ପଞ୍ଚାୟତ ନିର୍ବାଚନ ପରାଜୟ ପରେ ସହିପାରିଲେନି ବିଜୟୀ ପାର୍ଥୀଙ୍କ ଟାହିଟାପରା : ଆତ୍ମହତ୍ୟା କଲେ ପରାଜିତ ପ୍ରାର୍ଥୀଙ୍କ ସ୍ୱାମୀ : ବିଷ ପିଇଦେଲେ ସ୍ତ୍ରୀ
ଭଦ୍ରକ, (ଯୁଗାବ୍ଦ ନ୍ୟୁଜ) :ନିର୍ବାଚନୀ ହିଂସା ଯେ ଜଣଙ୍କର ଜୀବନ ନେଇଯାଇପାରେ, ଗୋଟେ ପରିବାରକୁ ଛାରଖାର କରିଦେଇପାରେ ତାହା କେହି କେବେ ଭାବିବି ନଥିବେ । ନିର୍ବାଚନରେ ହାରିଯିବାରୁ ପ୍ରତିପକ୍ଷ ଦଳ ପରାଜିତ ପ୍ରାର୍ଥୀଙ୍କୁ ଟାହିଟାପରା କଲେ । ଗାଁ ଦାଣ୍ଡରେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ଗଳା ଧକ୍କା ବି ମାରିଲେ । ଅପମାନଙ୍କୁ ସହିନପାରି ଆତ୍ମହତ୍ୟା କରିଦେଲେ ସ୍ୱାମୀ । ସ୍ୱାମୀଙ୍କ ଏହି ଅବସ୍ଥା ଦେଖି ବିଷ ପିଇଦେଲେ ସ୍ତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲାରୁ । ସମ୍ପର୍କୀୟଙ୍କ ଅଭିଯୋଗ ଅନୁସାରେ, ରବିବାର ୧୩ତାରିଖ ସଂନ୍ଧ୍ୟାରେ ଭଦ୍ରକ ଜିଲ୍ଲା ପଦ୍ମପୁର ପଞ୍ଚାୟତରେ ବିଜେଡିର ବିଜୟ ଶୋଭାଯାତ୍ରା ହୋଇଥିଲା । ଏହି ଶୋଭାଯାତ୍ରାରେ ୧୮ନମ୍ବର ଜୋନର ବିଜୟୀ ଜିଲ୍ଲା ପରିଷଦ ପ୍ରାର୍ଥୀ ଜୟକୃଷ୍ଣ ନାୟକଙ୍କ ସମେତ ସରପଞ୍ଚ, ସମିତି ସଭ୍ୟା, ସ୍ଥାନୀୟ ବିଧାୟକ ଏବଂ ଦଳୀୟ ପ୍ରାର୍ଥୀମାନେ ସାମିଲ ଥିଲେ । ପଦ୍ମପୁର ବଜାରରୁ ଶୋଭାଯାତ୍ରା ବାହାରି ବଡଅଗାପୁର ଗାଁ ପର୍ଯ୍ୟନ୍ତ ଯାଇଥିଲା । ନିର୍ବାଚନରେ ହାରିଥିବା ପ୍ରାର୍ଥୀନି ସୁମତି ପରିଡିଙ୍କ ଘର ଏହି ଗାଁରେ । ବିଜେଡିର ଶୋଭାଯାତ୍ରା ଚାଲିଥିବା ବେଳେ ପ୍ରାର୍ଥୀ ସୁମତିଙ୍କ ସ୍ୱାମୀ ରମାକାନ୍ତ ପରିଡା ଘର ବାହାରେ ଛିଡା ହୋଇଥିଲେ । ସେହି ସମୟରେ ରମାକାନ୍ତଙ୍କୁ ଦେଖି ଶୋଭାଯାତ୍ରାରେ ସାମିଲ ହୋଇଥିବା ସମର୍ଥକମାନେ ଛିଗୁଲେଇବା ସହ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏପରିକି ରମାକାନ୍ତ କାନ୍ଧରେ ପକାଇଥିବା ଗାମୁଛାକୁ ଧରି ଟଣାଓଟରା କରିଥିଲେ । ଏହି ଘଟଣାକୁ ସହ୍ୟ କରିନପାରି ଘରକୁ ଆସି ଫ୍ୟାନରେ ରଶି ଲଗାଇ ଝୁଲିପଡିଥିଲେ । ସ୍ୱାମୀଙ୍କ ଏହି ଅବସ୍ଥା ଦେଖି ସହିନପାରି ବିଷ ପିଇଦେଲେ ସୁମତୀ । ଗାଁ ଲୋକଙ୍କ ସହାୟତାରେ ଦୁଇଜଣଙ୍କୁ ଭଦ୍ରକ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ସେତେବେଳକୁ ରମାକାନ୍ତଙ୍କ ମୃତ୍ୟୁ ହୋଇସାରିଥିଲା । ସୁମତୀଙ୍କ ଅବସ୍ଥା ଗୁରୁତର ହେବାକୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଏବେ ସୁମତୀ କଟକର ଏକ ଘରୋଇ ଡାକ୍ତରଖାନାରେ ଜୀବନ ସହ ସଂଘର୍ଷ କରୁଛନ୍ତି । ସେପଟେ, ଏହି ଘଟଣାରେ ଯେଉଁମାନେ ଦାୟୀ ସେମାନଙ୍କୁ ତୁରନ୍ତ ଗିରଫ ଦାବିରେ ଶବ ରଖି ରାସ୍ତା ରୋକ କରିଥିଲେ ଗ୍ରାମବାସୀ । ଅନ୍ୟପଟେ ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସାଧାରଣରେ ପ୍ରଶ୍ନ ଉଠୁଛି, ନିର୍ବାଚନ ଜିତିବା ପରେ ପରାଜିତ ପ୍ରାର୍ଥୀଙ୍କୁ ଦୁର୍ବ୍ୟବହାର କରିବା ଏବଂ ଗାଳି ଗୁଲଜ କରିବା କେତେ ଦୂର ଠିକ୍ ?


