ମସ୍ତିଷ୍କ ବିକୃତ ମହିଳାକୁ ଉଦ୍ଧାର କଲା ବ୍ରହ୍ମପୁର ମୁନିସିପାଲ କର୍ପୋରେସନ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକ ଗ୍ରେସିଙ୍ଗିଆ ଗ୍ରାମର ସଞ୍ଜିତା ପ୍ରଧାନ (୫୦)ମସ୍ତିଷ୍କ ବିକୃତ ମହିଳାକୁ ବ୍ରହ୍ମପୁର ମୁନିସିପାଲ କର୍ପୋରେସନ ଉଦ୍ଧାର କରି ଜି.ଉଦୟଗିରି ପ୍ରଶାସନକୁ ହସ୍ତାନ୍ତର କରିଥିବା ଜଣାପଡିଛି । ବିବରଣୀରୁ ପ୍ରକାଶ ଯେ ଜି.ଉଦୟଗିରି ବ୍ଳକ ଅନ୍ତର୍ଗତ ଗ୍ରେସିଙ୍ଗିଆର ସଞ୍ଜିତା ପ୍ରଧାନ କିଛି ଦିନ ହେବ ବ୍ରହ୍ମପୁର ଅଞ୍ଚଳରେ ଏଣେତେଣେ ବୁଲୁଥିଲା । ବ୍ରହ୍ମପୁର ସିଟି ମ୍ୟାନେଜର ତାକୁ ଉଦ୍ଧାର କରିବା ସହ ତାର ପରିଚୟ କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଳକ ଅନ୍ତର୍ଗତ ଗ୍ରେସିଙ୍ଗିଆର ବୋଲି ଜାଣିପାରି ଜି.ଉଦୟଗିରି ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନଙ୍କ ସହ ଯୋଗାଯୋଗ କରି ଗୁରୁବାର ବିଳମ୍ବିତ ରାତିରେ କଳିଙ୍ଗା ଠାରେ ହସ୍ତାନ୍ତର କରିଥିଲେ। ସେଠାରୁ ପ୍ରଶାସନ ତାଙ୍କୁ ଆଣି ଜି.ଉଦୟଗିରି ସ୍ଥିତ ସୁଭଦ୍ରା ମହତାବ ସେବାସଦନରେ ଥଇଥାନ କରିଥିଲେ । ପରେ ଖବର ନେବାରେ ଜଣାପଡିଥିଲା ଯେ ତାଙ୍କ ସ୍ୱାମୀ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କର ଏକ ମାତ୍ର କନ୍ୟାର ବିବାହ ସରିଥିଲେ ମଧ୍ୟ ମା’ଙ୍କୁ ନିଜ ପାଖରେ ରଖିବାକୁ ଅବସ୍ଥା ସ୍ଵଛଳ ନଥିଲା । ତେଣୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରୀପାଠୀ ଓ ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନ, ଏନଏସି ଅଧିକାରୀଣୀ ଇତିଶ୍ରୀ ଷଡଙ୍ଗୀ, ଥାନା ଅଧିକାରୀଣୀ ରେବତୀ ଶବର, ବ୍ରହ୍ମପୁର ସିଟି ମ୍ୟାନେଜର ଓ ଏନଏସି କର୍ମଚାରୀଙ୍କ ଉପସ୍ଥିତିରେ ସଞ୍ଜିତାକୁ ନେଇ ଗ୍ରେସିଙ୍ଗିଆ ସ୍ଥିତ ସୁକାନାଣ୍ଡା ଠାରେ ଥିବା ମିଶନାରୀ ଅଫ୍ ଚାରିଟୀକୁ ହସ୍ତାନ୍ତର କରାଯାଇଥିବା ନେଇ ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନ ସୂଚନା ଦେଇଛନ୍ତି ।


