ଗାଳିଗୁଲଜ ନେଇ ଥାନାରେ ଅଭିଯୋଗ
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ତେସିଙ୍ଗା ପଞ୍ଚାୟତ ବଡ଼ବନସ୍ତା ଗ୍ରାମରେ ଏକ ଅପ୍ରୀତିକର ଘଟଣା ଘଟିଛି। ଗ୍ରାମର ବିଶ୍ୱନାଥ ସାହୁ ଏକ ଦୋକାନ କରିଥିବା ବେଳେ ଆଜି ତାଙ୍କ ଝିଅ ମନୋରମା ବାପାଙ୍କ ଅନୁପସ୍ଥିତିରେ ଦୋକାନରେ ରହି ବିକ୍ରୟ କରୁଥିଲେ। ହଠାତ ମହିଳା ମହାସଂଘ ନେତ୍ରୀ ମାନେ ସେଠାରେ ପହଞ୍ଚି ପୂର୍ବର କୌଣସି ଶତ୍ରୁତାକୁ ନେଇ ଗାଳିଗୁଲଜ ଆରମ୍ଭ କରିଥିଲେ। ଏତିକିବେଳେ ମନୋରମାଙ୍କ ମା ବାସନ୍ତୀ ସେଠାରେ ପହଂଚି ଏହାକୁ ବିରୋଧ କରିବାରୁ ଉତ୍ୟକ୍ତ ମହିଳା ମାନେ ତାଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ। ଏପରିକି ମା, ଝିଅ ଦୁହିଁଙ୍କୁ ଏଠାରେ ଦୋକାନ କରିପାରିବ ନାହିଁ ବୋଲି ତାଗିଦ କରିଥିବା ବେଳେ ଆକ୍ରମଣ ମଧ୍ୟ କରିଥିବା ଥାନାରେ ଅଭିଯୋଗ ହୋଇଛି। ପୁଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି।


