ଦାୟିତ୍ୱ ଗ୍ରହଣ କଲେ ସର୍ବ କନିଷ୍ଠ ସରପଂଚ ସୁଭ୍ରସ୍ମୃତୀ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :ନାଉଗାଁ ବ୍ଲକ ଅନ୍ତର୍ଗତ ଜାମୁଗାଁ ପଂଚାୟତ କାର୍ଯ୍ୟାଳୟରେ ସୋମବାର ସର୍ବ କନିଷ୍ଠ ନବ ନିର୍ବାଚିତ ସରପଂଚ ସୁଭ୍ରସ୍ମୃତୀ ପରିଡା ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସୁଭ୍ରସ୍ମୃତୀ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିତରଂଜନ ପରିଡାଙ୍କ ଉପସ୍ଥିତିରେ ପୂର୍ବତନ ସରପଂଚ ଲଲାଟେନ୍ଦୁ ପରିଡାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ସୂଚନାଥାଉ କି ୨୨ବର୍ଷ ବୟସରେ ସୁଭ୍ରସ୍ମୃତୀ ଜାମୁଗାଁ ପଂଚାୟତରେ ସରପଂଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ସରପଂଚ ଭାବେ ନିର୍ବାଚିତ ହୋଇଛନ୍ତି । ସେ ଜଣେ ଉଚ୍ଚଶିକ୍ଷିତା ଯୁବତୀ ହୋଇଥିବା ବେଳେ ବ୍ଲକର ବିଭିନ୍ନ ପଂଚାୟତରେ ସରପଂଚ ପଦବୀ ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ସବୁଠାରୁ କମ୍ ବୟସର ସରପଂଚ ପ୍ରାର୍ଥୀ । ସେ ଜଣେ ଉଚ୍ଚ ଶିକ୍ଷିତା ଥାଇ ରାଜନୀତିକୁ ଆସି ଲୋକମାନଙ୍କ ସେବା କରିବା ପାଇଁ ମୂଳ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି । ସରପଂଚ ଭାବେ ତାକୁ ନିର୍ବାଚିତ କରିଥିବାରୁ ପଂଚାୟତବାସୀଙ୍କୁ ସେ କୃତଜ୍ଞତା ଜଣାଇବା ସହ ଯେଉଁ ଉଦ୍ଦେଶ୍ୟ ରଖି ତାକୁ ଜନସାଧାରଣମାନେ ଏହି କମ୍ ବୟସରେ ନିର୍ବାଚିତ କରିଛନ୍ତି, ତାହାକୁ ସେ ସୁଚାରୁରୂପେ ପାଳନ କରିବେ ବୋଲି ପ୍ରକାଶ କରିଛନ୍ତି । ଦାୟିତ୍ୱ ଗ୍ରହଣ ବେଳେ ପଂଚାୟତ ବିଜେଡି ସଭାପତି ଅନୁପ କୁମାର ମହାନ୍ତି, ତୁଷାର କୁଅଁର, ଜୀବନଜ୍ୟୋତି ପରିଡା, ପ୍ରଫୁଲ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।