ଥାନା ଅଧିକାରୀ-ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

ବାଲେଶ୍ୱର, (ସରୋଜ ପଣ୍ଡା) :-ଚଳିତ ପଞ୍ଚାୟତ ନିର୍ବାଚନର ୧୮ ତାରିଖରେ ଦି୍ୱତୀୟ ପର୍ଯ୍ୟାୟ ମତଦାନ ବେଳେ ଜଳେଶ୍ୱର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବସ୍ତା ବ୍ଳକ କାଦ୍ରିୟାଁ ପଞ୍ଚାୟତରେ ହୋଇଥିବା ରାଗିଂ ଭୋଟ ଓ ବୁଥ କବଜାରେ ସରକାରୀ କଳ ତଥା ପୁଲିସକୁ ଦାୟୀ କରିଛି ଜିଲା କଂଗ୍ରେସ । ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଜିଲା କଂଗ୍ରେସ କମିଟି ସଭାପତି ସଞ୍ଜୀବ ଗିରି ଯୋଗଦେଇ ସିଂଲା ଥାନାଧିକାରୀ ଓ ବସ୍ତା ବିଡିଓଙ୍କ ସହଯୋଗରେ ର‌୍ୟାଗିଂ ଭୋଟ ଓ ବୁଥ ଦଖଲ ହୋଇଥିବା କହିଛନ୍ତି । ମାତ୍ର ୧୯ ତାରିଖରେ ଜଳେଶ୍ୱର ବିଧାୟକ ସ୍ପଷ୍ଟୀକରଣ ଦେବା ଆଳରେ ବିଡିଓ ଏବଂ ଥାନା ଅଧିକାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଶ୍ରୀ ଗିରି ଆରୋପ କରିଛନ୍ତି । ପୂର୍ବରୁ ସୂଚନା ଥିବା ସତ୍ତ୍ୱେ ସେଠାରେ ଅଧିକ ପୁଲିସ ମୁତୟନ କିମ୍ବା ସିସି କ୍ୟାମେରା ବ୍ୟବସ୍ଥା କରାଯାଇ ନଥିଲା । ଉଲେଖନୀୟ ବିଷୟ ହେଲା ରାଗିଂ କରି ଏହି ପଞ୍ଚାୟତରେ ମୃତ ଓ ଅନୁପସ୍ଥିତ ବ୍ୟକ୍ତିଙ୍କ ଭୋଟ ଦିଆଯିବା ଯୋଗୁଁ ମତଦାନ ହାର ୯୫ ପ୍ରତିଶତ ଛୁଇଁବା କଂଗ୍ରେସ କର୍ମକର୍ତ୍ତାମାନେ କହିଛନ୍ତି । ସକାଳ ୯ଟା ସୁଦ୍ଧା ୯୫ ପ୍ରତିଶତ ସରିଯାଇଥିବା ନେଇ ଜଳେଶ୍ୱର ବିଧାୟକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନାରୁ ରାଗିଂ ଭୋଟିଂ ଦ୍ୱାରା ଏହା ସମ୍ଭବ ବୋଲି ସେମାନେ ପ୍ରକାଶ କରିଛନ୍ତି । ଏଣୁ କାଦରେୟାଁ ପଞ୍ଚାୟତ ନିର୍ବାଚନକୁ ଅସିଦ୍ଧ ଘୋଷଣା ସହ ସାନି ମତଦାନ ପାଇଁ ଜିଲା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କଠାରେ ଲିଖିତ ଅଭିଯୋଗ ପାଇଁ କଂଗ୍ରେସର ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଯାତ୍ରା କରିଥିବା ଶ୍ରୀ ଗିରି କହିଛନ୍ତି । ସାନି ମତଦାନ ସହିତ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଅସାଧୁ ପୁଲିସ ଅଧିକାରୀ ଓ ବିଡିଓଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ ନେତାମାନେ ଦାବି କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲା ସାଧାରଣ ସମ୍ପାଦକ ଦେବଦତ୍ତ ଦାସ, ସମ୍ପାଦକ ପଶୁପତି ଉପାଧ୍ୟାୟ, ଜିଲା ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ ପ୍ରମୁଖ ଏହି ସାମ୍ବାଦିକ ସମ୍ମଳନୀରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ