ଚାନ୍ଦୋଳ ବଜାରରୁ ବାରମ୍ବାର ଚୋରୀ ପଦକ୍ଷପେ ପାଇଁ ଏସପିଙ୍କୁ ଦାବିପତ୍ର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଚାନ୍ଦୋଳ ବଜାରରୁ ବାରମ୍ବାର ଚୋରୀ ହେଉଥିବାରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ନିମନ୍ତେ ଚାନ୍ଦୋଳ ବ୍ୟବସାୟୀ ସଙ୍ଘ ପକ୍ଷରୁ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଗତ କିଛି ଦିନ ହେବ ପୋଲିସକୁ ଚ୍ୟାଲେଞ୍ଜ କରି ବଜାରରୁ ବାରମ୍ବାର ଚୋରୀ ହେଉଛି । ଚୋର ଧରିବାରେ ପୋଲିସର ବିଫଳତା ଯୋଗୁଁ ବ୍ୟବସାୟିମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ଆସନ୍ତା ୭ଦିନ ମଧ୍ୟରେ ସମସ୍ତ ଚୋରଙ୍କୁ ଧରିବା ସହିତ ରାତ୍ରିକାଳୀନ ପାଟ୍ରୋଲିଙ୍ଗକୁ କଡାକଡି କରାଯିବା ଏବଂ ସାପ୍ତାହିକ ହାଟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ପାଇଁ ସଙ୍ଘ ଏସପିଙ୍କୁ ନିବେଦନ କରିଛି । ଯଦି ପୋଲିସ ଏଥିରେ ବିଫଳ ହୁଏ ତେବେ ଆସନ୍ତା ୨୪ତାରିଖରେ ଚାନ୍ଦୋଳ ପୋଲିସ ଫାଣ୍ଡି ସମ୍ମୁଖରେ ଚାନ୍ଦୋଳ ବ୍ୟବସାୟୀ ସଙ୍ଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଦାବିପତ୍ର ପ୍ରଦାନ ସମୟରେ ବ୍ୟବସାୟୀ ସଙ୍ଘର ସଭାପତି ଶିବାଶିଷ ମହାନ୍ତି, ସମ୍ପାଦକ ପ୍ରଶାନ୍ତ କୁମାର ସାହୁ, ଯୁଗ୍ମ ସମ୍ପାଦକ ମିହୀର ସାମଲ, ସରୋଜକାନ୍ତ ପଣ୍ଡା, ସୁଦିପ୍ତ କୁମାର ନାୟକ, କୈଳାସ ଚନ୍ଦ୍ର ବେହେରା, ଅଗଣୀ ମିଶ୍ର, ରଞ୍ଜନ ଜେନା, ଦେବାଶିଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।


