ସିର୍ତ୍ତିଗୁଡ଼ାର ବିଦ୍ୟୁତ୍‌ ଗ୍ରିଡ୍‌ ୭ ବର୍ଷ ହେଲା ଅଟକିଛି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲାରେ ଲାଗି ରହିଥିବା ବିଜୁଳି ସମସ୍ୟାର ସମାଧାନ ପାଇଁ ୭ ବର୍ଷ ତଳେ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକ ର ସିର୍ତ୍ତିଗୁଡ଼ାଠାରେ ୧୦୨ କୋଟି ଟଙ୍କାର ଏକ ବୃହତ୍‌ ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା । ୭ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଗ୍ରିଡ୍‌ ଷ୍ଟେସନ ନିର୍ମାଣ ଅଧାରେ ଅଟକି ରହିଛି । କଳାହାଣ୍ଡି ଜିଲ୍ଲାର କେସିଙ୍ଗାରୁ ବିଦ୍ୟୁତ୍‌ ଆଣି କନ୍ଧମାଳ ଜିଲ୍ଲାର ୯ଟି ବ୍ଲକକୁ ଯୋଗାଣ ନିମନ୍ତେ ଏହି ଗ୍ରିଡ୍‌ ଷ୍ଟେସନ ନିର୍ମାଣ ହୋଇଛି । ଏଥିପାଇଁ ଆବଶ୍ୟକ ୩୮୨ଟି ଟାୱାର ମଧ୍ୟରୁ ୩୨୪ଟି ଟାୱାର ମଧ୍ୟ ବସିସାରିଛି। ବଳକା ୫୮ଟି ଟାୱାର ପାଇଁ ଗଛକଟା ପ୍ରତିବନ୍ଧକ ସାଜିଛି । ଏଥିପାଇଁ ଆନୁମାନିକ ୭୦ ହଜାରରୁ ଅଧିକ ଗଛ କଟାଯିବାକୁ ପଡୁଥିବାରୁ ବନ ବିଭାଗ ପକ୍ଷରୁ ଅନୁମତି ଲୋଡ଼ାଯାଇଛି । କିନ୍ତୁ ଅନୁମତି ମିଳୁ ନଥିବାରୁ ପ୍ରକଳ୍ପଟି ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି । ଏହା ଫଳରେ କନ୍ଧମାଳ ଜିଲ୍ଲାରେ ପାଞ୍ଚ ଦଶନ୍ଧି ତଳେ ଯେଉଁ ଲୋ-ଭୋଲ୍‌ଟେଜ୍‌ ସମସ୍ୟା ଥିଲା ତାହା ଆଜି ବି ପରିଲକ୍ଷିତ ‌ହେଉଛି । ବିଜୁଳି କାଟ୍‌ ଏକ ସାଧାରଣ କଥା। ପ୍ରତି ମୁହୂର୍ତ୍ତରେ ଏଠାରେ ବିଜୁଳି କାଟ ହୋଇଥାଏ । ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ୯ଟି ବ୍ଲକ୍‌ରେ ବିଜୁଳି ସେବା ରେ ଉନ୍ନତି ଆଣିବା ପାଇଁ ସିର୍ତ୍ତିଗୁଡ଼ାଠାରେ ଏହି ଗ୍ରିଡ୍‌ ସବ୍‌ଷ୍ଟେସନ (୨୨୦/୩୩ କେଭି) ନିର୍ମାଣ ହୋଇଥିଲା । ଗତ ୨୦୧୬ ମସିହାରେ ୧୦୨ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପଟି ଆରମ୍ଭ ହୋଇଥିଲା। ୨୦୧୮ ମାର୍ଚ୍ଚ ମାସରୁ ଏହି ଗ୍ରିଡ୍‌ରୁ କନ୍ଧମାଳର ୯ଟି ବ୍ଲକ ବାସିନ୍ଦାଙ୍କୁ ନିରବଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଇ ଦେବା ଲକ୍ଷ୍ୟ ରଖାଯାଇଥିଲା । ଏହି ଗ୍ରିଡ୍‌ କାର୍ଯ୍ୟକ୍ଷମ ହେଲେ ବାଲିଗୁଡ଼ା, କୋଟଗଡ଼, ତୁମୁଡ଼ିବନ୍ଧ, କେ.ନୂଆଗାଁ, ଦାରିଙ୍ଗବାଡ଼ି, ରାଇକିଆ, ଘୁ.ଉଦୟଗିରି ଓ ଟିକାବାଲି ବ୍ଲକବାସୀ ଉପକୃତ ହେବେ । ଗ୍ରିଡ୍‌ ଷ୍ଟେସନ ନିର୍ମାଣ କାର୍ଯ୍ୟ ବହୁ ବାଟ ଆଗେଇ ଯାଇଥିଲେ ମଧ୍ୟ ବହୁମାସ ଧରି କାମ ବନ୍ଦ ହୋଇରହିଛି । କେସିଙ୍ଗାରୁ କ.ନୂଆଗାଁ ମଧ୍ୟରେ ଟାୱାର ସ୍ଥାପନ ପାଇଁ କେତେକ ସ୍ଥାନରେ ପାହାଡ଼ ଖୋଳିବାର ଆବଶ୍ୟକତା ପଡୁଥିବାବେଳେ ବହୁ ସଂଖ୍ୟାରେ ଗଛ କାଟିବା ଦରକାର ପଡୁଛି । ଟାୱାର ପ୍ରତିଷ୍ଠା ପାଇଁ କେତେକ ପ୍ରଭାବଶାଳୀ ଲୋକଙ୍କ ଘରୋଇ ଜମିର ମଧ୍ୟ ଆବଶ୍ୟକତା ପଡ଼ୁଛି । ଏହିସବୁ ପ୍ରତିବନ୍ଧକ ଯୋଗୁ ଏହି ଗ୍ରିଡ୍‌ ପ୍ରତିଷ୍ଠା ଏବେ ସ୍ଵପ୍ନ ପାଲଟିଛି । ଗ୍ରିଡ୍‌ ଷ୍ଟେସନର ଶତକଡ଼ା ୮୦ ପ୍ରତିଶତ ନିର୍ମାଣ କାମ ଶେଷ ହୋଇଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଏଥିନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନ ଅସନ୍ତୋଷ ଦେଖାଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ