ଇନ୍ଧନ ଗ୍ୟାସ ମୂଲ୍ୟ ବୃଦ୍ଧି ନେଇ ଗର୍ଜିଲା ବିଜେଡି
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):ଇନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଆଜି ଭଣ୍ଡାରିପୋଖରୀ ବିଜୁ ମହିଳା, ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଯୁବ ବିଜେଡି ସଭାପତି ଲଳିତ ରାଉତଙ୍କ ନେତୃତ୍ୱରେ ତହସିଲ ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ବ୍ଲକ ପ୍ରାଙ୍ଗଣ ଶନିମନ୍ଦିର ଠାରେ ପହଂଚିବା ପରେ ପ୍ରତିବାଦ ସଭା ଆରମ୍ଭ ହୋଇଥିଲା। ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀଧର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ କେନ୍ଦ୍ର ସରକାରଙ୍କ ଜନମାରଣ ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ସାମ୍ପ୍ରତିକ ସମୟରେ ତେଲ ଓ ରନ୍ଧନ ଗ୍ୟାସ ଯେଉଁଭଳି ଭାବେ ବୃଦ୍ଧି ପାଉଛି ଏଥିରେ ସାଧାରଣ ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦର ବୃଦ୍ଧି ପାଇଁ କେନ୍ଦ୍ର ସରକାର ସମ୍ପୁର୍ଣ୍ଣ ଭାବେ ଦାୟୀ ରହିଥିବା ବେଳେ ଏହା ଉପରେ ଦୃଷ୍ଟି ଦିଆନଗଲେ ଆଗାମୀ ଦିନରେ ଲୋକଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ବିଜେଡି ପ୍ରତିବାଦକୁ ତୀବ୍ର କରିବ ବୋଲି ଶ୍ରୀ ସାମଲ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଜିଲ୍ଲା ଛାତ୍ର ସଭାପତି ଦୀପ୍ତିସୂର୍ଯ୍ୟ ବିଶ୍ୱାଳ, ମହିଳା ବିଜେଡି ସଭାନେତ୍ରୀ ରଶ୍ମିତା ପାଢ଼ୀ, ଛାତ୍ର ସଭାପତି ରବିନ୍ଦ୍ର କୁମାର ବେହେରା, ବିଶ୍ୱଜିତ ଜେନା ପ୍ରମୁଖ ଏଥିରେ ଯୋଗଦେଇଥିଲେ। ବ୍ଲକ ଅଧିନ ୨୩ଗୋଟି ପଂଚାୟତର ମହିଳା, ଯୁବ ଓ ଛାତ୍ର ବିଜେଡିର କର୍ମକର୍ତ୍ତା ମାନେ ବିକ୍ଷୋଭ ସହିତ ଧାରଣାରେ ଭାଗ ନେଇ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଥିଲେ। ପରେ ପରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦଳ ପକ୍ଷରୁ ବିଡ଼ିଓଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।


