓ କୁମାରୀ ପୂଜନ ନୀତି ପରେ ମୃଣୟୀ ମୂର୍ତ୍ତି ଙ୍କୁ ଶୋଭାଯାତ୍ରା ରେ ନିଆଯାଇ ଗାଁ ପୋଖରୀ ରେ ବିସର୍ଜନ କରା ଯାଇଥାଏ । ଭୋଦର ଗ୍ରାମ ର ଦୁର୍ଗାପୂଜା ସମଗ୍ର ପ୍ରାଚୀ ଉପତ୍ୟକା ଅଞ୍ଚଳ ରେ ଏକ ଅନନ୍ୟ ଓ ପ୍ରସିଦ୍ଧ ଉତ୍ସବ ଭାବେ ପରିଗଣିତ ହୋଇ ରହିଆସିଛି। ଚଳିତ ବର୍ଷ ରଘୁନାଥ ପ୍ରଗତୀ ସଙ୍ଘ ର ସଭାପତି ମନ୍ମଥ ନାଥ ମିଶ୍ର ଓ ସମ୍ପାଦକ ଆର୍ତ୍ତତ୍ରାଣ ସାହୁ ଙ୍କ ନେତୃତ୍ଵ ରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହେଉଛି। ସମଗ୍ର ଭୋଦର ଗ୍ରାମ ଉତ୍ସବ ମୁଖର ହୋଇଉଠିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ