ବାଇକ ଓ ଅଟୋ ମୁହାଁମୁହିଁ ଧକ୍କା, ଜଣେ ମୃତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା କାଶୀନଗର ବ୍ଲକ ତଥା ପାରଳାଖେମୁଣ୍ଡି ଆଦର୍ଶଥାନା ଅନ୍ତର୍ଗତ ପୋଲୁରୁ ଗ୍ରାମ ନିକଟ ମୁଖ୍ୟ ରାସ୍ତାରେ ଏକ ବାଇକ ଓ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବାର ଜଣାପଡିଛି । ଏଥିରେ ଅଟୋରେ ବସିଥିବା ୫ଜଣ ଆହତ ହୋଇଥିବାର ମଧ୍ୟ ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଅଣ୍ଡରସିଂ ଗ୍ରାମର ଅମ୍ରେଶ ଜେନା ଅରଫ ସୁଯୋଗ୍ୟ ଜେନା (୨୬) ବିଶ୍ରି ଗ୍ରାମରୁ ଏକ ବାହାଘର ଭୋଜିରେ ଯୋଗଦେଇ ବାଇକ ନମ୍ବର ଏପି୩୩ ୭୭୩୯ ଯୋଗେ ଫେରୁଥିବା ବେଳେ ପାରଳାଖେମୁଣ୍ଡିରୁ କେ.ସୀତାପୁର ଅଭିମୁଖେ ଯାଉଥିବା ଏପି୩୦ୱାଇ ୦୨୪୭ ନମ୍ବର ବିଶିଷ୍ଟ ଅଟୋ ସହ ମୁହାଁମୁହିଁ ଧକ୍କା ଘଟିଥିଲା । ଫଳରେ ବାଇକ ଚଳାଉଥିବା ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅଟୋଟି ଭାରସାମ୍ୟ ହରାଇ ଓଲଟିପଡିଥିଲା । ଏଥିରେ ବସିଥିବା ଜଣେ ମହିଳା ଗୁରୁତର ଥିବାର ମଧ୍ୟ ଜଣାପଡିଛି । ଘଟଣା ସ୍ଥଳରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ପହଂଚି ମୃତ ଯୁବକଙ୍କ ଶବକୁ ଜବତ କରି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ଗୁରୁତର ଆହତ ମହିଳାଙ୍କୁ ଚିକିତ୍ସା ନିମନ୍ତେ ମଧ୍ୟ ପଠାଇ ଦେଇଥିବାର ଥାନା ସୂତ୍ରରୁ ପ୍ରକାଶ । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ୨୭୯/୨୧ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବାର ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ