ଗଜପତି ଉତ୍ସବ ୪ ବର୍ଷ ଧରି ଅନୁଷ୍ଠିତ ହେଉନାହିଁ….?
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲାର ଐତିହ୍ୟ ସଂସ୍କୃତି ପରମ୍ପରା ଆଦିର ଉତ୍ସବ “ଗଜପତି ଉତ୍ସବ” ଗତ ୪ବର୍ଷ ଧରି କାହିଁକି ପାଳନ କରାଯାଉନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶେଷ ଥର ପାଇଁ ଗତ ୨୦୧୭ ମସିହାରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବ । ୨୦୧୮ରେ ତିତିଲି ମହାବାତ୍ୟା, ୨୦୧୯ରେ କୌଣସି କାରଣରୁ ଏବଂ ୨୦୨୦ ଜାନୁୟାରୀ ୧୦ ତାରିଖରେ ଏହା ଅନୁଷ୍ଠିତ ହେବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲେ ହେଁ ପାରଳା ମହାରାଜା ଗୋପୀନାଥ ଗଜପତିଙ୍କ ଦେହାନ୍ତ ଯୋଗୁଁ ସ୍ଥଗିତ ରହିଗଲା । ଏହାପରେ କରୋନାର କରାଳ କାଳ ଗ୍ରାସ କରିଥିବା ଯୋଗୁଁ ବର୍ତ୍ତମାନ ଯାଏଁ କୌଣସି ଜିଲ୍ଲାସ୍ତରୀୟ ଉତ୍ସବ ପାଳିତ ହୋଇପାରିନାହିଁ । ୨୦୧୭ରେ ମଧ୍ୟ ବହୁ କଷ୍ଟ ସହକାରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା । ତେବେ ୨୦୨୦ରେ ମହାଆଡମ୍ବର ସହକାରେ ପାଳିତ ହେବାକୁ ଥିବା ଏହି ଗଜପତି ଉତ୍ସବ ପାଇଁ ବ୍ଲକସ୍ତରୀୟ କାର୍ଯ୍ୟକ୍ରମ ଶେଷ ହୋଇଥିଲେ ମଧ୍ୟ ଜାନୁଆରୀ ୧୦ରେ ଜିଲ୍ଲାସ୍ତରରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଥିଲା । ହେଲେ ଉକ୍ତ ଦିନ ପାରଳା ମହାରାଜା ଗୋପୀନାଥ ଗଜପତିଙ୍କ ଦେହାନ୍ତ ଘଟିଥିବା ଯୋଗୁଁ ଶେଷ ସମୟରେ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା । ହେଲେ ଅଣଆନୁଷ୍ଠାନିକ ତଥା ନିରାଡମ୍ବରରେ ପଲ୍ଲିଶ୍ରୀମେଳା ଅନୁଷ୍ଠିତ ହୋଇଥିଲା । ବର୍ଷ ବର୍ଷ ଧରି ଏପରି ମନରଂଜନ କାର୍ଯ୍ୟକ୍ରମ ହୋଇନଥିବାରୁ ଲୋକଙ୍କ ମନରେ ଏକ ପ୍ରକାର ନିରୁତ୍ସାହିତ ମନୋଭାବ ସୃଷ୍ଟି ହୋଇଥିବାର ଜଣାପଡିଛି । ଅନ୍ୟପକ୍ଷରେ ବର୍ତ୍ତମାନ କୋଭିଡ କଟକଣା ଜାରି ରହିଥିଲେ ମଧ୍ୟ ମହାସମାବେଶ ଗୁଡିକ ଅନୁଷ୍ଠିତ ହେଉଛି । କିନ୍ତୁ ଏପରି ଲୋକ କଳା ତଥା ଜିଲ୍ଲାସ୍ତରୀୟ ଉତ୍ସବ ନ ହେବା ବିଭିନ୍ନ ମହଲରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।


