ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହେଲାଣି ଅଙ୍କକଷା
ହାଟଡିହି, (ବିକାଶ ବିଶ୍ୱାଳ ) : କେନ୍ଦୁଝର ଜିଲ୍ଲାର ସର୍ବ ବୃହତ ବ୍ଲକ ଭାବେ ପରିଚିତ ହାଟଡିହି ବ୍ଲକର ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା ପ୍ରକାଶ ପାଇବାପରେ ବିଭିନ୍ନ ଦଳପକ୍ଷରୁ ଅଙ୍କକଷା ଆରମ୍ଭ ହେଲାଣି । ବିଶେଷକରି ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ କେଉଁ ପଞ୍ଚାୟତରୁ କାହାକୁ ପ୍ରାର୍ଥ କଲେ ବିଜୟ ସମ୍ଭାବନା ଅଧିକ ସେହିଭଳି ପ୍ରାର୍ଥୀ ପ୍ରାର୍ଥ ଖୋଜା ଆରମ୍ଭ ହୋଇଗଲାଣି । ଗତ ୧୦ତାରିଖ ଦିନ ବିଜେଡି ପକ୍ଷରୁ ଛେନାପଦିଛକ କାର୍ଯ୍ୟାଳୟ ଠାରେ ବିଧାୟକ ଭାଗିରଥି ସେଠୀ, ଅବଜରଭର ଅନୁଭବ ପଟ୍ଟନାୟକ ଜୋନ ସ୍ତରୀୟ ସମୀକ୍ଷା ବୈଠକ କରି ପ୍ରତି ପଞ୍ଚାୟତରେ କିପରି ଦଳ ସଫଳତା ହାସଲ କରିବ ସେନେଇ କର୍ମୀମାନଙ୍କ କାନରେ ମନ୍ତ୍ର ଫୁଙ୍କିଛନ୍ତି । ନିଜ ନିଜ ଭିତରେ ଥିବା ମତଭେଦକୁ ଭୁଲି ସମସ୍ତେ ଏକଯୁଟ ହୋଇ ସଫଳତା ପାଇଁ ଲାଗିପଡିବାକୁ ସେମାନେ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ବିଜେପି ପକ୍ଷରୁ ମଧ୍ୟ ପ୍ରସ୍ତୁତି ଯୋରଦାର ଆରମ୍ଭ ହେଲାଣି । ବିଜେପିର ବରିଷ୍ଠ ନେତା ଆଲୋକ ସେଠୀଙ୍କ ଦ୍ୱାରା ପ୍ରତି ପଞ୍ଚାୟତରେ ବୈଠକ ମାନ କରାଯାଇ କର୍ମୀ ମାନଙ୍କୁ ଏକଯୁଟ କରାଯାଉଛି । ହାଟଡିହି ବ୍ଲକର ଜନସଂଖ୍ୟା ୧ଲକ୍ଷ ୬୪ହଜାର ୬୨୬ହୋଇଥିବାବେଳେ ୩୧ଟି ଯାକ ପଞ୍ଚାୟତରେ ୪୨୧୮୭ଜଣ ହରିଜନ, ୩୦୦୧୮ ଆଦିବାସୀ ଓ ୯୨୪୨୪ଜଣ ଅନ୍ୟାନ୍ୟ ବର୍ଗର ଲୋକମାନେ ବାସକରନ୍ତି । ଗତ ନିର୍ବାଚନରେ ବ୍ଲକ ଅଧ୍ୟକ୍ଷ ପଦବୀ ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଇଥିବାବେଳେ ଚଳିତ ନିର୍ବାଚନରେ ବ୍ଲକର ଅଧ୍ୟକ୍ଷ ପଦ ଅନୁସୁଚିତ ଜାତିଙ୍କ ପାଇଁ ପାଇଁ ସଂରକ୍ଷିତ କରାଯାଇଛି । ସଂରକ୍ଷଣ ତାଲିକା ପ୍ରକାଶ ପାଇବାପରେ ଏବେ ଅନେକ ଆଶାୟୀ ସେମାନଙ୍କ ଗୋଟିଚାଳନା ଆରମ୍ଭ କଲେଣି । ଏପରିକି ବିଭିନ୍ନ ନେତାମାନେ ମଧ୍ୟ ସେମାନଙ୍କ ଅନୁଗତ ମାନଙ୍କୁ ଖୋଜିବାରେ ଲାଗିପଡିଲେଣି । ୩୧ଟି ସମିତିସଭ୍ୟ ପଦ ମଧ୍ୟରୁ ଆସନ୍ତା ନିର୍ବାଚନରେ ୧୬ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ସେଥିମଧ୍ୟରୁ ୪ଟି ଅନୁସୁଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିବାବେଳେ ୮ଟି ଅସଂରକ୍ଷିତ ମହିଳା, ଗୋଟିଏ ପଛୁଆବର୍ଗ ମହିଳା ଓ ୩ଟି ଅନୁସୁଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ଗତ ୨୦୦୭ରେ ଅଧକ୍ଷ ପଦବୀ ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ଥିବାବେଳେ ୨୦୧୨ନିର୍ବାଚନରେ ଅଧ୍ୟକ୍ଷ ପଦବୀଟି ଅନୁସୁଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା । ୨୦୧୭ରେ ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବାବେଳେ ପୁନର୍ବାର ଚଳିତ ୨୦୨୨ନିର୍ବାଚନ ପାଇଁ ଏହାକୁ ଅନୁସୁଚିତ ଜାତି ମହିଳା କରାଯାଇଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଦଳୀୟ ସମର୍ଥନ କାହାକୁ ମିଳିବ ଓ କିଏ ଏହି ଚୌକିରେ ବସିବେ ତାହା ସମୟ ହିଁ ଷ୍ପଷ୍ଟ କରିବ । କିନ୍ତୁ ବର୍ତ୍ତମାନ ସମୟରେ ବିଭିନ୍ନ ଦଳ ଭିତରେ ଲାଗିଥିବା ଛକାପଞ୍ଝା ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ଆଲୋଚନା ହେଉଛି ।


