ବାଲେଶ୍ୱର : ପୌର ନିର୍ବାଚନର ଦ୍ୱିତୀୟ ଦିନ ନାମାଙ୍କନ ପ୍ରକ୍ରିୟା
ବାଲେଶ୍ୱର, (ସରୋଜ ପଣ୍ଡା) :-ଚଳିତ ପୌର ନିର୍ବାଚନର ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଦ୍ୱିତୀୟ ଦିନରେ ପହଞ୍ଚିଛି । ବାଲେଶ୍ୱରର ୩ ଗୋଟି ପୌରପାଳିକା ଓ ୨ ଗୋଟି ଏନଏସିର କାଉନସିଲର ଏବଂ ଅଧ୍ୟକ୍ଷ ପଦ ପାଇଁ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ଫର୍ମ ସଂଗ୍ରହ ସାଙ୍ଗକୁ କାଁ ଭାଁ ପ୍ରାର୍ଥିପତ୍ର ଦାଖଲ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ପୌରପାଳିକାରେ ଗତକାଲି ଜଣେ ଓ ଆଜି ଜଣେ ସ୍ୱାଧୀନ ପ୍ରାର୍ଥୀ କାଉନସିଲର ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଦୁଇଦିନ ମଧ୍ୟରେ ମୋଟ ୭୧ ଗୋଟି ନାମାଙ୍କନ ଫର୍ମ ଆଶାୟୀ ପ୍ରାର୍ଥୀମାନେ ନେଇଥିବା ପୌରପାଳିକା ପକ୍ଷରୁ ଜଣାଯାଇଛି । ତେବେ ଅଦ୍ୟାବଧି କୌଣସି ଦଳୀୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନଥିବା ବେଳେ ଦୁଇଦିନରେ କେବଳ ୨ ଜଣ ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତିି । ପୂର୍ବତନ କାଉନସିଲର ତଥା ପ୍ରାକ୍ତନ ଟାଉନ କଂଗ୍ରେସ ସଭାପତି ପଦ୍ମଲୋଚନ ଲେଙ୍କା ନିଜର ସମର୍ଥକ ଓ ସହଯୋଗୀଙ୍କ ଗହଣରେ ଶୋଭାଯାତ୍ରାରେ ଆସି ୨୭ ନଂ ୱାର୍ଡ଼ର କାଉନସିଲର ପଦ ପାଇଁ ଆଜି ନାମାଙ୍କନ ଦାଖଲ କରିଛନ୍ତି । କଂଗ୍ରେସର ସାମ୍ପ୍ରତିକ ଶୋଚନୀୟ ସ୍ଥିତିକୁ ଦୃଷ୍ଟିରେ ରଖି ତଥା ନିଜର ଲୋକପ୍ରିୟତାକୁ ଗୁରୁତ୍ୱ ଦେଇ ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିଥିବା ଶ୍ରୀ ଲେଙ୍କା ସୂଚନା ଦେଇଛନ୍ତି । ସେ ଚଳିତ ନିର୍ବାଚନରେ ନିଶ୍ଚିତ ଭାବେ ବିଜୟ ଲାଭ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି ।


