ଷ୍ଟ୍ରଙ୍ଗ ରୁମ ଆଗରେ ଜଗି ରହିଛନ୍ତି ବିଜେପି ଓ କଂଗ୍ରେସର କର୍ମୀ, ସମର୍ଥକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଭୋଟପେଢି ହେରଫେର ଆଶଙ୍କାରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ(ଏସଏସଡି) ଷ୍ଟ୍ରଙ୍ଗରୁମ ସମ୍ମୁଖରେ ଜଗି ରହିଛନ୍ତି ବିଜେପି ଆଉ କଂଗ୍ରେସର ନେତା ଓ ସମର୍ଥକ । ଟେଣ୍ଟ ପକାଇ ଦିନରାତି ଶୀତ କାକରକୁ ଖାତିରି ନକରି ନେତା, କର୍ମୀ ଓ ସମର୍ଥକମାନେ ବିଦ୍ୟାଳୟ ସମ୍ମୁଖରେ ପାଳି କରି ୨୪ ଘଣ୍ଟିଆ ପହରା ଦେଉଛନ୍ତି । ଗତ ୧୬ ତାରିଖ ରାତିଠାରୁ ବିଜେପି ଓ କଂଗ୍ରେସର ନେତା, କର୍ମୀ ଓ ସମର୍ଥକ ମାନେ ଦିବାରାତ୍ର ଉଜାଗର ରହି କାଳେ ପ୍ରଶାସନ ପକ୍ଷରୁ ଭୋଟ ପେଢ଼ି କୁ ହେରଫେର କରିଦେବା ଆଶଙ୍କାରେ ଷ୍ଟ୍ରଙ୍ଗରୁମ ସମ୍ମୁଖରେ ଶୀତବସ୍ତ୍ର ପରିଧାନ କରି ଓ କାଠ ନିଆଁ ଜାଳି ପହରା ଦେଉଛନ୍ତି । ଗତ ୧୬ ତାରିଖରୁ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଏହି ପହରା ଜାରି ରହିବ ବୋଲି କଂଗ୍ରେସ ଓ ବିଜେପିର ସମର୍ଥକ ନେତା ଓ କର୍ମୀମାନେ କହିଛନ୍ତି । ନିର୍ବାଚନ ସମୟରେ ଶାସକ ଦଳର ସମର୍ଥକମାନେ ଅନ୍ୟ ଦଳର ସମର୍ଥକଙ୍କୁ ଧମକ ଚମକ ଦେଇ ନିଜ ସପକ୍ଷରେ ନେବାକୁ ସବୁ ପ୍ରକାର ଉଦ୍ୟମ କରିଥିଲେ । ପ୍ରଶାସନ ମଧ୍ୟ ଶାସକ ଦଳର ହାତ ବାରିଣୀ ହୋଇ ଭୋଟ ପେଢ଼ି ହେରଫେର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଓ ବିରୋଧିଙ୍କ ଅଭିଯୋଗ ଏବଂ ଉତେଜନା ସୃଷ୍ଟି ହେବାପରେ ପ୍ରଶାସନ ଅଧିକାରୀଙ୍କ ଉଦ୍ୟମ ଫସର ଫାଟି ଯାଇଥିବା ଦୁଇ ଦଳର ପ୍ରାର୍ଥୀ ଓ ସମର୍ଥକ ମାନେ ଅଭିଯୋଗ କରିଛନ୍ତି। କାଳେ ସେମାନେ ଭୋଟ ପେଢ଼ି ଜାଲିଆତି କରିବେ ସେହି ଆଶଙ୍କାରେ ସେମାନେ ଷ୍ଟ୍ରଙ୍ଗରୁମ ବାହାରେ ଜଗି ରହିଥିବା କହିଛ ନ୍ତି। ୩ଟି ଷ୍ଟ୍ରଙ୍ଗ ରୁମ କୋଠରୀରେ ୨ଟି ଲେଖାଏଁ ୬ଟି, ବାହାରେ ୨ଟି ଓ ପ୍ରବେଶ ପଥରେ ୨ଟି ସିସିଟିଭି କ୍ୟାମେରା ଲଗାଯାଇଛି । ଷ୍ଟ୍ରଙ୍ଗରୁମର ସୁରକ୍ଷା ନିମନ୍ତେ ଏକ ପ୍ଳାଟୁନ ଫୋର୍ସ ବିଦ୍ୟାଳୟ ପରିସରରେ ପହରା ଦେଉଛନ୍ତି। ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବିଡିଓ ତପସ୍ଵିନୀ ହାଁସଦା କହିଛନ୍ତି । ସୂଚନା ଯୋଗ୍ୟ, ମୋହନା ବ୍ଲକରେ ୩ଟି ଜିଲ୍ଲା ପରିଷଦ ଜୋନ ରହିଛି । ସେଥିମଧ୍ୟରୁ ଅଡବା ୮ ନମ୍ବର ଜୋନରେ ୧୫ଟି ପଞ୍ଚାୟତ , ୧୯୭ ବୁଥ ଓ ୩୪ ହଜାର ୨୬୦ ଭୋଟର ରହିଥିବା ବେଳେ ମୋହନା ୯ ନମ୍ବର ଜୋନରେ ୧୧ଟି ପଞ୍ଚାୟତ,୧୬୨ଟି ବୁଥ ଓ ୨୯ ହଜାର ୩୦୭ ଭୋଟର ଏବଂ ଚନ୍ଦ୍ରଗିରି ୧୦ ନମ୍ବର ଜୋନରେ ୧୩ଟି ପଞ୍ଚାୟତ, ୧୭୭ଟି ବୁଥ୍ ୨୮ ହଜାର ୩୬୫ ଭୋଟର ରହିଛନ୍ତି ।


