ରାସ୍ତା ଓ ଡ୍ରେନ ନିର୍ମାଣ ଦାବିରେ ଧାରଣା
ବାଲେଶ୍ୱର, (ସରୋଜ ପଣ୍ଡା) :-ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ (ଡିଆରଡିଓ) ପକ୍ଷରୁ ନିର୍ମାଣଧୀନ କୁରୁଡ଼ା ପର୍ଯ୍ୟନ୍ତ ନୂତନ ରାସ୍ତାରେ ତ୍ରୁଟିପୂର୍ଣ୍ଣ ନିଷ୍କାସନ ବ୍ୟବସ୍ଥାକୁ ନେଇ ମେଘଡମ୍ବରୁ ବିକାଶ ପରିଷଦ ପକ୍ଷରୁ ପ୍ରତିକାତ୍ମକ ଧାରଣା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ମେଘଡମ୍ବରୁ ଓ ତାମୂଳିଆ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଏଥିରେ ଯୋଗଦେଇ ପ୍ରତିରକ୍ଷା ବିଭାଗର ମନମୁଖୀ କାର୍ଯ୍ୟଧାରା ଓ ଜନସାଧାରଣଙ୍କ ସମସ୍ୟା ପ୍ରତି ଖାମଖିଆଲି ମନୋଭାବକୁ ତୀବ୍ର ବିରୋଧ କରିଥିଲେ । ଏହି ରାସ୍ତା ପାଇଁ ୨୫ ପରିବାରଙ୍କୁ ବେଘର ହେବାକୁ ପଡ଼ିଥିବା ବେଳେ ଆପ୍ରୋଚ ରୋଡ଼ ନିର୍ମାଣକୁ ପ୍ରତିରକ୍ଷା ବିଭାଗର ଅଣଦେଖା ନୀତି ଅଞ୍ଚଳବାସୀଙ୍କ ପାଇଁ ବିପଦ ହୋଇଥିବା ସେମାନେ କହିଛନ୍ତି । ସବୁଠାରୁ ବଡ଼କଥା ହେଲା ଏହି ରାସ୍ତା ପାଶ୍ୱର୍ରେ ଡ୍ରେନ ନିର୍ମାଣ କରିବା ଓ ଓଟିରୋଡ଼କୁ ସଂଯୋଗ ନିମନ୍ତେ ଏକ ବାଇପାସ ରୋଡ଼ ନିର୍ମାଣ ପାଇଁ ପୂର୍ବରୁ ପ୍ରତିରକ୍ଷା ବିଭାଗ କରିଥିବା ଅଟକଳକୁ ଏବେ ବନ୍ଦ କରାଯିବା କେଉଁ ନ୍ୟାୟରେ ବୋଲି ଧାରଣାରତ ଗ୍ରାମବାସୀମାନେ ପ୍ରଶ୍ନ କରିଛନ୍ତି । ଏହି ରାସ୍ତା ନିର୍ମାଣ ସାଙ୍ଗକୁ ଆବଶ୍ୟକ ଡ୍ରେନ କାର୍ଯ୍ୟ କରାଗଲେ ମେଘଡମ୍ବରୁ ଓ ତାମୂଳିଆ ଅଞ୍ଚଳ ଲୋକେ ସିଧାସଳଖ ଓଟିରୋଡ଼କୁ ଯାତାୟାତ କରିପାରି ଥା’ନ୍ତେ । ଏଥି ସହିତ ବର୍ଷାଜଳ ବି ସହଜରେ ନିଷ୍କାସନ ହୋଇପାରନ୍ତା । ମାତ୍ର ଏହାକୁ ବନ୍ଦ କରାଯିବା ଦ୍ୱାରା ଆଗାମୀ ଦିନରେ ପାଣି ନିଷ୍କାସନ ଏ ଅଞ୍ଚଳ ପାଇଁ ମୁଖ୍ୟ ସମସ୍ୟା ହେବାକୁ ଯାଉଥିବା ବେଳେ ଲୋକେ ଓଟିରୋଡ଼କୁ କେମିତି ଆସିବେ ତାହାକୁ ନେଇ ଗ୍ରାମବାସୀମାନେ ଚିନ୍ତା ପ୍ରକାଶ କରିଛନ୍ତି । ତୁରନ୍ତ ଏ ନେଇ ଉଚିତ ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ମେଘଡମ୍ବରୁ ବିକାଶ ପରିଷଦର ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି ।


