ପ୍ରଧାନଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ.ବୃଶକେତୁ ଦାସଙ୍କୁ ଗତକାଲି ରବିବାର ସନ୍ଧ୍ୟା ସମୟରେ ପୁରାତନ ଛାତ୍ର ସଂସଦ ପକ୍ଷରୁ ରାଜଦାଣ୍ଡ ସ୍ଥିତ ବିଶ୍ୱନାଥ କଲ୍ୟାଣମଣ୍ଡପ ଠାରେ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ସମାରୋହରେ ପାରଳାଖେମୁଣ୍ଡି ରାଜକୁମାରୀ କଲ୍ୟାଣୀ ଦେବୀ, ଗୁରୁଗୌରବ ଗୌରଚନ୍ଦ୍ର ପଣ୍ଡା, ଅବରପ୍ରାପ୍ତ ଓଡିଶା ପ୍ରଶାସନିକ ଅଧିକାରୀ ତଥା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର. ବରିଷ୍ଠ ରାଜନେତା ବସନ୍ତ ଦାସ, ପ୍ରଦୀପ କୁମାର ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଡ.ଦାସ ଗତ ୨୮.୦୮.୨୦୧୯ରେ ପାରଳାଖେମୁଣ୍ଡି ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରି ଦାୟିତ୍ୱ ଗ୍ରହଣ ପର ଠାରୁ ଅବସର ଗ୍ରହଣ ଦିନ ଯଥା ଗତ ଜାନୁୟାରୀ ୩୧, ୨୦୨୨ତାରିଖ ପର୍ଯ୍ୟନ୍ତ ମହାରାଜା ହାଇସ୍କୁଲର ଉନ୍ନତି, ବିକାଶ ଓ ଛାତ୍ରଙ୍କ ଶିକ୍ଷାଦାନ ଉପରେ ନିଜକୁ ନିୟୋଜିତ କରି ହାଇସ୍କୁଲର ବେସ ଉନ୍ନତି ସାଧନ କରିଥିବାରୁ ମଞ୍ଚାସୀନ ବକ୍ତାମାନେ ଅବସର ଗ୍ରହଣ କରିଥିବା ଡ.ଦାସଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଏହା ସହ ଡ.ଦାସ ଜଣେ ବିଶିଷ୍ଟ ଶିକ୍ଷାବିତ, ବାଣୀ ସାଧକ, ବଗ୍ମୀ ତଥା ବହୁମୁଖୀ ପ୍ରତିଭାଧର ବୋଲି ମଧ୍ୟ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ । ସମ୍ବର୍ଦ୍ଧନା ସଭାରେ ଡ.ଦାସ ନିଜ ପ୍ରତି ଉତ୍ତରରେ କହିଥିଲେ ଯେ, ବିଦ୍ୟାଳୟର ଉନ୍ନତି ପାଇଁ ମୋର ସମସ୍ତ ସହକର୍ମୀ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହଯୋଗରେ ଉନ୍ନତି ସାଧିତ କରିପାରିଛି । ବିଶେଷ କରିପାରଳାଖେମୁଣ୍ଡି ସହରବାସୀ, ସମସ୍ତ ଗଣମାଧ୍ୟମ ପ୍ରତିନିଧି, ସମସ୍ତ ପଦାଧିକାରୀ ଓ ରାଜନେତାମାନଙ୍କ ସମସ୍ତ ସହଯୋଗ ଓ ସମର୍ଥନରେ ଗତ ୨୦୧୯ଠାରୁ ଅବସର ନେବା ପର୍ଯ୍ୟନ୍ତ ସୁରୁଖୁରୁରେ ଦାୟିତ୍ୱ ସମ୍ପାଦନା କରିପାରିଛି । ଏଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଯେଉଁ ସ୍ଥାନରେ ଥିଲେ ବି ଏହି ଶତାୟୁ ପୁରାତନ ହାଇସ୍କୁଲର ଉନ୍ନତି ପାଇଁ ଡାକରା ଦେଲେ ମୁଁ ନିଜକୁ ଗର୍ବର ସହ ସ୍ୱେଚ୍ଛାକୃତ ଭାବେ ନିୟୋଜିତ ହେବି ବୋଲି କହିଥିଲେ । ଏହି ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହରେ ପୁରାତନ ଛାତ୍ର ସଂସଦର ସଦସ୍ୟମାନେ ରମେଶ ଚନ୍ଦ୍ର ଚୌଧୁରୀ, ଭାରତଭୂଷଣ ମହାନ୍ତି, ବସନ୍ତ କୁମାର ପଣ୍ଡା, ରାଜେନ୍ଦ୍ର ବେହେରା ପ୍ରମୁଖଙ୍କ ସହ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ବହୁ ପୁରାତନ ଛାତ୍ର କୋଭିଡ୍ ନିୟମାବଳୀକୁ ଦୃଷ୍ଟିରେ ରଖି ଯୋଗଦେଇଥିଲେ ।


