ସୀମାନ୍ତ ଆନ୍ଧ୍ରରେ ଓମିକ୍ରନ ଭୂତାଣୁ ଗଜପତିରେ ଓମିକ୍ରନ ଆତଙ୍କ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସୀମାନ୍ତରେ ଥିବା ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାରେ ଏମିକ୍ରନ ମହାମାରୀ କିଛି ଦିନ ହେଲା ଦେଖାଦେଇ ଥିବାର ଜଣାପଡିଛି । ଏହି ଖବର ପ୍ରଚାର ହେବା ପରେ ଗଜପତି ଜିଲ୍ଲାର ସାଧାରଣଙ୍କ ଠାରେ ଆତଙ୍କ ଦେଖାଦେଇଛି । କେରଳ, ଚଣ୍ଡିଗଡ, ମହାରାଷ୍ଟ୍ର ଆଦି ରାଜ୍ୟ ପରେ ପଡୋଶୀ ତଥା ସୀମାନ୍ତ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାରେ ଏମିକ୍ରନ ରୋଗୀ ଚିହ୍ନଟ ପରେ ଗଜପତି ଜିଲ୍ଲାବାସୀ ଆତଙ୍କିତ ହେବା ସହ ହଠାତ ଏହି ମହାମାରୀ କେଉଁ ପରିସ୍ଥିତି ସୃଷ୍ଟି କରିବ ସେ ନେଇ ଚିନ୍ତିତ ରହିଛନ୍ତି । କାରଣ ଗଜପତି ଜିଲ୍ଲାରୁ ଦୈନନ୍ଦିନ ତଥା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କ୍ଷୀର, ଅଣ୍ଡା, ମାଛ, କେତେକ ଖବରକାଗଜ, ପନିପରିବା, ଛତୁ ଆଦି ବିଭିନ୍ନ ପ୍ରକାର ଦ୍ରବ୍ୟ ଆସିଥାଏ । ସେହିପରି ପ୍ରତ୍ୟେକ କାର୍ଯ୍ୟରେ ଗଜପତି ଜିଲ୍ଲାରୁ ଆନ୍ଧ୍ରକୁ ଯିବା ଆସିବା ଦୈନନ୍ଦିନ ଲାଗି ରହିଥାଏ । ବିଶେଷ କରି ଶିକ୍ଷା ନିମନ୍ତେ ମଧ୍ୟ ଛାତ୍ରୀଛାତ୍ର ତଥା ଜନସାଧାରଣମାନେ ଯାତାୟତ କରନ୍ତି । ମେଡିକାଲ କାର୍ଯ୍ୟରେ ଦୈନିକ ଆନ୍ଧ୍ରର ଶ୍ରୀକାକୁଲମ ଓ ବିଶାଖାପାଟଣା ସହର ମୁଖ୍ୟ ଭରସା ଅଟେ । ଏଣୁ ସଦାସର୍ବଦା ଗଜପତିବାସୀ ଶ୍ରୀକାକୁଲମ ଓ ବିଶାଖାପାଟଣା ସହର ଉପରେ ଭରସା କରିଥାନ୍ତି । ବର୍ତ୍ତମାନ ଶ୍ରୀକାକୁଲମ ଜିଲ୍ଲାର ଗୋଟିଏ ସ୍କୁଲରେ ମଧ୍ୟ କରୋନା ପଜିଟିଭ ଦେଖାଦେଇଛି । ଦୈନିକ ଆନ୍ଧ୍ରରୁ ବସ ପାରଳାଖେମୁଣ୍ଡି ସହର ସମେତ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାତାୟତ କରୁଛି । ଏହା ସହ ବିଭିନ୍ନ ପରିବହନ ଗାଡି ଗୁଡିକୁ ଦୈନିକ ଶତାଧିକ ଆସୁଛି । ସାମଗ୍ରୀକ ଭାବେ ଅନୁଧ୍ୟାନ କଲେ ଭାରିଆଣ୍ଟ ଏହି ସୀମାନ୍ତ ଅଞ୍ଚଳର ଗ୍ରାମରେ ସହଜରେ ବ୍ୟାପିବା ନେଇ ଆଶଙ୍କାରେ ସୀମାନ୍ତ ଗଜପତିବାସୀ ବର୍ତ୍ତମାନ ଆତଙ୍କିତ ହୋଇପଡିଛନ୍ତି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏ ଦିଗରେ ସ୍ୱତନ୍ତ ଧ୍ୟାନଦେଇ ପ୍ରତିକାର ବ୍ୟବସ୍ଥା କଲେ ଗଜପତି ଜିଲ୍ଲାବାସୀ ସୁରକ୍ଷିତ ରହିପାରିବେ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।