ରାଷ୍ଟ୍ରୀୟ ମତଦାତା ପାଇଁ ସଚେତନତା ପ୍ରତିଯୋଗିତା
ବାଲେଶ୍ୱର, (ସରୋଜ ପଣ୍ଡା) :-ଦେଶରେ ପ୍ରଚଳିତ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ସହିତ ଏଥିରେ ମତଦାତାମାନଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା “ମୋ ଭୋଟ୍ ହିଁ ମୋ ଭବିଷ୍ୟତ-ଗୋଟିଏ ଭୋଟ୍ର ଶକ୍ତି” ବିଷୟ ଆଧାରିତ ରାଷ୍ଟ୍ରୀୟ ମତଦାତା ସଚେତନତା ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି । ଦ୍ୱାଦଶ ରାଷ୍ଟ୍ରୀୟ ମତଦାତା ଦିବସ-୨୦୨୨ ପାଳନ ଅବସରରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ସମସ୍ତ ବୟସର ଲୋକଙ୍କ ପାଇଁ ଉପଲବ୍ଧ ଥିବା ବେଳେ ମାର୍ଚ୍ଚ ୧୫, ୨୦୨୨ ପର୍ଯ୍ୟନ୍ତ ଏହା ଖୋଲା ରହିବ । ପାଂଚଟି ବର୍ଗ ଯଥା- କୁଇଜ୍, ସ୍ଲୋଗାନ ପ୍ରସ୍ତୁତି , ଭିଡିଓ ପ୍ରସ୍ତୁତି , ଗୀତ ଗାଇବା ଏବଂ ପୋଷ୍ଟର ଡିଜାଇନ କରିବାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ଆନୁଷ୍ଠାନିକ, ପେସାଦାର ଓ ଅନଭିଜ୍ଞ ଭଳି ତିନୋଟି ସ୍ତରରେ ହେଉଥିବା ଏହି ପ୍ରତିଯୋଗିତା ସମ୍ବନ୍ଧରେ ସବିଶେଷ ତଥ୍ୟ ଭାରତ ନିର୍ବାଚନ ଆୟୋଗଙ୍କ ୱେବସାଇଟ୍ ତଥା ସଦ୍ଭରେ ମିଳିପାରିବ । ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରତିଯୋଗୀମାନେ ସବିଶେଷ ବିବରଣୀ ସହିତ ଆବେଦନଗୁଡିକୁ ଇ-ମେଲ ଆଇ.ଡି. ଙ୍ଖକ୍ଟଗ୍ଧରକ୍ସ-ମକ୍ଟଦ୍ଭଗ୍ଧରଗ୍ଦଗ୍ଧଅରମସ.ଶକ୍ଟଙ୍ଖ.ସଦ୍ଭ ରେ ଇମେଲ୍ କରିବେ । ଏଥି ସହିତ କେଉଁ ପ୍ରତିଯୋଗିତା ଏବଂ ବର୍ଗ ପାଇଁ ପ୍ରତିଯୋଗୀ ଆବେଦନ କରୁଛନ୍ତି ତାହା ସ୍ପଷ୍ଟ ଭାବେ ଉଲ୍ଲେଖ କରିବେ । ସଙ୍ଗୀତ, ଭିଡିଓ ପ୍ରସ୍ତୁତି ଓ ପୋଷ୍ଟର ଡିଜାଇନକୁ ୩ଟି ଲେଖାଏଁ ବର୍ଗରେ ବର୍ଗୀକରଣ କରାଯାଇଛି ଓ ସେଥିନିମନ୍ତେ ଆର୍ଥିକ ପୁରସ୍କାର ବ୍ୟବସ୍ଥା ରଖାଯାଇଛି । ଉକ୍ତ ୩ଟି ବିଭାଗ ପାଇଁ ବର୍ଗୀକରଣ କରାଯାଇଥିବା ସଙ୍ଗୀତ ବିଭାଗରେ ଆନୁଷ୍ଠାନିକ (ସ୍କୁଲ,କଲେଜ,ୟୁନିଭର୍ସିଟି) ସଫଳ ପ୍ରତିଯୋଗୀଙ୍କ ପାଇଁ ୧ମ ପୁରସ୍କାର ୧ଲକ୍ଷ ଟଙ୍କା, ୨ୟ ୫୦ହଜାର ଟଙ୍କା, ୩ୟ ପାଇଁ ୩୦ହଜାର ଟଙ୍କା ଓ ସ୍ୱତନ୍ତ୍ର ପାଇଁ ୧୫ହଜାର ଟଙ୍କା ରଖାଯାଇଛି । ସେହିପରି ସଂଗୀତର ପେସାଦାର ସଫଳ ପ୍ରତିଯୋଗୀ ପାଇଁ ୧ମ ୫୦ହଜାର, ୨ୟ ୩୦ହଜାର, ୩ୟ ୨୦ହଜାର ଓ ସ୍ୱତନ୍ତ୍ର ୧୦ହଜାର ଟଙ୍କା ରଖାଯାଇଛି । ସଙ୍ଗୀତର ଅନଭିଜ୍ଞ ସଫଳ ପ୍ରତିଯୋଗୀ ପାଇଁ ୧ମ ୨୦ହଜାର, ୨ୟ ୧୦ହଜାର, ୩ୟ ୭ହଜାର ୫ଶହ ଓ ସ୍ୱତନ୍ତ୍ର ପାଇଁ ୩ହଜାର ଟଙ୍କା ପୁରସ୍କାର ରଖାଯାଇଛି । ଭିଡିଓ ପ୍ରସ୍ତୁତିରେ ଆନୁଷ୍ଠାନିକରେ ୧ମ ପାଇଁ ୨ ଲକ୍ଷ, ୨ୟ ୧ଲକ୍ଷ, ୩ୟ ୭୫ହଜାର ଓ ସ୍ୱତନ୍ତ୍ର ୩୦ହଜାର, ପେସାଦାର ବର୍ଗରେ ୧ମ ୫୦ହଜାର, ୨ୟ ୩୦ହଜାର, ୩ୟ ୨୦ହଜାର, ସ୍ୱତନ୍ତ୍ର ୧୦ହଜାର ଏବଂ ଅନଭିଜ୍ଞ ବର୍ଗରେ ୧ମ ୩୦ହଜାର, ୨ୟ ୨୦ହଜାର, ୩ୟ ୧୦ହଜାର ଏବଂ ସ୍ୱତନ୍ତ୍ର ପାଇଁ ୫ହଜାର ଟଙ୍କାର ପୁରସ୍କାର ରଖାଯାଇଛି । ସେହିପରି ପୋଷ୍ଟର ଡିଜାଇନ ପ୍ରତିଯୋଗିତାରେ ଆନୁଷ୍ଠାନିକ ବର୍ଗରେ ୧ମ ପାଇଁ ୫୦ହଜାର, ୨ୟ ପାଇଁ ୩୦ହଜାର, ୩ୟ ପାଇଁ ୨୦ହଜାର ଏବଂ ସ୍ୱତନ୍ତ୍ର ପାଇଁ ୧୦ହଜାର, ପେସାଦାର ବର୍ଗରେ ୧ମ ୩୦ହଜାର, ୨ୟ ୨୦ହଜାର, ୩ୟ ୧୦ହଜାର, ସ୍ୱତନ୍ତ୍ର ୫ହଜାର ଏବଂ ଅନଭିଜ୍ଞ ବର୍ଗରେ ୧ମ ୨୦ହଜାର, ୨ୟ ୧୦ହଜାର, ୩ୟ ୭ହଜାର ୫ଶହ ଏବଂ ସ୍ୱତନ୍ତ୍ର ପାଇଁ ୩ହଜାର ଟଙ୍କାର ପୁରସ୍କାର ରଖାଯାଇଛି । ସ୍ଲୋଗାନ ପ୍ରତିଯୋଗିତା ପାଇଁ ୧ମ ପୁରସ୍କାର ୨୦ହଜାର, ୨ୟ ୧୦ହଜାର, ୩ୟ ୭ହଜାର ୫ଶହ ଏବଂ ସ୍ୱତନ୍ତ୍ର ପୁରସ୍କାର ଭାବେ ୫୦ଜଣ ଅଂଶଗ୍ରହଣକାରୀଙ୍କୁ ୨ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବା ପାଇଁ ଘୋଷଣା କରାଯାଇଛି । କୁଇଜ୍ ପ୍ରତିଯୋଗିତାର ବିଜେତାମାନଙ୍କୁ ଇସିଆଇ ର ପ୍ରତୀକ ସମ୍ବଳିତ ବ୍ୟାଜ୍ ପ୍ରଦାନ କରାଯିବାକୁ ଥିବା ବେଳେ ଏଥିରେ ହେବାକୁ ଥିବା ୩ସ୍ତରୀୟ ସମସ୍ତ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀମାନଙ୍କୁ ଇ-ସାର୍ଟିଫିକେଟ୍ ପ୍ରଦାନ କରାଯିବ । ଏହି ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ବିଶେଷ କରି ଆନୁଷ୍ଠାନିକ ବର୍ଗରେ ଥିବା ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀମାନେ ଯେପରି ବହୁଳ ଭାବେ ଭାଗ ନିଅନ୍ତି ସେଥିପାଇଁ ରାଜ୍ୟ ସରକାରଙ୍କ ଗୃହ(ନିର୍ବାଚନ) ବିଭାଗ ତଥା ଜିଲ୍ଲା ପ୍ରଶାସନ ତରଫରୁ ଗୁରୁତ୍ୱାରୋପ କରାଯାଇଛି । ସେହିପରି ଏ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଜିଲ୍ଲାର ସମସ୍ତ ଉପଖଣ୍ଡ, ବ୍ଲକ, ପୌର ପରିଷଦସ୍ତରୀୟ ନିର୍ବାଚନ ଅଧିକାରୀ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।


